Akshara Gupta: ଆସିଗଲେ ଲେଡି ବୈଭବ ଅକ୍ଷରା, ପଡ଼ିଆରେ ଖାଲି ଛକା ଚୌକା ବର୍ଷା କରୁଛନ୍ତି, ରନ ରେକର୍ଡ ଦେଖିଲେ ତାଜୁବ ହେବେ
ପାଟନା: ବିହାରରୁ ଆସିଥିବା ବୈଭବ ସୂର୍ଯ୍ୟବଂଶୀ ମାତ୍ର ୧୫ ବର୍ଷ ବୟସରେ କ୍ରିକେଟ ଜଗତରେ ଯେଉଁ ଚହଳ ପକାଇଛନ୍ତି, ତାକୁ ନେଇ ସାରା ବିଶ୍ୱରେ ଚର୍ଚ୍ଚା। ଆଉ ଏବେ ସେହି ବିହାରରୁ ପୁଣି ଜଣେ ଉଦୀୟମାନେ କ୍ରିକେଟର ସାମ୍ନାକୁ ଆସିଛନ୍ତି, ଯାହାଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଲୋକେ ତାଙ୍କୁ ଲେଡି ବୈଭବ ବୋଲି କହୁଛନ୍ତି। ପଡ଼ିଆକୁ ଓହ୍ଲାଇବା ମାତ୍ରେ ଖାଲି ଛକା ଚୌକା ବର୍ଷା।
ଅକ୍ଷରାଙ୍କ ରେକର୍ଡ ବ୍ୟାଟିଂ
ସଂଯୋଗ ବଶତଃ ଅକ୍ଷରା ଗୁପ୍ତାଙ୍କର ବୟସ ବି ମାତ୍ର ୧୫ ବର୍ଷ। ବିହାରରେ ମହିଳା ଅଣ୍ଡର-୧୯ ଦିନିକିଆ ଟ୍ରଫିରେ ଜବରଦସ୍ତ ବ୍ୟାଟିଂ କରି ଅକ୍ଷରା ମାତ୍ର ୧୨୬ ବଲରେ କରିଛନ୍ତି ୩୦୬ ରନ୍। ତାହା ପୁଣି ଅପରାଜିତ ରହିଛି। ତାଙ୍କର ଏହି ବିସ୍ଫୋରକ ଇନିଂସରେ ଅକ୍ଷରା ୫୫ଟି ଚୌକା ଓ ୮ଟି ଛକା ମାରିଛନ୍ତି। ଆହୁରି ଆଶ୍ଚର୍ଯ୍ୟର କଥା ହେଲା ୨୨୩ ମିନିଟ ପର୍ଯ୍ୟନ୍ତ ପଡ଼ିଆରେ ତିଷ୍ଟି ରହି ସେ ୨୪୨.୮୬ ଷ୍ଟ୍ରାଇକ୍ ରେଟରେ ରନ୍ ବନାଇଛନ୍ତି। ଏଥିରେ ସେ ମାତ୍ର ୧୬ ବଲରେ ଅର୍ଦ୍ଧଶତକ ହାସଲ କରିଥିବା ବେଳେ ୩୪ ବଲରେ ଶତକ ମାରିଥିଲେ।
ଝିଅର ପ୍ରତିଭା ଦେଖି ପରିବାର ସମର୍ଥନ
