Apple Hikes Prices: ଭାରତରେ ଆପଲର ମ୍ୟାକବୁକ୍ ଏବଂ ଆଇପ୍ୟାଡ୍ ମୂଲ୍ୟରେ ବଡ଼ ବୃଦ୍ଧି, ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମୂଲ୍ୟ ବୃଦ୍ଧି କଲା କମ୍ପାନୀ
ନୂଆଦିଲ୍ଲୀ: ଆପଲ୍ ଭାରତରେ ଏହାର ମ୍ୟାକବୁକ୍ ଏବଂ ଆଇପ୍ୟାଡ୍ ସିରିଜର ମୂଲ୍ୟ ବୃଦ୍ଧି କରିଛି। କିଛି ମଡେଲରେ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମୂଲ୍ୟ ବୃଦ୍ଧି କରାଯାଇଛି। ଏହା ପୂର୍ବରୁ ଆପଲ୍ ସିଇଓ ଟିମ୍ କୁକ୍ ଦର ବୃଦ୍ଧି ନେଇ ସୂଚନା ଦେଇଥିଲେ। ମୋମୋରି ଚିପର ଅଭାବ ଓ ଅହେତୁକ ମୂଲ୍ୟ ବୃଦ୍ଧି ଯୋଗୁ ସାମ୍ପ୍ରତିକ ପରିସ୍ଥିତିରେ ମୂଲ୍ୟ ବୃଦ୍ଧି ଅପରିହାର୍ଯ୍ୟ ହୋଇପଡିଛି ବୋଲି କୁକ କହିଥିଲେ। ଗୁରୁବାର ମୂଲ୍ୟ ବୃଦ୍ଧି ପରେ ସଂଶୋଧନ ମୂଲ୍ୟ ଆପଲ୍ ଇଣ୍ଡିଆ ୱେବସାଇଟରେ ଦେଖିବାକୁ ମିଳିଛି। ଅନେକ ମ୍ୟାକବୁକ୍ ମଡେଲର ମୂଲ୍ୟ ପୂର୍ବ ଅପେକ୍ଷା ବହୁତ ଅଧିକ ବଢ଼ି ଯାଇଛି। ଏହି ପରିବର୍ତ୍ତନ ମ୍ୟାକବୁକ୍ ଏୟାର, ମ୍ୟାକବୁକ୍ ପ୍ରୋ ଏବଂ କମ୍ପାନୀର ନୂଆ ଭାବେ ଆସିଥିବା ବଜେଟ୍ ଲାପଟପ୍ ସେଗମେଣ୍ଟକୁ ପ୍ରଭାବିତ କରିଛି।
ମ୍ୟାକବୁକ୍ ଏୟାର (M5 ଚିପ୍), ଯାହା ଭାରତରେ ୧,୧୯,୯୦୦ ଟଙ୍କାରେ ଲଞ୍ଚ୍ ହୋଇଥିଲା, ଏବେ ୧,୪୯,୯୦୦ ଟଙ୍କାରେ ମିଳିବ। ଏଥିରେ ୩୦,୦୦୦ ଟଙ୍କା ବୃଦ୍ଧି ହୋଇଛି। ସେହିପରି, ୧୫-ଇଞ୍ଚ ମ୍ୟାକବୁକ୍ ଏୟାର ମଡେଲ୍, ଯାହାର ପୂର୍ବ ମୂଲ୍ୟ ୧,୪୪,୯୦୦ ଟଙ୍କା ଥିଲା, ଏବେ ଏହା ବଢ଼ି ୧,୭୯,୯୦୦ ଟଙ୍କା ହୋଇଛି ହୋଇଯାଇଛି। ଏଥିରେ ୩୫,୦୦୦ ଟଙ୍କା ବୃଦ୍ଧି ଦେଖିବାକୁ ମିଳିଛି।
ମ୍ୟାକବୁକ୍ ପ୍ରୋ ଲାଇନଅପରେ ମୂଲ୍ୟ ବୃଦ୍ଧି ଆହୁରି ଅଧିକ। M5 ଚିପ୍ ଏବଂ ୧୬GB RAM ବିଶିଷ୍ଟ ବେସ୍ ୧୪- ଇଞ୍ଚ ମ୍ୟାକବୁକ୍ ପ୍ରୋ ୧,୬୯,୯୦୦ ଟଙ୍କାରେ ଲଞ୍ଚ୍ ହୋଇଥିଲା। ମୂଲ୍ୟ ବୃଦ୍ଧି ପରେ ଏହା ୨,୩୯,୯୦୦ ଟଙ୍କା ହୋଇଯାଇଛି। ଏଥିରେ ୭୦,୦୦୦ ଟଙ୍କାର ଏକ ବଡ଼ ବୃଦ୍ଧି ଦେଖିବାକୁ ମିଳିଛି। ଏହାଛଡ଼ା ମ୍ୟାକବୁକ୍ ପ୍ରୋ (୧୪-ଇଞ୍ଚ)ର M5 Max ଭାରିଏଣ୍ଟର ମୂଲ୍ୟ ୧ ଲକ୍ଷ ଟଙ୍କା ବୃଦ୍ଧି କରାଯାଇଛି।
ଆପଲର ଅଧିକ ସୁଲଭ ମଡେଲ୍ ‘ମ୍ୟାକବୁକ୍ ନିଓ’ (MacBook Neo) ମଧ୍ୟ ବାଦ୍ ପଡିନାହିଁ। ଏହାର ମୂଲ୍ୟରେ ୧୦,୦୦୦ ଟଙ୍କା ବୃଦ୍ଧି କରାଯାଇଛି।
ଆଇପ୍ୟାଡ୍ ସେଗମେଣ୍ଟରେ, M4 ପ୍ରୋସେସର୍ ବିଶିଷ୍ଟ ୧୧-ଇଞ୍ଚ ଆଇପ୍ୟାଡ୍ ଏୟାର ବର୍ତ୍ତମାନ ୮୯,୯୦୦ ଟଙ୍କାରେ ମିଳୁଛି, ଯାହା ପୂର୍ବରୁ ୬୪,୯୦୦ ଟଙ୍କାରେ ଲଞ୍ଚ୍ ହୋଇଥିଲା। ଏଥିରେ ୨୫,୦୦୦ ଟଙ୍କା ବୃଦ୍ଧି ହୋଇଛି। ସେହିପରି, M5 ଚିପ୍ ଏବଂ ୨୫୬GB ଷ୍ଟୋରେଜ୍ ବିଶିଷ୍ଟ ଆଇପ୍ୟାଡ୍ ପ୍ରୋ ବର୍ତ୍ତମାନ ୧,୩୯,୯୦୦ ଟଙ୍କାରେ ମିଳିବ। ଯାହା ଗତ ବର୍ଷ ୯୯,୯୯୦ ଟଙ୍କାରେ ଲଞ୍ଚ ହୋଇଥିଲା। ଏଥିରେ ୩୯,୯୧୦ ଟଙ୍କା ବୃଦ୍ଧି ହୋଇଛି।
ନୂଆ ମୂଲ୍ୟର ସଂକ୍ଷିପ୍ତ ତାଲିକା:
ମ୍ୟାକବୁକ୍ ଏୟାର ୧୩-ଇଞ୍ଚ (M5): ୧,୧୯,୯୦୦ ଟଙ୍କାରୁ ୧,୪୯,୯୦୦ ଟଙ୍କା (୩୦,୦୦୦ ଟଙ୍କା ବୃଦ୍ଧି)
ମ୍ୟାକବୁକ୍ ଏୟାର ୧୫-ଇଞ୍ଚ: ୧,୪୪,୯୦୦ ଟଙ୍କାରୁ ୧,୭୯,୯୦୦ ଟଙ୍କା (୩୫,୦୦୦ ଟଙ୍କା ବୃଦ୍ଧି)
ମ୍ୟାକବୁକ୍ ପ୍ରୋ ୧୪-ଇଞ୍ଚ (M5, 16GB RAM): ୧,୬୯,୯୦୦ ଟଙ୍କାରୁ ୨,୩୯,୯୦୦ ଟଙ୍କା (୭୦,୦୦୦ ଟଙ୍କା ବୃଦ୍ଧି)
