ନୂଆଦିଲ୍ଲୀ: ଆମେରିକାର ନୌସେନା ଅବରୋଧକୁ ୧୩୭ ଦିନ ପୂରଣ ହୋଇଥିବା ବେଳେ ଇରାନର ଅର୍ଥନୀତି ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଛି। ଆର୍ଥିକ ଅବରୋଧ ପ୍ରତ୍ୟକ୍ଷ ମିସାଇଲ୍ ଆକ୍ରମଣ ଓ ଧ୍ୱଂସଲୀଳାଠାରୁ ମଧ୍ୟ ଅଧିକ ଭୟଙ୍କର ବୋଲି ତେହେରାନ ସ୍ୱୀକାର କରିଛି। ଆମେରିକାର କଡ଼ା ଅବରୋଧ ଯୋଗୁଁ ଇରାନ ତୈଳ ରପ୍ତାନୀ କରିପାରୁ ନାହିଁ । ଫଳରେ ଦେଶର ରାଜସ୍ୱ ଓ ବୈଦେଶିକ ମୁଦ୍ରା ଭଣ୍ଡାର ଖାଲି ହୋଇଗଲାଣି । ସେପଟେ ଆମେରିକା ଏବେ ସ୍ଥଳପଥ ଦେଇ ହେଉଥିବା ବାଣିଜ୍ୟ ଉପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି।
ଇରାନରେ ସ୍ଥିତି ଅସମ୍ଭାଳ
ରାଜକୋଷକୁ ଅର୍ଥ ଆସୁନଥିବାରୁ ଇରାନ ସରକାର ଖାଦ୍ୟ, ଇନ୍ଧନ ଏବଂ ବିଦ୍ୟୁତ୍ ଉପରୁ ସବସିଡି କାଟିବାକୁ ବାଧ୍ୟ ହୋଇଛନ୍ତି । ଫଳରେ ସରକାରୀ କର୍ମଚାରୀ ଓ ପେନସନଭୋଗୀମାନେ ଦରମା ପାଇପାରୁ ନାହାନ୍ତି। ଅନ୍ୟପଟେ, ମୁଦ୍ରାସ୍ଫୀତି ପ୍ରାୟ ୯୦ ପ୍ରତିଶତ ପାଖାପାଖି ପହଞ୍ଚିଥିବା ବେଳେ ଇରାନୀ ମୁଦ୍ରା ‘ରିଆଲ’ର ମୂଲ୍ୟ ସର୍ବନିମ୍ନ ସ୍ତରକୁ ଖସିଯାଇଛି । ଡଲାର ପିଛା ରିଆଲର ମୂଲ୍ୟ ୨.୯୯ ନିୟୁତରେ ପହଞ୍ଚିଛି।
‘ୱାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲ୍’ର ରିପୋର୍ଟ ଅନୁଯାୟୀ, ଜାତୀୟ ଟେଲିଭିଜନରେ ସମ୍ବୋଧିତ କରି ରାଷ୍ଟ୍ରପତି ମସୁଦ ପେଜେସ୍କିଆନ୍ ଦେଶର ପରିସ୍ଥିତି ଜଟିଳ ବୋଲି ସ୍ବୀକାର କରିଛନ୍ତି । ଅତି ଅସହାୟ ଭାବରେ ସେ କହିଛନ୍ତି ଯେ, ସରକାରଙ୍କ ପାଖରେ ଆଦୌ ଟଙ୍କା ନାହିଁ। ଇରାନ ବର୍ତ୍ତମାନ ଏକ ନିରବ ଅର୍ଥନୈତିକ ଯୁଦ୍ଧର ସମ୍ମୁଖୀନ ହେଉଛି । ଏହା ମିସାଇଲ୍ ମାଡ଼ ଓ ବିନାଶଠାରୁ ମଧ୍ୟ ବହୁତ କଷ୍ଟକର।
ତେଜିଲାଣି ବିଦ୍ରୋହ
