Voice of Eastern India

E-20 ପେଟ୍ରୋଲ ନେଇ ସରକାରଙ୍କୁ ଏକ୍ସପର୍ଟଙ୍କ ସମର୍ଥନ: କହିଲେ, ଇଞ୍ଜିନ ପାଇଁ କ୍ଷତିକାରକ ନୁହେଁ ଇଥାନଲ


ନୂଆଦିଲ୍ଲୀ: ଇ-୨୦ ଇଥାନଲ ମିଶ୍ରିତ ପେଟ୍ରୋଲକୁ ନେଇ ଦେଶରେ ବଢ଼ୁଥିବା ସମାଲୋଚନା ଓ ବିବାଦ ମଧ୍ୟରେ ଶନିବାର ଅଟୋମୋବାଇଲ ଏବଂ ଶକ୍ତି କ୍ଷେତ୍ରର ବିଶେଷଜ୍ଞମାନଙ୍କ ଏକ ପ୍ୟାନେଲ ସରକାରଙ୍କ ଇ-୨୦ ଇଥାନଲ ମିଶ୍ରଣ ପ୍ରୋଗ୍ରାମକୁ ସମର୍ଥନ ଜଣାଇଛନ୍ତି। ଇ-୨୦ ପେଟ୍ରୋଲ ଗାଡ଼ିଗୁଡ଼ିକ ପାଇଁ କ୍ଷତିକାରକ ବୋଲି କୌଣସି ବୈଜ୍ଞାନିକ ପ୍ରମାଣ ମିଳିନାହିଁ। ଏହାକୁ ଲାଗୁ କରିବା ପୂର୍ବରୁ ବ୍ୟାପକ ପରୀକ୍ଷା କରାଯାଇଥିଲା ବୋଲି ଏକ୍ସପର୍ଟମାନେ କହିଛନ୍ତି।

ବିଶେଷଜ୍ଞମାନେ ଆହୁରି କହିଛନ୍ତି ଯେ, ଫର୍ମୁଲା-୧ ରେସିଂ କାରରେ ମଧ୍ୟ ଇଥାନଲ ଆଧାରିତ ଇନ୍ଧନ ବ୍ୟବହାର ହୁଏ। ସେମାନଙ୍କ ମତରେ, ଇ-୨୦ ପେଟ୍ରୋଲକୁ ଲାଗୁ କରିବା ପୂର୍ବରୁ ବର୍ଷ ବର୍ଷ ଧରି ବୈଜ୍ଞାନିକ ମୂଲ୍ୟାଙ୍କନ ଓ ନିୟାମକ ସଂସ୍ଥାର ଅନୁମୋଦନ ନିଆଯାଇଥିଲା। ଇ-୨୦ ପେଟ୍ରୋଲକୁ ନେଇ ସୋସିଆଲ ମିଡିଆରେ ହେଉଥିବା ଦାବି ଓ ସରକାରଙ୍କ ନୀତିକୁ ନେଇ ଚାଲିଥିବା ବିବାଦ ମଧ୍ୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏକ୍ସପର୍ଟମାନେ ଏପରି କହିଛନ୍ତି।

ଏହି ପ୍ୟାନେଲରେ ପୂର୍ବତନ ଇଞ୍ଜିନିୟର୍ସ ଇଣ୍ଡିଆ ଲିମିଟେଡ୍ (EIL)ର CMD ବର୍ତ୍ତିକା ଶୁକ୍ଲା, ବଜାଜ ଅଟୋର ସର୍କଲ ହେଡ୍ ମନପ୍ରୀତ ସିଂହ, TVSର ବରିଷ୍ଠ ଉପସଭାପତି (କର୍ପୋରେଟ୍ ବ୍ୟାପାର) ପ୍ରଶାଦ କୃଷ୍ଣନ, ଟୟୋଟା କିର୍ଲୋସ୍କର ମୋଟରର କଣ୍ଟ୍ରି ହେଡ୍ ଏବଂ କାର୍ଯ୍ୟନିର୍ବାହୀ ଉପସଭାପତି (କର୍ପୋରେଟ୍ ଆଫେୟାର୍ସ ଓ ଗଭର୍ନାନ୍ସ) ବିକ୍ରମ ଗୁଲାଟି, ମାରୁତି ସୁଜୁକିର ବରିଷ୍ଠ କାର୍ଯ୍ୟନିର୍ବାହୀ ଅଧିକାରୀ ରାହୁଲ ଭାରତୀ, ହ୍ୟୁଣ୍ଡାଇ ଇଣ୍ଡିଆର ପ୍ରତିନିଧି ପୁନୀତ ଆନନ୍ଦ ଏବଂ ହିରୋ ମୋଟୋର ପ୍ରତିନିଧି ଆଶୁତୋଷ ବର୍ମା ଉପସ୍ଥିତ ଥିଲେ।

