ଭୁବନେଶ୍ୱର : ଜଣେ ଲେଖକ AIର ସହାୟତା ନେଇ ପୁସ୍ତକ ଲେଖିବାରୁ ତାଙ୍କୁ ପୁରସ୍କାର ଦୌଡ଼ରୁ ବାଦ ଦିଆଯାଇଛି । ଯାହାକୁ ନେଇ ସୋସିଆଲ ମିଡିଆରେ ଅନେକ ଚର୍ଚ୍ଚା ହେଉଛି । କାନାଡା ଲେଖକ ଥେଲିସନ୍ ଓରେଲିଅନଙ୍କ ପୁସ୍ତକ ‘ଇଟ୍ ଓ୍ୱାଜ ଇଦର ଦ୍ୟାଟ୍ ଅର ଡାଇ’କୁ ଫ୍ରାନ୍ସର ସର୍ବାଧିକ ପ୍ରତିଷ୍ଠିତ ସାହିତ୍ୟିକ ପୁରସ୍କାର ‘ପ୍ରିକ୍ସ ଗୋନକୋର୍ଟ’ ଦୌଡ଼ରୁ ବାହାର କରି ଦିଆଯାଇଛି। ଉପରୋକ୍ତ ପୁସ୍ତକକୁ ଲେଖିବା ଲାଗି ଓରେଲିଅନ୍ AI ର ସହାୟତା ନେବା ଅଭିଯୋଗ ହୋଇଛି। ଅବଶ୍ୟ ଓରେଲିଅନ୍ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି । କହିଛନ୍ତି, ୨୦୧୭ରେ ସେ ପୁସ୍ତକ ରଚନା ଆରମ୍ଭ କରିଥିଲେ। ୨୦୧୯ରେ ଏହାର ପ୍ରଥମ ଡ୍ରାଫ୍ଟ ପ୍ରସ୍ତୁତ କରିଥିଲେ । ସେତେବେଳେ ଏଆଇ ସାଧାରଣ ଲୋକଙ୍କ ଲାଗି ଉପଲବ୍ଧ ନଥିଲା। ତେବେ ଗୋନକୋର୍ଟ ଏକାଡେମୀ ତାଙ୍କର ଜବାବକୁ ଗ୍ରହଣ କରିନାହିଁ।
ଏକାଡେମୀ ପକ୍ଷରୁ କୁହାଯାଇଛି ଯେ, ଗବେଷକ ଏବଂ ସାମ୍ବାଦିକମାନଙ୍କ ଯାଞ୍ଚରୁ ପୁସ୍ତକର ଏକ ବଡ଼ ଭାଗ ଏଆଇ ସହାୟତାରେ ଲେଖାଯାଇଥିବାର ସଙ୍କେତ ମିଳିଛି। ଏଆଇ ସହାୟତାରେ ପ୍ରସ୍ତୁତ କଣ୍ଟେଣ୍ଟକୁ କୌଣସି ପ୍ରକାର ପ୍ରୋତ୍ସାହନ ଦେବାକୁ ସେମାନେ ଚାହୁଁ ନାହାନ୍ତି ବୋଲି କହିଛନ୍ତି । ତେବେ ଓରେଲିଅନ୍ଙ୍କ ପୁସ୍ତକର ଫରାସୀ ଅନୁବାଦ ଫ୍ରାନ୍ସରେ ବେଶ୍ ଚର୍ଚ୍ଚାରେ ରହିଥିଲା । କିଛି ସପ୍ତାହ ମଧ୍ୟରେ ସେଠାରେ ଏହାର ୫୪ ହଜାରରୁ ଅଧିକ କପି ବିକ୍ରି ହୋଇସାରିଛି। କିନ୍ତୁ ଗତ ସୋମବାର ଏକ ଅଜଣା ସୋସିଆଲ୍ ମିଡିଆ ପୋଷ୍ଟ ଇଣ୍ଟରନେଟରେ ଭାଇରଲ ହୋଇଥିଲା । ଏହା ପରେ ପ୍ରଥମେ ଏହି ପୁସ୍ତକକୁ ନେଇ ବିବାଦ ଆରମ୍ଭ ହୋଇଥିଲା ।
ପରବର୍ତ୍ତୀ ସମୟରେ ଫ୍ରାନ୍ସର ଖବରକାଗଜ ‘ଲେ ଫିଗାରୋ’ର ଲେଖକ ସାମୁଏଲ୍ ପିଟୁସି ସେହି ଆକଉଣ୍ଟ ଚଳାଉଥିବା ସ୍ୱୀକାର କରିଥିଲେ । କିଛି ୟୁଜର ତାଙ୍କୁ ଓରେଲିଅନ୍ଙ୍କ ପୁସ୍ତକକୁ ଯାଞ୍ଚ କରିବାକୁ କହିଥିଲେ । ଏହାପରେ ସେ ଏଆଇ କଣ୍ଟେଣ୍ଟ ଡିଟେକ୍ସନ ସଫ୍ଟୱେର ପାନ୍ଗ୍ରାମ ମାଧ୍ୟମରେ ତାହା କରିଥିବା ପ୍ରକାଶ କରିଥିଲେ । ଯାଞ୍ଚରୁ ପୁସ୍ତକର ଏକ ବଡ଼ ଭାଗ ଏଆଇ ସହାୟତାରେ ଲେଖା ହୋଇଥିବା ନେଇ ଜଣାପଡ଼ିଥିବା ସେ ଦର୍ଶାଇଥିଲେ । ପରବର୍ତ୍ତୀ ସମୟରେ ଆଉ କିଛି ଗବେଷକ ଜିପିଟି ଜିରୋ, ୱି ନଷ୍ଟନ୍ ଏଆଇ ଟୁଲ୍ ମାଧ୍ଯମରେ ପୁସ୍ତକର ଯଞ୍ଚ କରିଥିଲେ । ସେଥିରୁ ପୁସ୍ତକରେ ଏଆଇର ବ୍ୟବହାର ହେବା ନେଇ ଆଶଙ୍କା ପ୍ରକାଶ କରାଯାଇଥିଲା । ଏହାପରେ ଗୋନକୋର୍ଟ ଏକାଡେମୀ ଶୁକ୍ରବାର ଓରେଲିଅନ୍ଙ୍କ ପୁସ୍ତକକୁ ପୁରସ୍କାର ଦୌଡ଼ରୁ ବାଦ୍ ଦେଇଛି।