ମ୍ୟାକବୁକ୍ ନିଓ (MacBook Neo): ୬୯,୯୦୦ ଟଙ୍କାରୁ ୭୯,୯୦୦ ଟଙ୍କା (୧୦,୦୦୦ ଟଙ୍କା ବୃଦ୍ଧି)
ମ୍ୟାକବୁକ୍ ପ୍ରୋ ୧୪-ଇଞ୍ଚ (M5 Max ଭାରିଏଣ୍ଟ): ୧,୦୦,୦୦୦ ଟଙ୍କା ବୃଦ୍ଧି
ଆଇପ୍ୟାଡ୍ ଏୟାର ୧୧-ଇଞ୍ଚ (M4): ୬୪,୯୦୦ ଟଙ୍କାରୁ ୮୯,୯୦୦ ଟଙ୍କା (୨୫,୦୦୦ ଟଙ୍କା ବୃଦ୍ଧି)
ଆଇପ୍ୟାଡ୍ ପ୍ରୋ (256GB, M5): ୯୯,୯୯୦ ଟଙ୍କାରୁ ୧,୩୯,୯୦୦ ଟଙ୍କା (୩୯,୯୧୦ ଟଙ୍କା ବୃଦ୍ଧି)
ଆପଲ୍ ଆମେରିକାରେ ମଧ୍ୟ ମୂଲ୍ୟ ବୃଦ୍ଧି କରିଛି। ଆଇପ୍ୟାଡ୍ ଏୟାର ଏବେ ୫୯୯ ଡଲାର ପରିବର୍ତ୍ତେ ୭୪୯ ଡଲାର, ଆଇପ୍ୟାଡ୍ ପ୍ରୋ ୯୯୯ ଡଲାର ପରିବର୍ତ୍ତେ ୧,୧୯୯ ଡଲାର, ମ୍ୟାକବୁକ୍ ନିଓ ୫୯୯ ଡଲାର ପରିବର୍ତ୍ତେ ୬୯୯ ଡଲାର, ବେସ୍ ମ୍ୟାକବୁକ୍ ଏୟାର ୧,୦୯୯ ଡଲାର ପରିବର୍ତ୍ତେ ୧,୨୯୯ ଡଲାର ଏବଂ ୧୪-ଇଞ୍ଚ ମ୍ୟାକବୁକ୍ ପ୍ରୋ ୧,୬୯୯ ଡଲାର ପରିବର୍ତ୍ତେ ୧,୯୯୯ ଡଲାରରେ ମିଳୁଛି। ମ୍ୟାକ୍ ଷ୍ଟୁଡିଓ ମଡେଲଗୁଡିକର ମୂଲ୍ୟ ମଧ୍ୟ ବୃଦ୍ଧି ପାଇଛି।
କାହିଁକି ବୃଦ୍ଧି ପାଇଲା ମୂଲ୍ୟ?
ଆପଲ୍ କହିଛି ଯେ କମ୍ପୋନେଣ୍ଟ ମୂଲ୍ୟ ଏତେ ଶୀଘ୍ର ଏବଂ ଏତେ ଅଧିକ ବଢ଼ି ଗଲା ଯେ ଖର୍ଚ୍ଚ ନିୟନ୍ତ୍ରଣ ବାହାରକୁ ଚାଲିଗଲା। ଏପର୍ଯ୍ୟନ୍ତ କମ୍ପାନୀ ଏହି ବୋଝକୁ ଗ୍ରାହକଙ୍କ ଉପରେ ଲଦିନ ଥିଲା। କିନ୍ତୁ ବର୍ତ୍ତମାନ ଏହା ଅପରିହାର୍ଯ୍ୟ ହୋଇପଡିଛି ବୋଲି ସିଇଓ ଟିମ୍ କୁକ୍ କହିଛନ୍ତି। ଆପଲର ଏହି ମୂଲ୍ୟ ବୃଦ୍ଧି ଯୋଗାଣ ଶୃଙ୍ଖଳାର ଚାପ ବଢ଼ିଥିବା ଯୋଗୁ ହୋଇଛି ବୋଲି ଏକ୍ସପର୍ଟ କହିଛନ୍ତି।