E20 ଲାଗୁ ପୂର୍ବରୁ ବ୍ୟାପକ ପରୀକ୍ଷା

ପୂର୍ବତନ EIL CMD ବର୍ତ୍ତିକା ଶୁକ୍ଲା କହିଛନ୍ତି ଯେ, ଇଥାନଲ ମିଶ୍ରଣ କାର୍ଯ୍ୟକ୍ରମ ହଠାତ୍ ଆରମ୍ଭ ହୋଇନଥିଲା। ଭାରତ ଡିସେମ୍ବର ୨୦୨୫ରେ E20 ଲକ୍ଷ୍ୟ ହାସଲ କରିଥିଲା। ଏହି ଇନ୍ଧନ ଲାଗୁ କରିବା ପୂର୍ବରୁ ଅଟୋମୋବାଇଲ ଶିଳ୍ପ ପକ୍ଷରୁ ବ୍ୟାପକ ପରୀକ୍ଷା କରାଯାଇଥିଲା। ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ କାର୍ବନ ନିର୍ଗମନ ହ୍ରାସ କରିବା ଥିଲା। ସେ କହିଛନ୍ତି ଯେ କାନାଡା ଓ ପାରାଗୁଏ ସମେତ ଅନେକ ଦେଶ ପୂର୍ବରୁ ଇ-୨୦ ଇନ୍ଧନ ବ୍ୟବହାର ହେଉଛି।

ସେହିପରି ଟୟୋଟା କିର୍ଲୋସ୍କରର ବିକ୍ରମ ଗୁଲାଟି କହିଛନ୍ତି ଯେ, ଅଟୋମୋବାଇଲ ଶିଳ୍ପ ଏକ ଦୃଢ଼ ନିୟାମକ ବ୍ୟବସ୍ଥା ଅଧୀନରେ କାମ କରେ ଏବଂ ଇନ୍ଧନର ମାନକ ସ୍ପଷ୍ଟ ଭାବେ ନିର୍ଦ୍ଧାରିତ ହୋଇଥାଏ। କୌଣସି ଗାଡ଼ି ବଜାରକୁ ଆସିବା ପୂର୍ବରୁ ନିର୍ମାତାମାନେ ତାହାର ସମ୍ପୂର୍ଣ୍ଣ ପରୀକ୍ଷା କରନ୍ତି ଏବଂ ସ୍ୱାଧୀନ ପରୀକ୍ଷଣ ସଂସ୍ଥାର ଅନୁମୋଦନ ପରେ ହିଁ ଏହା ଗ୍ରାହକଙ୍କ ପାଖକୁ ପହଞ୍ଚେ। ସେ ଇଥାନଲକୁ “ଏକ ବହୁତ ଭଲ ଇନ୍ଧନ” ବୋଲି କହିବା ସହିତ ୧୯୦୦ ଦଶକର ଆରମ୍ଭରେ ନିର୍ମିତ କେତେକ ପ୍ରଥମ କାର ମଧ୍ୟ ଇଥାନଲରେ ଚାଲୁଥିଲା ବୋଲି କହିଛନ୍ତି।

