କୋଲକାତା: ପଶ୍ଚିମବଙ୍ଗ ରାଜନୀତିରେ ଝଡ଼ । ଟିଏମସି ବିଦ୍ରୋହୀ ଶିବିରକୁ ଝଟକା ଦେଲେ କୋଲକାତା ହାଇକୋର୍ଟ । ବିଧାନସଭାରେ ବିରୋଧୀ ଦଳ ନେତା (LoP) ଭାବରେ ଋତବ୍ରତ ବାନାର୍ଜୀଙ୍କ ନିଯୁକ୍ତିକୁ ଶୁକ୍ରବାର ଦିନ କୋର୍ଟ ରଦ୍ଦ କରିଦେଇଛନ୍ତି। ଏହା ସହିତ ଆଗାମୀ ୧୦ ଦିନ ମଧ୍ୟରେ ପଶ୍ଚିମବଙ୍ଗର ବିରୋଧୀ ଦଳ ନେତା କିଏ ହେବେ, ସେ ନେଇ ପୁନର୍ବିଚାର କରିବାକୁ ହାଇକୋର୍ଟ ବାଚସ୍ପତିଙ୍କୁ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି। କେବଳ ସେତିକି ନୁହେଁ, ବିରୋଧୀ ଦଳ ତଥା ତୃଣମୂଳ କଂଗ୍ରେସ ପକ୍ଷରୁ ମୁଖ୍ୟ ସଚେତକ ଭାବରେ ନିଯୁକ୍ତ ହୋଇଥିବା ଆଖରୁଜ୍ଜମାନଙ୍କ ନିଯୁକ୍ତିକୁ ମଧ୍ୟ ଜଷ୍ଟିସ୍ କୃଷ୍ଣ ରାଓ ରଦ୍ଦ କରିଦେଇଛନ୍ତି।
ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ତୃଣମୂଳ କଂଗ୍ରେସ ଗୋଷ୍ଠୀର ବରିଷ୍ଠ ନେତା ଶୋଭନଦେବ ଚଟ୍ଟୋପାଧ୍ୟାୟଙ୍କ ପକ୍ଷରୁ ଦାୟର କରାଯାଇଥିବା ଏକ ଆବେଦନର ଶୁଣାଣି କରି ଅଦାଲତ ଏହି ରାୟ ଦେଇଛନ୍ତି। ବିଦ୍ରୋହୀ ଗୋଷ୍ଠୀ ‘ଡେମୋକ୍ରାଟିକ୍ ତୃଣମୂଳ କଂଗ୍ରେସ’ର ନେତା ଋତବ୍ରତ ବାନାର୍ଜୀଙ୍କୁ ବାଚସ୍ପତି ବିରୋଧୀ ଦଳ ନେତା ଭାବରେ ମାନ୍ୟତା ଦେବା ନିଷ୍ପତ୍ତିକୁ ଶୋଭନଦେବ ଚ୍ୟାଲେଞ୍ଜ କରିଥିଲେ। ମମତା ଗୋଷ୍ଠୀର ଅଭିଯୋଗ ଅନୁଯାୟୀ, ଶୋଭନଦେବଙ୍କୁ ବିରୋଧୀ ଦଳ ନେତା କରିବା ପାଇଁ ଦଳ ପକ୍ଷରୁ ପୂର୍ବରୁ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ନିଆଯାଇଥିଲା। ମାତ୍ର ବାଚସ୍ପତି ସେହି ନିଷ୍ପତ୍ତିକୁ ଅଣଦେଖା କରି ଦଳରୁ ଅଲଗା ହୋଇ ନୂଆ ଗୋଷ୍ଠୀ ଗଠନ କରିଥିବା ଋତବ୍ରତ ବାନାର୍ଜୀଙ୍କୁ ଏହି ପଦବୀ ଦେଇଥିଲେ ।
