Voice of Eastern India

ବିଶ୍ୱବ୍ୟାପୀ ମେମୋରୀ ଚିପ୍‌ର ଅଭାବ: ଟିଭି, ଲାପଟପ ଓ ମୋବାଇଲର ଦର ଆଉ କମିବନି, କ’ଣ କହୁଛି ରିପୋର୍ଟ ପଢ଼ନ୍ତୁ


ନୂଆଦିଲ୍ଲୀ: ବିଶ୍ୱବ୍ୟାପୀ ମେମୋରୀ ଚିପର ଅଭାବ ଏବେ ଇଲେକ୍ଟ୍ରୋନିକ୍ ଡିଭାଇସ୍ ମୂଲ୍ୟକୁ ପ୍ରଭାବିତ କରୁଛି। ଯାହା ସ୍ମାର୍ଟଫୋନର ମୂଲ୍ୟ ଆକାଶ ଛୁଆଁ କରିଦେଇଛି। ଟେକ୍ ମାର୍କେଟ୍ ରିସର୍ଚ୍ଚ ଏବଂ ଆନାଲିଟିକ୍ସ କମ୍ପାନୀ ଟେକ୍ଆର୍କର ରିପୋର୍ଟ ଅନୁଯାୟୀ ଅକ୍ଟୋବର ୨୦୨୫ରୁ ଅକ୍ଟୋବର ୨୦୨୬ ମଧ୍ୟରେ ଦେଶରେ ସ୍ମାର୍ଟଫୋନ ମୂଲ୍ୟ ୧୬.୬ ପ୍ରତିଶତ ବୃଦ୍ଧି ପାଇଛି। ତେବେ ଇୟରବଡ୍ସ, ସ୍ମାର୍ଟୱାଚ୍ ଏବଂ ଘରୋଇ ଉପକରଣଗୁଡିକର ମୂଲ୍ୟରେ କିନ୍ତୁ ହ୍ରାସ ଦେଖିବାକୁ ମିଳିଛି।

ଏହି ରିପୋର୍ଟ ପ୍ରସ୍ତୁତ କରିବା ପାଇଁ ଟେକ୍ଆର୍କର ଜାନୁଆରୀ ୨୦୨୫ ରୁ ଅକ୍ଟୋବର ୨୦୨୬ ପର୍ଯ୍ୟନ୍ତ ୧୩ଟି ବର୍ଗରେ ୧୦୯୭ଟି ପ୍ରଡକ୍ଟର ଅନଲାଇନ୍ ମୂଲ୍ୟ ଯାଞ୍ଚ କରାଯାଇଥିଲା। ଏଥିରେ ଜଣାପଡିଛି ଯେ ସ୍ମାର୍ଟଫୋନ୍, ଲାପଟପ୍ ଏବଂ ଟାବଲେଟ୍ ଭଳି ଉଚ୍ଚ-ମେମୋରୀ ପ୍ରଡକ୍ଟଗୁଡ଼ିକର ମୂଲ୍ୟ ପୂର୍ବରୁ ହ୍ରାସ ପାଉଥିଲା କିନ୍ତୁ ଏବେ ଏଥିରେ ତୀବ୍ର ବୃଦ୍ଧି ଘଟିଛି। ଅନ୍ୟପଟେ କମ୍ ମେମୋରୀ ପ୍ରଡକ୍ଟ ଗୁଡ଼ିକର ମୂଲ୍ୟ ହ୍ରାସ ପାଇବା ଜାରି ରହିଛି। ଜାନୁଆରୀ ୨୦୨୫ରୁ ଅକ୍ଟୋବର ମଧ୍ୟରେ ସ୍ମାର୍ଟଫୋନ୍ ମୂଲ୍ୟ ୭.୩ ପ୍ରତିଶତ ହ୍ରାସ ପାଇଥିଲା। ହେଲେ ୨୦୨୬ରେ ଏଥିରେ ବଡ଼ ବୃଦ୍ଧି ଘଟିଛି।

କଣ ହେଲା ମହଙ୍ଗା ?