ବିଦ୍ୟୁତ୍ କମ୍ପାନୀ ପକ୍ଷରୁ ବିଭିନ୍ନ ଅଞ୍ଚଳରେ ପାୱାର କଟ୍ କରାଯାଉଥିବା ବେଳେ ଦେଶର ୩୧ଟି ପ୍ରଦେଶ ମଧ୍ୟରୁ ୭ଟି ପ୍ରଦେଶରେ ଶସ୍ତା ଅଟା ଓ ରୁଟି ଯୋଗାଣକୁ ବନ୍ଦ କରିଦିଆଯାଇଛି। ଯୁଦ୍ଧ ସମୟରେ ଦେଶର ଶକ୍ତି ଭିତ୍ତିଭୂମି କ୍ଷତିଗ୍ରସ୍ତ ହୋଇଥିବାରୁ ଆଗାମୀ ଶୀତ ଦିନରେ ଇନ୍ଧନ ଓ ହିଟିଂ ସମସ୍ୟା ଆହୁରି ଉତ୍କଟ ହେବ ବୋଲି ସଂସଦର ଅର୍ଥନୈତିକ କମିଶନ ମୁଖ୍ୟ ଚେତାବନୀ ଦେଇଛନ୍ତି। ଅଟା ଅଭାବକୁ ନେଇ ପଶ୍ଚିମ ଜଞ୍ଜାନ ପ୍ରଦେଶ ସମେତ ବିଭିନ୍ନ ସ୍ଥାନରେ ବେକେରୀ ମାଲିକମାନେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି । ଅବସରପ୍ରାପ୍ତ କର୍ମଚାରୀ ଏବଂ ଶ୍ରମିକ ସଂଗଠନଗୁଡ଼ିକ ମଧ୍ୟ ସରକାର ବିରୋଧୀ ନାରା ଦେଇ ରାସ୍ତାକୁ ଓହ୍ଲାଇଛନ୍ତି।
ବର୍ତ୍ତମାନର ଏହି ଜନଅସନ୍ତୋଷ ଜାନୁଆରୀ ମାସର ବିଦ୍ରୋହ ଭଳି ଏତେ ବ୍ୟାପକ ନୁହେଁ । ଏହା ଶାସନ ଗାଦି ପାଇଁ ତୁରନ୍ତ ବିପଦ ସୃଷ୍ଟି କରିବ ନାହିଁ। ତେଣୁ ବର୍ତ୍ତମାନ ପାଇଁ ଜୀବନଧାରଣ ମାନକୁ ନେଇ ହେଉଥିବା ବିକ୍ଷୋଭକୁ ପ୍ରଶାସନ ଅନୁମତି ଦେଉଛି। ମୁଦ୍ରାସ୍ଫୀତି ଯୋଗୁଁ ଲୋକଙ୍କ ଦରମା ଚଳିବା ପାଇଁ ନିଅଣ୍ଟ ହେଉଥିବାରୁ ସେମାନେ ଦାବି ଉଠାଇବା ସ୍ୱାଭାବିକ। ଅନ୍ୟପଟେ, ଗତ ମାସରେ ଆମେରିକା ସେଣ୍ଟ୍ରାଲ୍ କମାଣ୍ଡ ମୁଖ୍ୟ ଆଡମିରାଲ୍ ବ୍ରାଡ୍ କୁପର ସୂଚନା ଦେଇଥିଲେ ଯେ, ଏହି ନୌସେନା ଅବରୋଧ ଯୋଗୁଁ ଇରାନ ଅତି କମରେ ୨୫ ବିଲିୟନ ଡଲାର ମୂଲ୍ୟର ଅଶୋଧିତ ତୈଳ ରପ୍ତାନୀ କରିପାରି ନାହିଁ ।
ଏହି ଅର୍ଥନୈତିକ ଚାପ ଇରାନର ସାମରିକ ବାହିନୀ ତଥା ଇସଲାମିକ୍ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ (IRGC) ଉପରେ ମଧ୍ୟ ସିଧାସଳଖ ପ୍ରଭାବ ପକାଇଛି। ଶକ୍ତି, ନିର୍ମାଣ ଏବଂ ସୁରକ୍ଷା କ୍ଷେତ୍ରର କର୍ମଚାରୀଙ୍କ ଦରମା ଓ ଭତ୍ତା ବନ୍ଦ ରହିଥିବା ବେଳେ ଆଞ୍ଚଳିକ ସଶସ୍ତ୍ର ଗୋଷ୍ଠୀଗୁଡ଼ିକ ନିଜ ସୈନିକଙ୍କ ଦରମା କାଟି ଆଇଆରଜିସିକୁ ଅର୍ଥ ପଠାଉଥିବା ରିପୋର୍ଟ ମିଳିଛି। ଅବରୋଧ ଭାଙ୍ଗିବାକୁ ଚେଷ୍ଟା କରୁଥିବା ଜାହାଜଗୁଡ଼ିକ ଉପରେ ଆମେରିକା କଡ଼ା ନଜର ରଖିଛି । ଆମେରିକାର ଅବରୋଧ ଯୋଗୁଁ ଇରାନ୍ରେ ସାଧାରଣ ଜନତାଙ୍କ ଚଳିବା ମୁସକିଲ ହୋଇପଡ଼ିଛି। ଆଗୁକୁ ସ୍ଥିତି ଆହୁରି ସଙ୍ଗୀନ ହୋଇପାରେ ବୋଲି କୁହାଯାଉଛି ।
