ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ସୀମା ପୁନଃନିର୍ଦ୍ଧାରଣ ପ୍ରକ୍ରିୟାକୁ ନେଇ ବିଜେପିର ଉଦ୍ଦେଶ୍ୟ ଉପରେ ପ୍ରଶ୍ନ ଉଠାଇଛନ୍ତି କଂଗ୍ରେସ ସାଂସଦ ଶଶୀ ଥରୁର । ଏହି ପଦକ୍ଷେପ ଦେଶର ହିତ ପାଇଁ ନା ରାଜନୈତିକ ସ୍ୱାର୍ଥ ହାସଲ ପାଇଁ ତାହା ଉପରେ ସେ ସନ୍ଦେହ ପ୍ରକାଶ କରିଛନ୍ତି ।
ଝାଡ଼ଖଣ୍ଡର ଜାମସେଦପୁରଠାରେ ଏକ କାର୍ଯ୍ୟକ୍ରମରେ ଗଣମାଧ୍ୟମ ସହ କଥା ହୋଇ ଶଶୀ ଥରୁର କହିଛନ୍ତି ଯେ, କେନ୍ଦ୍ର ସରକାରଙ୍କ ସୀମା ନିର୍ଦ୍ଧାରଣ ବିଲ୍ ଦୂରଦୃଷ୍ଟିହୀନ ଚିନ୍ତାଧାରାର ପରିଚୟ ଦେଉଛି । ସେ କହିଛନ୍ତି, “ସରକାରଙ୍କ ଚିନ୍ତାଧାରା ମୁଁ ବୁଝିପାରୁନାହିଁ । ଏହା କ’ଣ ଦୂରଦୃଷ୍ଟିହୀନ ଚିନ୍ତାଧାରା ? ସେମାନେ କ’ଣ ନିଜର ରାଜନୈତିକ ସ୍ୱାର୍ଥ ପାଇଁ ଏହା କରୁଛନ୍ତି, ନା ଦେଶର ମଙ୍ଗଳ କଥା ଚିନ୍ତା କରୁଛନ୍ତି ? ଦେଶର ହିତ ପାଇଁ ୮୧୫ ଜଣ ସାଂସଦଙ୍କୁ ନେଇ ଲୋକସଭା ଠିକ୍ ଭାବେ କାର୍ଯ୍ୟ କରିପାରିବ କି ? ଲୋକଙ୍କୁ କଥା କହିବାକୁ ସୁଯୋଗ ମିଳିବ କି ? ଆଲୋଚନା ହୋଇପାରିବ କି ? ଏପରିକି ବର୍ତ୍ତମାନ ୫୪୦ ଜଣ ସାଂସଦଙ୍କୁ ନେଇ ମଧ୍ୟ ସଂସଦ ଠିକ୍ ଭାବେ କାର୍ଯ୍ୟ କରିବା କଷ୍ଟକର ହେଉଛି ।”
Jamshedpur, Jharkhand: On the Delimitation Bill, Congress MP Shashi Tharoor says, “I am unable to understand the government’s thinking on this issue. Is this short-term thinking? Are they doing this with their political ambitions in mind, rather than thinking about the welfare of the country?…Will a Lok Sabha with 815 MPs actually function effectively? …”
— IANS (@ians_india) November 28, 2026
କେବଳ ତାଳି ମାରିବାକୁ ଆସିବେ ଅନେକ ସାଂସଦ !
କଂଗ୍ରେସ ସାଂସଦ କହିଛନ୍ତି ଯେ ବର୍ତ୍ତମାନ ସାଂସଦମାନେ ମନ୍ତ୍ରୀଙ୍କୁ ପ୍ରଶ୍ନ ପଚାରିବା, ନିଜ ନିର୍ବାଚନମଣ୍ଡଳୀର ସମସ୍ୟା ଉଠାଇବା ଏବଂ ଶୂନ୍ୟକାଳରେ ନିଜ ମତ ରଖିବା ପାଇଁ ପର୍ଯ୍ୟାପ୍ତ ସୁଯୋଗ ପାଉନାହାନ୍ତି । ଏଭଳି ସ୍ଥିତିରେ ଲୋକସଭାର ସଦସ୍ୟ ସଂଖ୍ୟା ୮୧୫କୁ ବୃଦ୍ଧି ପାଇଲେ ଅନେକ ସାଂସଦ କେବଳ ତାଳି ମାରିବା ପାଇଁ ଆସିବେ ବୋଲି ସେ କଟାକ୍ଷ କରିଛନ୍ତି ।
ତାଙ୍କ ମତରେ, ସଂସଦୀୟ ଗଣତନ୍ତ୍ରରେ ସରକାରଙ୍କୁ ଉତ୍ତରଦାୟୀ କରିବା ପାଇଁ ଏକ ସୁଦୃଢ଼ ସଂସ୍ଥାର ଆବଶ୍ୟକତା ରହିଛି । କିନ୍ତୁ ସାଂସଦଙ୍କ ସଂଖ୍ୟା ଏତେ ବଢ଼ିଲେ ସଂସଦରେ ଅର୍ଥପୂର୍ଣ୍ଣ ଆଲୋଚନା ଓ ଉତ୍ତରଦାୟିତ୍ୱ ପ୍ରଭାବିତ ହେବ । ସେ ଆହୁରି ଅଭିଯୋଗ କରିଛନ୍ତି ଯେ, ନିର୍ବାଚନମଣ୍ଡଳୀର ସୀମା ନିର୍ଦ୍ଧାରଣ ପଛରେ ଶାସକ ଦଳର ରାଜନୈତିକ ଫାଇଦା ହାସଲ କରିବାର ଉଦ୍ଦେଶ୍ୟ ରହିଛି ।