ରିପୋର୍ଟ ଅନୁଯାୟୀ, ଅକ୍ଟୋବର ୨୦୨୫ ପରେ ୬ଟି ବର୍ଗର ଇଲେକ୍ଟ୍ରୋନିକ୍ସ ପ୍ରଡକ୍ଟର ଦାମ୍ କମିବା ପରିବର୍ତ୍ତେ ବଢ଼ୁଥିବା ଦେଖିବାକୁ ମିଳିଛି। ଏହି ସମୟ ମଧ୍ୟରେ ଲାପଟପର ଦାମ୍ ୧୩.୫ ପ୍ରତିଶତ, ଟାବଲେଟ୍‌ରେ ୧୩.୩ ପ୍ରତିଶତ, ସ୍ମାର୍ଟ ଟିଭିର ୬.୭ ପ୍ରତିଶତ, ସିକ୍ୟୁରିଟି କ୍ୟାମେରାର ୫.୬ ପ୍ରତିଶତ ଏବଂ ରାଉଟରର ଦାମ୍ ୩.୯ ପ୍ରତିଶତ ବୃଦ୍ଧି ପାଇଛି।

ଅନ୍ୟପକ୍ଷରେ, ୭ଟି ବର୍ଗର ଉତ୍ପାଦର ଦାମ୍ ହ୍ରାସ ପାଇଛି। ଜାନୁଆରୀରୁ ଅକ୍ଟୋବର ୨୦୨୬ ମଧ୍ୟରେ ୱାୟାରଲେସ୍ ଇୟରବଡ୍ସର ଦାମ୍ ସର୍ବାଧିକ ୧୬.୩ ପ୍ରତିଶତ ହ୍ରାସ ପାଇଛି। ସେହିପରି ରୋବୋଟ୍ ଭାକ୍ୟୁମ୍ କ୍ଲିନର୍ର ଦାମ୍ ୧୨.୮ ପ୍ରତିଶତ ଏବଂ ଏୟାର ପ୍ୟୁରିଫାୟର୍ର ଦାମ୍ ୧୦ ପ୍ରତିଶତ କମିଛି।

ରିପୋର୍ଟରେ କୁହାଯାଇଛି ଯେ, ସବୁଠାରୁ ଅଧିକ ପ୍ରଭାବ କମ୍ ଦାମର ଉତ୍ପାଦ କିଣୁଥିବା ଗ୍ରାହକଙ୍କ ଉପରେ ପଡ଼ିଛି। ୧୨,୦୦୦ ଟଙ୍କା ପର୍ଯ୍ୟନ୍ତ ଦାମ୍ର ସ୍ମାର୍ଟଫୋନର ମୂଲ୍ୟ ହାରାହାରି ୨୧.୯ ପ୍ରତିଶତ ବଢ଼ିଥିବା ବେଳେ ଏକ ଲକ୍ଷ ଟଙ୍କାରୁ ଅଧିକ ଦାମ୍ର ଫୋନର ମୂଲ୍ୟ ୫.୭ ପ୍ରତିଶତ ହ୍ରାସ ପାଇଛି।

ବଜାରରେ ଦୁଇ ପ୍ରକାର ପ୍ରଭାବ

ରିପୋର୍ଟ ଅନୁଯାୟୀ, ସବୁଠାରୁ କମ୍ ଦାମର ଏକ-ତୃତୀୟାଂଶ ଲାପଟପ୍ର ମୂଲ୍ୟ ୨୦.୧ ପ୍ରତିଶତ ଏବଂ ଟାବଲେଟର ମୂଲ୍ୟ ୨୭.୫ ପ୍ରତିଶତ ବୃଦ୍ଧି ପାଇଛି। ମେମୋରି ଚିପର ଦାମ୍ ବଢ଼ିବା ଯୋଗୁ ଭାରତର ଇଲେକ୍ଟ୍ରୋନିକ୍ସ କମ୍ପୋନେଣ୍ଟ୍ ବଜାର ଉପରେ ଦୁଇ ପ୍ରକାର ପ୍ରଭାବ ପକାଉଛି। ବିଶେଷକରି କମ୍ ଦାମ୍ର ସ୍ମାର୍ଟଫୋନ୍, ଲାପଟପ୍ ଏବଂ ଟାବଲେଟ୍ କିଣୁଥିବା ଗ୍ରାହକଙ୍କୁ ଦର ବୃଦ୍ଧିର ଅଧିକ ବୋଝ ଉଠାଇବାକୁ ପଡ଼ୁଛି ବୋଲି ଟେକ୍ଆର୍କର ମୁଖ୍ୟ ବିଶ୍ଳେଷକ ତଥା ସହ-ପ୍ରତିଷ୍ଠାତା ଫୈସଲ କାୱୁସା କହିଛନ୍ତି।