ଫର୍ମୁଲା-୧ ରେସିଂ କାରରେ ମଧ୍ୟ ଇଥାନଲ ଆଧାରିତ ଇନ୍ଧନ ବ୍ୟବହାର କରାଯାଏ। ଇଥାନଲ କାର୍ବନ ନିର୍ଗମନ କମାଇବାରେ ସହାୟକ ହୁଏ। ପଶ୍ଚିମ ଏସିଆର ସାମ୍ପ୍ରତିକ ସଙ୍କଟ ଶକ୍ତି ଯୋଗାଣ ଓ ଅଶୋଧିତ ତୈଳ ଉପରେ ନିର୍ଭରଶୀଳତାର ଦୁର୍ବଳତାକୁ ସାମ୍ନାକୁ ଆଣିଛି ବୋଲି ସେ କହିଛନ୍ତି।

ସେହିପରି ମାରୁତି ସୁଜୁକିର ବରିଷ୍ଠ କାର୍ଯ୍ୟନିର୍ବାହୀ ଅଧିକାରୀ ରାହୁଲ ଭାରତୀ କହିଛନ୍ତି ଯେ, ଭାରତରେ ୨୦୨୩ରୁ E20 ଇନ୍ଧନ ବାଧ୍ୟତାମୂଳକ କରାଯାଇଛି। ୨୦୨୩ ପୂର୍ବରୁ ନିର୍ମିତ ଓ ବିକ୍ରି ହୋଇଥିବା ଗାଡ଼ିଗୁଡ଼ିକୁ ନେଇ ଲୋକଙ୍କ ମନରେ ମୁଖ୍ୟ ଚିନ୍ତା ରହିଛି। “ଏହା ହିଁ ପ୍ରକୃତ ପ୍ରଶ୍ନ, ଯାହାର ସମାଧାନ ଆବଶ୍ୟକ,” ବୋଲି ସେ କହିଛନ୍ତି। ତେବେ ସେ ସ୍ପଷ୍ଟ କରି କହିଛନ୍ତି ଯେ ଇ-୨୦ ଇନ୍ଧନରେ ଆମେ କୌଣସି ଚିନ୍ତାଜନକ ବିଷୟ ପାଇନାହୁଁ।।

ପୂର୍ବତନ ଇଣ୍ଡିଆନ ଅଏଲ କର୍ପୋରେସନ (IOCL) ଅଧ୍ୟକ୍ଷ ବି. ଅଶୋକ ANIକୁ ଦେଇଥିବା ସାକ୍ଷାତକାରରେ ମଧ୍ୟ E20 କାର୍ଯ୍ୟକ୍ରମକୁ ସମର୍ଥନ କରିଛନ୍ତି। ସେ କହିଛନ୍ତି, ଭାରତର ଇଥାନଲ ମିଶ୍ରଣ କାର୍ଯ୍ୟକ୍ରମ ଦେଶର ଶକ୍ତି ସୁରକ୍ଷାକୁ ସୁଦୃଢ଼ କରିଛି, କୃଷକଙ୍କ ଆୟ ବଢ଼ାଇଛି ଏବଂ କାର୍ବନ ନିର୍ଗମନ କମାଇଛି। ବୈଜ୍ଞାନିକ ଅଧ୍ୟୟନରେ E20 ପେଟ୍ରୋଲ ଇଞ୍ଜିନକୁ କ୍ଷତି ପହଞ୍ଚାଏ କିମ୍ବା ମାଇଲେଜ୍ ଉପରେ ଗୁରୁତର ପ୍ରଭାବ ପକାଏ ବୋଲି କୌଣସି ପ୍ରମାଣ ମିଳିନାହିଁ। E20କୁ ନେଇ ପ୍ରଚାର ହେଉଥିବା ଅନେକ ଆଶଙ୍କା ବୈଜ୍ଞାନିକ ତଥ୍ୟ ଅପେକ୍ଷା ଭ୍ରାନ୍ତ ଧାରଣା କିମ୍ବା ଅତିରଞ୍ଜିତ ଦାବି ବୋଲି ସେ କହିଛନ୍ତି।



Source link

Leave A Reply

Your email address will not be published.