ନେପାଳ ସୀମାକୁ ଲାଗିଥିବା ବିହାରର ଏକ ଛୋଟ ସହର ରକ୍ସୌଲରୁ ଆସନ୍ତି ଅକ୍ଷରା। ଏହି ସହରରେ ନା ଅଛି କୌଣସି ବଡ଼ କ୍ରିକେଟ ଏକାଡେମୀ, ନା କୌଣସି ଆଧୁନିକ ସୁବିଧା। ଝିଅମାନଙ୍କ ପାଇଁ କ୍ରିକେଟ ଖେଳିବା ପାଇଁ କୌଣସି ପରିବେଶ ନଥିଲା। କୁହନ୍ତି ନା ବଣମଲ୍ଲୀ ଜଙ୍ଗଲରେ ଥିଲେ ବି ବାସ୍ନା ବିଛୁରିତ କରେ। ଅକ୍ଷରାଙ୍କ ଟାଲେଣ୍ଟ ବି ଆଜି ସେହିଭଳି ସାରା ଦେଶର ଦୃଷ୍ଟି ଆକର୍ଷଣ କରିଛି।
ଅକ୍ଷରାଙ୍କ ବାପା ରାଜ କିଶୋର ଶାହଙ୍କର ଏକ ଚିକେନ ସେଣ୍ଟର ଅଛି। ମାଆ ରୀନା ଦେବୀ ଜଣେ ଗୃହିଣୀ। ଝିଅର କ୍ରିକେଟ ପ୍ରତି ଆଗ୍ରହ ଦେଖି ତାଙ୍କ ବାପା ଘର ପଛପଟ ବାଡ଼ିରେ ଏକ ନେଟ୍ ଏବଂ ଅଭ୍ୟାସ ପିଚ୍ ତିଆରି କରିଥିଲେ। ତାଙ୍କ ମାଆ ତାଙ୍କୁ ପ୍ରତିଦିନ ସକାଳ ୫ଟାରେ ଉଠାଇ କ୍ଷୀର ପିଇବାକୁ ଦେଲା ପରେ ଦୌଡ଼ିବାକୁ ପଠାଉଥିଲେ।
ଅକ୍ଷରା ୮ ବର୍ଷ ବୟସରେ ତାଙ୍କ ଭାଇ ଏବଂ ପଡ଼ୋଶୀର ପୁଅମାନଙ୍କ ସହିତ କ୍ରିକେଟ ଖେଳିବା ଆରମ୍ଭ କରିଥିଲେ। କାକା ରାମକୃପା ତାଙ୍କ ପ୍ରତିଭାକୁ ଚିହ୍ନି ପ୍ରତିଦିନ ଥ୍ରୋଡାଉନ୍ କରି ତାଙ୍କୁ ଅଭ୍ୟାସ କରାଇଥିଲେ। ୨୦୨୦ ମସିହାରୁ ନିୟମିତ ତାଲିମ ନେଇଆସୁଛନ୍ତି। ଆଜି ମଧ୍ୟ ଅକ୍ଷରା ପ୍ରତିଦିନ ପ୍ରାୟ ୫ ଘଣ୍ଟା ଅଭ୍ୟାସ କରନ୍ତି।
୧୪ ବର୍ଷରେ ଅଣ୍ଡର-୧୯ରେ ଅଧିନାୟକ, ଓ ବରିଷ୍ଠ ଦଳରେ ସାମିଲ ହେବାର ଗୌରବ
ଅକ୍ଷରାଙ୍କ ସମ୍ପର୍କୀୟ ଭାଇ ରିଷଭ ମଧ୍ୟ ବିହାର କ୍ରିକେଟରେ ଜଡିତ ଅଛନ୍ତି। ସେହି ତାଙ୍କର ପ୍ରଥମ ଆଦର୍ଶ ହୋଇଥିଲେ। ୨୦୨୪ରେ ତାଙ୍କ କ୍ୟାରିୟରରେ ଏକ ମୋଡ଼ ଆସିଥିଲା। ବିହାର ଅଣ୍ଡର-19 ଦଳ ପାଇଁ ମନୋନୀତ ହେବାର କିଛି ସମୟ ପରେ, ତାଙ୍କୁ ମାତ୍ରର ୧୪ ବର୍ଷ ବୟସରେ ଅଧିନାୟକ ଦାୟିତ୍ୱ ଦିଆଯାଇଥିଲା। ସେ ହରିୟାଣା ଏବଂ ପଞ୍ଜାବ ଭଳି ଶକ୍ତିଶାଳୀ ଦଳ ବିପକ୍ଷରେ ଅର୍ଦ୍ଧଶତକ ହାସଲ କରି ନିଜର ନୂଆ ପରିଚୟ ସୃଷ୍ଟି କରିଥିଲେ। ଏଥିପାଇଁ ତାଙ୍କୁ ଫେବୃଆରୀ ୨୦୨୬ରେ ପୁରସ୍କୃତ କରାଯାଇଥିଲା। ୧୪ ବର୍ଷ ବୟସରେ, ତାଙ୍କୁ ବିହାରର ସିନିୟର ମହିଳା ଦଳ ପାଇଁ ଚୟନ କରାଯାଇଥିଲା। ସେ ରାଜ୍ୟ ପାଇଁ ସିନିୟର କ୍ରିକେଟ ଖେଳିଥିବା ସବୁଠାରୁ କମ୍ ବୟସ୍କ ମହିଳା କ୍ରିକେଟର ହୋଇଥିଲେ।
ଗୋଟିଏ ସିଜିନରେ ବିସିସିଆଇର ୪ଟି ଏଜ୍ ଗ୍ରୁପରେ ଖେଳିଲେ, ୧୨୬ ବଲରେ ତ୍ରିଶତକ ମାରିଥିଲେ
ଅକ୍ଷରା ବିହାରର ପ୍ରଥମ ମହିଳା କ୍ରିକେଟର ଭାବରେ ଗୋଟିଏ ସିଜିନରେ ସମସ୍ତ ଚାରୋଟି BCCI ବୟସ-ବର୍ଗରେ ଟୁର୍ନାମେଣ୍ଟ (୧୫ ବର୍ଷରୁ କମ୍, ୧୯ ବର୍ଷରୁ କମ୍ T20, ୧୯ ବର୍ଷରୁ କମ୍ ଦିନିକି, ଏବଂ ୨୩ ବର୍ଷରୁ କମ୍) ଖେଳିସାରିଛନ୍ତି। ଏହାର କିଛି ଦିନ ପରେ, ସେ ଲଗାତାର ଦୁଇଟି ଜବରଦସ୍ତ ଇନିଂସ ଖେଳି ଜାତୀୟ ସ୍ତରରେ ଦୃଷ୍ଟି ଆକର୍ଷଣ କରିଥିଲେ। ଜୁନ୍ ୧୯ ତାରିଖରେ ଭାଗଲପୁରର ସାଣ୍ଡିସ୍ କମ୍ପାଉଣ୍ଡ ଗ୍ରାଉଣ୍ଡରେ ଅନୁଷ୍ଠିତ ବିହାର ମହିଳା ୧୯ ବର୍ଷରୁ କମ୍ ଦିନିକିଆ ଟ୍ରଫି ମ୍ୟାଚ୍ରେ, ଅକ୍ଷରା ୧୨୬ ବଲ୍ରୁ ୫୫ ଚୌକା ଏବଂ ୮ ଛକା ସହାୟତାରେ ଅପରାଜିତ ୩୦୬ ରନ୍ କରିଥିଲେ।
ଏହି ମ୍ୟାଚ୍ରେ ଅକ୍ଷରା ୨୪୨.୮୬ ଷ୍ଟ୍ରାଇକ୍ ରେଟରେ ବ୍ୟାଟିଂ କରି, ସେ ୨୩୩ ମିନିଟ୍ ପାଇଁ କ୍ରିଜରେ ରହିଥିଲେ। ତାଙ୍କର ଏହି ବିସ୍ଫୋରକ ଇନିଂସ ପାଇଁ ତାଙ୍କ ଦଳ ମାତ୍ର ୪୦ ଓଭରରେ ୪୫୦ ରନ୍ ଅତିକ୍ରମ କରିଥିଲା। ହେଲେ ପ୍ରତିପକ୍ଷ ଦଳ ୧୨୧ ରନ୍ରେ ଅଲଆଉଟ୍ ହୋଇଯାଇଥିଲା। ଆଉ ଏହାର ଚାରି ଦିନ ପରେ, ଅକ୍ଷରା ୬୮ ବଲରେ ୨୪ ଚୌକା ଏବଂ ୬ ଛକା ସହିତ ୧୬୪ ରନ୍ କରିଥିଲେ।
