ନୂଆଦିଲ୍ଲୀ,୧୩|୦୬:ଟେଷ୍ଟ ମୁକାବିଲାରେ ଆଫଗାନିସ୍ତାନ ବିରୋଧରେ ଦମଦାର ବିଜୟ ହାସଲ କରିଛି ଭାରତ । ଭ୍ରମଣକାରୀ ଟିମକୁ ଟିମ୍ ଇଣ୍ଡିଆ ଗୋଟିଏ ଇନିଂସ ଏବଂ ୩୦୦ ରନରେ ମାତ୍ ଦେଇଛି । ଏବେ ଦଳ ଦିନିକିଆ ସିରିଜ୍ ଉପରେ ଫୋକସ କରିଛି । ଯାହା ଜୁନ ୧୩ ତାରିଖ ଶନିବାରଠାରୁ ଆରମ୍ଭ ହେବ । ହିମାଚଳ ପ୍ରଦେଶର ଧର୍ମଶାଳାରେ ଖେଳାଯିବାକୁ ଥିବା ପ୍ରଥମ ଦିନିକିଆ ପାଇଁ ସ୍ୱତନ୍ତ୍ର ପ୍ଲାନ୍ କରିଛି ମେନ୍ ଇନ୍ ବ୍ଲୁ ।
ଦିନିକିଆ ସିରିଜ୍ ପୂର୍ବରୁ ଭାରତକୁ ଦୁଇଟି ବଡ ଝଟକା ଲାଗିଛି । ପ୍ରଥମେ ବ୍ୟାଟର ବିରାଟ କୋହଲି ଆଘାତ ଜନିତ ସମସ୍ୟା ପାଇଁ ବାଦ୍ ପଡିଛନ୍ତି । ସେହିପରି ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ଫିଟ୍ ନାହାଁନ୍ତି । ତେଣୁ ସମସ୍ତ ଦାୟିତ୍ୱ ଅଧିନାୟକ ଶୁଭମନ ଗିଲଙ୍କ କାନ୍ଧରେ ରହିଛି । ଏପରକି ଚୂଡାନ୍ତ ଏକାଦଶ ବାଛିବା ମଧ୍ୟ କଷ୍ଟକର ହୋଇ ଯାଇଛି ।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ, ଭାରତ ପାଖରେ ଯୁବ ଏବଂ ଅଭିଜ୍ଞ ଖେଳାଳିଙ୍କ ଏକ ମିଶ୍ରଣ ରହିଛି । ତେଣୁ ବିରାଟ ଏବଂ ପାଣ୍ଡ୍ୟାଙ୍କ ଅନୁପସ୍ଥିତିରେ ମଧ୍ୟ ଦଳ ମଜବୁତ ମନେ ହେଉଛି । ଏଠାରେ ରୋହିତ ଶର୍ମା ଏବଂ ଶୁଭମନ ଗିଲଙ୍କ ଯୋଡି ଓପନିଂ କରିପାରନ୍ତି । ଉଭୟ ଦିନିକିଆରେ ଅନ୍ୟତମ ଶ୍ରେଷ୍ଠ ବ୍ୟାଟର ଅଟନ୍ତି ।
ରୋହିତ ନିଜର ଅଭିଜ୍ଞତା ଅନୁସାରେ ଦଳକୁ ଭଲ ଷ୍ଟାର୍ଟ୍ ଦେଇପାରନ୍ତି । ଅଧିନାୟକ ଶୁଭମନ ଏହାକୁ ଆଗକୁ ନେବାକୁ ଲକ୍ଷ୍ୟ ରଖିବେ । ସେହିପରି ବିରାଟଙ୍କ ଜାଗାରେ ଇଶାନ କିଷନଙ୍କୁ ସୁଯୋଗ ମିଳିପାରେ । ସେ ଅନେକ ଥର ତିନି ନମ୍ବର ସ୍ଥାନରେ ଭଲ ବ୍ୟାଟିଂ କରିଛନ୍ତି । ବାମହାତୀ ବ୍ୟାଚର ହୋଇଥିବାରୁ ବ୍ୟାଟିଂ କ୍ରମ ମଧ୍ୟ ଶକ୍ତିଶାଳୀ ରହିବ ।
୪ ନମ୍ବର ସ୍ଥାନରେ ଭାରତ ଶ୍ରେୟସ ଆୟରଙ୍କୁ ଖେଳାଇପାରେ । ତାଙ୍କର ରେକର୍ଡ ଦମଦାର୍ ରହିଛି । କେଏଲ ରାହୁଲ ଓ୍ୱିକେଟ୍ କିପର ବ୍ୟାଟର ଭାବେ ୫ ନମ୍ବର ସ୍ଥାନରେ ଖେଳିବେ । ସେ ଫିନିଶର ଭୂମିକା ଗ୍ରହଣ କରିବେ । ଅନ୍ୟ ଦିଗରେ ହାର୍ଦ୍ଦିକଙ୍କ ଜାଗାରେ ନୀତିଶ କୁମାର ରେଡ୍ଡି ଖେଳିପାରନ୍ତି । ତାଙ୍କ ପାଖରେ ବଡ ସୁଯୋଗ ରହିଛି । ବୋଲର ଭାବେ ଜସପ୍ରିତ ବୁମରା ଏବଂ ମହମ୍ମଦ ସିରାଜଙ୍କ ବଦଳରେ ଦଳ ପ୍ରିନ୍ସ ଯାଦବଙ୍କୁ ସୁଯୋଗ ଦେଇପାରେ ବୋଲି ଅନୁମାନ କରାଯାଉଛି ।