ବିଧାନସଭା ନିର୍ବାଚନରେ ବିଜେପିର ବିଜୟ ପରେ, ମେ ୬, ୨୦୨୬ରେ ତୃଣମୂଳ କଂଗ୍ରେସମୁଖ୍ୟାଳୟରେ ଏକ ବୈଠକ ବସିଥିଲା। ଏଥିରେ ଋତବ୍ରତ ବାନାର୍ଜୀଙ୍କ ସମେତ ପ୍ରାୟ ୭୦ ଜଣ ନେତା ଯୋଗ ଦେଇଥିଲେ। ଶୋଭନଦେବ ଚଟ୍ଟୋପାଧ୍ୟାୟଙ୍କୁ ବିରୋଧୀ ଦଳ ନେତା ଭାବରେ ମନୋନୀତ କରାଯାଇଥିଲା। ଏହା ପରେ ମେ ୧୯ ତାରିଖରେ ବିଧାୟକମାନଙ୍କ ସ୍ୱାକ୍ଷରିତ ଏକ ସଂକଳ୍ପ ପତ୍ର ଏବଂ ମେ ୬ ବୈଠକର ଉପସ୍ଥାନ ତାଲିକା ବାଚସ୍ପତିଙ୍କ ନିକଟକୁ ପଠାଯାଇଥିଲା। କିନ୍ତୁ, ଏହି ସମୟରେ ଋତବ୍ରତ ବାନାର୍ଜୀ ବାଚସ୍ପତିଙ୍କ ନିକଟରେ ଅଭିଯୋଗ କରିଥିଲେ ଯେ, ଉକ୍ତ ସଂକଳ୍ପ ପତ୍ରରେ ଥିବା ଅନେକ ସ୍ୱାକ୍ଷର ଜାଲ୍ ।
ଏହାର କିଛି ଦିନ ପରେ ଋତବ୍ରତ ବାନାର୍ଜୀ ଅନ୍ୟ ୫୯ ଜଣ ବିଧାୟକଙ୍କ ସହ ମିଶି ମମତାଙ୍କ ଦଳରୁ ଅଲଗା ହୋଇଯାଇଥିଲେ । ସେ ନିଜକୁ ନୂଆ ବିରୋଧୀ ଦଳ ନେତା ଭାବରେ ଦାବି କରି ବାଚସ୍ପତିଙ୍କୁ ପତ୍ର ଦେଇଥିଲେ। ବାଚସ୍ପତି ମଧ୍ୟ ବିଧାନସଭାରେ ତାଙ୍କର ଏହି ଦାବିକୁ ସ୍ୱୀକୃତି ପ୍ରଦାନ କରିଥିଲେ। ବାଚସ୍ପତିଙ୍କ ଏହି ନିଷ୍ପତ୍ତି ବିରୋଧରେ ଶୋଭନଦେବ ଚଟ୍ଟୋପାଧ୍ୟାୟ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। କୋର୍ଟରେ ଶୋଭନଦେବଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ କଲ୍ୟାଣ ବନ୍ଦ୍ୟୋପାଧ୍ୟାୟ ଯୁକ୍ତି ବାଢ଼ିଥିଲେ ଯେ, ଋତବ୍ରତଙ୍କ ନିଯୁକ୍ତି ସମ୍ପୂର୍ଣ୍ଣ ବେଆଇନ। ସେ ବାଚସ୍ପତିଙ୍କ ନିରପେକ୍ଷତା ଉପରେ ପ୍ରଶ୍ନ ଉଠାଇ ଅଭିଯୋଗ କରିଥିଲେ ଯେ ବିଦ୍ରୋହୀ ବିଧାୟକମାନେ ଦଳ ଭାଙ୍ଗିବା ପର୍ଯ୍ୟନ୍ତ ବାଚସ୍ପତି ଜାଣିଶୁଣି ଶୋଭନଦେବଙ୍କ ନିଯୁକ୍ତିକୁ ବିଳମ୍ବ କରିଥିଲେ। ଯୁକ୍ତି ଶୁଣିବା ପରେ ହାଇକୋର୍ଟ ଏହି ଐତିହାସିକ ରାୟ ଦେଇ ଋତବ୍ରତ ବାନାର୍ଜୀଙ୍କ ନିଯୁକ୍ତିକୁ ରଦ୍ଦ କରିଦେଇଛନ୍ତି ।