ବିଶ୍ୱସ୍ତରରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ଭିତ୍ତିଭୂମିର ବିସ୍ତାର ଯୋଗୁଁ ମେମୋରି ଚିପ୍ର ଚାହିଦା ଓ ମୂଲ୍ୟ ବଢ଼ୁଛି। ତେଣୁ ଏଭଳି ପରିସ୍ଥିତି ଦେଖା ଦେଇଛି ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ, ଇୟରବଡ୍ସ, ସ୍ମାର୍ଟୱାଚ୍ ଏବଂ ଏୟାର ଫ୍ରାୟର୍ ଭଳି ଉତ୍ପାଦରେ ବଜାର ପ୍ରତିଯୋଗିତା ଯୋଗୁ ଦାମ୍ ହ୍ରାସ ପାଉଛି।

୨୦୨୭ ପର୍ଯ୍ୟନ୍ତ ଜାରି ରହିପାରେ ମହଙ୍ଗା ମାଡ଼

ଫୈସଲ କାୱୁସାଙ୍କ କହିବା ଅନୁଯାୟୀ, ୨୦୨୭ ପର୍ଯ୍ୟନ୍ତ ଏହି ପାର୍ଥକ୍ୟ ଜାରି ରହିପାରେ। ସେତେବେଳେ ଦର ବୃଦ୍ଧିର ଗତି ମନ୍ଥର ହୋଇପାରେ, କିନ୍ତୁ ଦାମ୍ ହ୍ରାସ ହେବାର ସମ୍ଭାବନା କମ୍। ରିପୋର୍ଟ ଅନୁଯାୟୀ ସ୍ମାର୍ଟଫୋନ୍ ୩ରୁ ୨୨ ପ୍ରତିଶତ ପର୍ଯ୍ୟନ୍ତ ମହଙ୍ଗା ହୋଇଛି। ବଡ଼ ବ୍ରାଣ୍ଡଗୁଡ଼ିକ ନିଜ ଉତ୍ପାଦର ଦାମ୍ ପ୍ରାୟତଃ ସ୍ଥିର ରଖିଥିବା ବେଳେ କମ୍ ଦାମ୍ର ବ୍ରାଣ୍ଡଗୁଡ଼ିକ ମୂଲ୍ୟ ବୃଦ୍ଧି କରିଛନ୍ତି।

ଅକ୍ଟୋବର ୨୦୨୫ରୁ ଅକ୍ଟୋବର ୨୦୨୬ ମଧ୍ୟରେ ବିଭିନ୍ନ ବ୍ରାଣ୍ଡର ସ୍ମାର୍ଟଫୋନ୍ ମୂଲ୍ୟରେ ହୋଇଥିବା ପରିବର୍ତ୍ତନ

ସାମସଙ୍ଗ ସ୍ମାର୍ଟଫୋନ ଦାମ୍ ୩.୭ ପ୍ରତିଶତ ବଢ଼ିଛି।

ଗୁଗୁଲ ଫୋନ ଦାମ୍ ୦.୩ ପ୍ରତିଶତ ବଢ଼ିଛି।

ନଥିଂ (Nothing) ଫୋନର ଦାମ୍ ୨୨.୧ ପ୍ରତିଶତ ବଢ଼ିଛି।

ରିଅଲମି (Realme) ଫୋନର ଦାମ୍ ୧୯.୧ ପ୍ରତିଶତ ବଢ଼ିଛି।

ଏଆଇ ପ୍ଲସ୍ (AI+) ଫୋନର ଦାମ୍ ୧୭.୩ ପ୍ରତିଶତ ବଢ଼ିଛି।

ସ୍ମାର୍ଟ ଟିଭି ବଜାରରେ ଶାଓମି, ସୋନି, ସାମସଙ୍ଗ୍ ଏବଂ ଏଲ୍ଜି ଭଳି ବ୍ରାଣ୍ଡ ନିଜ ଉତ୍ପାଦର ଦାମ୍ ହ୍ରାସ କରିଛନ୍ତି। ଅନ୍ୟପକ୍ଷରେ, କମ୍ ଦାମର ଟିଭି ବ୍ରାଣ୍ଡଗୁଡ଼ିକ ପ୍ରାୟ ୮ରୁ ୧୩ ପ୍ରତିଶତ ପର୍ଯ୍ୟନ୍ତ ମୂଲ୍ୟ ବୃଦ୍ଧି କରିଛନ୍ତି।



Source link

Leave A Reply

Your email address will not be published.