ଅକ୍ଷରାଙ୍କୁ କାହିଁକି କରାଯାଉଛି ବୈଭବଙ୍କ ସହ ତୁଳନା
ଅକ୍ଷରା ଓ ବୈଭବ ଉଭୟ ବିହାରରୁ ଆସୁଛନ୍ତି ଓ ଉଭୟ ବାମହାତୀ ବ୍ୟାଟର। ଖେଳ ଶୈଳୀ ବି ପ୍ରାୟ ସମାନ। ଉଭୟ ବ୍ୟାଟର ପ୍ରଥମ ବଲରୁ ହିଁ ଆକ୍ରମଣାତ୍ମକ ଶୈଳୀରେ ଖେଳିବାରେ ବିଶ୍ୱାସ କରନ୍ତି। ଏହି କାରଣରୁ କ୍ରିକେଟ୍ ଜଗତ ଏବଂ ସୋସିଆଲ ମିଡିଆରେ ଅକ୍ଷରାଙ୍କୁ ଲେଡି ବୈଭବ ସୂର୍ଯ୍ୟବଂଶୀ ବୋଲି କୁହାଯାଉଛି। ଅକ୍ଷରାଙ୍କ ପ୍ରିୟ ସଟ୍ ହେଉଛି କଭର ଡ୍ରାଇଭ୍। ସ୍ପିନ୍ ବୋଲରଙ୍କ ବିପକ୍ଷରେ ସେ ସବୁଠାରୁ ଭଲ ପ୍ରଦର୍ଶନ କରିପାରନ୍ତି ବୋଲି କୁହାଯାଉଛି।
ଅକ୍ଷରାଙ୍କ ସବୁଠାରୁ ବଡ଼ ପ୍ରେରଣା ହେଉଛନ୍ତି ସ୍ମୃତି ମନ୍ଧାନା। ତାଙ୍କର ବ୍ୟାଟିଂ, ଟାଇମିଂ ଏବଂ କଭର ଡ୍ରାଇଭକୁ ଅକ୍ଷରା ଖୁବ ପ୍ରଶଂସା କରନ୍ତି। ସେହିଭଳି ବିରାଟ କୋହଲିଙ୍କ ଆକ୍ରମଣାତ୍ମକ ଆଭିମୁଖ୍ୟ ଏବଂ ଫିଟନେସ ମଧ୍ୟ ତାଙ୍କୁ ଭଲ ଲାଗେ। ଅକ୍ଷରା WPL ଏବଂ IPLରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (RCB) ହେଉଛି ତାଙ୍କର ପସନ୍ଦର ଦଳ। ତେବେ ତାଙ୍କରୁ ସବୁଠାରୁ ବଡ଼ ସ୍ୱପ୍ନ ହେଉଛି ଭାରତୀୟ ମହିଳା ଦଳର ଜର୍ସି ପିନ୍ଧିବା। ମାତ୍ର ୧୫ ବର୍ଷ ବୟସରେ ଅକ୍ଷରା ଯେଉଁଭଳି ଭାବେ କ୍ରିକେଟ ଖେଳୁଛନ୍ତି, ଭାରତୀୟ ଦଳରେ ଖେଳିବା ଥୟ, ତେବେ ଏହି କ୍ରିକେଟର ଭାରତୀୟ କ୍ରିକେଟ ପାଇଁ ଅନେକ ରେକର୍ଡ କରିବେ ବୋଲି ଆଶା କରାଯାଉଛି।
