ନୂଆଦିଲ୍ଲୀ: ଦିଲ୍ଲୀ-NCRରେ CNG ବ୍ୟବହାର କରୁଥିବା ଗାଡ଼ି ଚାଳକଙ୍କୁ ପୁଣି ଝଟ୍କା। ଇନ୍ଧନ ଦରରେ ପୁଣିଥରେ ବୃଦ୍ଧି କରିଛି IGL। ଶନିବାର ସକାଳ ୬ଟାରୁ CNG ଦର କିଲୋଗ୍ରାମ ପିଛା ୩.୮୯ ଟଙ୍କା ବଢ଼ିଛି। ଏହି ବର୍ଦ୍ଧିତ ଦର ଦିଲ୍ଲୀ ସମେତ NCRର ଆଖପାଖ ସହରଗୁଡ଼ିକରେ ଲାଗୁ ହୋଇଛି।
IGL ପକ୍ଷରୁ କୁହାଯାଇଛି ଯେ CNG ଉତ୍ପାଦନ ପାଇଁ ଆବଶ୍ୟକ ଗ୍ୟାସ ଏକ ବଡ଼ ଅଂଶ ଇମ୍ପୋର୍ଟେଡ୍ LNG ଉପରେ ନିର୍ଭର କରେ। କିନ୍ତୁ ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ଯୋଗୁ ବିଶ୍ୱ ବଜାରରେ LNG ଦର ବୃଦ୍ଧି ପାଇଛି। ଫଳରେ CNG ଉତ୍ପାଦନରେ ବ୍ୟବହୃତ ଇନ୍ପୁଟ୍ ଗ୍ୟାସର ଖର୍ଚ୍ଚ ମଧ୍ୟ ବଢ଼ିଛି। ଏହି ବର୍ଦ୍ଧିତ ଖର୍ଚ୍ଚର କିଛି ଅଂଶ ଭରଣା କରିବା ପାଇଁ CNG ଦର ବଢ଼ାଇବା ଆବଶ୍ୟକ ହୋଇଥିବା କମ୍ପାନୀ କହିଛି।
CNG ଦରରେ ଏହି ବୃଦ୍ଧି ଚଳିତ ବର୍ଷର ପଞ୍ଚମ ମୂଲ୍ୟ ବୃଦ୍ଧି। ତେବେ ମେ’ ମାସ ପରେ ପ୍ରଥମ ଥର ପାଇଁ CNG ଦର ବଢ଼ିଛି। ଏହା ପୂର୍ବରୁ ମେ’ ମାସରେ ପଶ୍ଚିମ ଏସିଆର ସଂଘର୍ଷ ଯୋଗୁ ବିଶ୍ୱ ଶକ୍ତି ବଜାରରେ ଦର ବଢ଼ିଥିଲା। ଏହାର ପ୍ରଭାବରେ IGL ମାତ୍ର ୧୦ ଦିନ ମଧ୍ୟରେ ୪ଟି ପର୍ଯ୍ୟାୟରେ CNG ଦର ମୋଟ କିଲୋ ପିଛା ୬ ଟଙ୍କା ବଢ଼ାଇଥିଲା।
ନୂଆ ଦର ଲାଗୁ ହେବା ପରେ ଦିଲ୍ଲୀରେ CNG ଦର କିଲୋ ପିଛା ୮୬.୯୮ ଟଙ୍କା ହୋଇଛି। ସେହିପରି ନୋଏଡା ଓ ଗାଜିଆବାଦରେ CNG ଦର ୯୫.୫୯ ଟଙ୍କା ଏବଂ ଗୁରୁଗ୍ରାମରେ ୯୨.୦୧ ଟଙ୍କା ପ୍ରତି କିଲୋଗ୍ରାମ ହୋଇଛି। ବିଭିନ୍ନ ରାଜ୍ୟରେ VAT ବ୍ୟବସ୍ଥା ଭିନ୍ନ ଥିବାରୁ ସହର ଓ ରାଜ୍ୟ ଅନୁସାରେ CNG ଦରରେ ତଫାତ ରହୁଛି।
also read- ତରଳୁଛି ହିମାଳୟ, ବଢୁଛି ବିପଦ: ନେପାଳ ଭଳି ଭାରତର ପରିସ୍ଥିତି ହେବନି ତ? କେତେ ବଡ଼ ଚ୍ୟାଲେଞ୍ଜ ରହିଛି ପଢନ୍ତୁ ରିପୋର୍ଟ
CNG ଦର ବଢ଼ିବାର ସିଧାସଳଖ ପ୍ରଭାବ ଦିଲ୍ଲୀ-NCRର ଅଟୋ, ଟ୍ୟାକ୍ସି ଏବଂ ମାଲବାହୀ ଗାଡ଼ି ଉପରେ ପଡ଼ିପାରେ। ଏହି ଗାଡ଼ିଗୁଡ଼ିକର ଏକ ବଡ଼ ଅଂଶ CNGରେ ଚାଲୁଥିବାରୁ ଇନ୍ଧନ ଖର୍ଚ୍ଚ ବଢ଼ିଲେ ପରିବହନ ଖର୍ଚ୍ଚ ମଧ୍ୟ ବଢ଼ିବାର ଆଶଙ୍କା ରହିଛି। ଏହାର ପରୋକ୍ଷ ପ୍ରଭାବ ଯାତ୍ରୀ ଭଡ଼ା ଏବଂ ମାଲ ପରିବହନ ଖର୍ଚ୍ଚ ଉପରେ ମଧ୍ୟ ପଡ଼ିପାରେ।
