କୋଣାର୍କ ୨୪।୧୧: ନିଜର କୌଳିକ ବୃତ୍ତି ଓ ପାରମ୍ପରିକ ଅଧିକାରର ସୁରକ୍ଷା ଦାବିରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି କୋଣାର୍କ ନବଗ୍ରହ ମନ୍ଦିରର ସେବାୟତ। ଦୀର୍ଘଦିନ ଧରି ଦାବି ଜଣାଇବା ସତ୍ତ୍ୱେ ପ୍ରଶାସନିକ ସ୍ତରରେ କୌଣସି ସମାଧାନର ବାଟ ଫିଟିନଥିବା ଅଭିଯୋଗ କରି ଆଜି ଭୋର ୪ଟା ୩୦ରୁ ମନ୍ଦିର ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଗଣଧାରଣାରେ ବସିଛନ୍ତି ସେବାୟତମାନେ। ଦାବି ପୂରଣ ନହେବା ପର୍ଯ୍ୟନ୍ତ ଅନିର୍ଦ୍ଦିଷ୍ଟ କାଳ ଯାଏଁ ଧାରଣା ଜାରି ରହିବ ବୋଲି ସେବାୟତ ସଂଘ ପକ୍ଷରୁ କୁହାଯାଇଛି।
ନିଜର ପାରମ୍ପରିକ ଅଧିକାର, କୌଳିକ ବୃତ୍ତି ଓ ଧାର୍ମିକ ପରମ୍ପରାର ସୁରକ୍ଷା ଦାବିରେ ଏକାଠି ହୋଇଛନ୍ତି ସେବାୟତ। ବାରମ୍ବାର ପ୍ରଶାସନକୁ ଅବଗତ କରାଇବା ପରେ ମଧ୍ୟ କୌଣସି ସୁଫଳ ମିଳିନଥିବା ସେମାନେ ଅଭିଯୋଗ କରିଛନ୍ତି। ସେବାୟତ ସଂଘର ଏହି ନିଷ୍ପତ୍ତି ଯୋଗୁଁ ମନ୍ଦିରରେ ପୂଜାର୍ଚ୍ଚନା ବନ୍ଦ ରହିଥିବାରୁ ଦର୍ଶନ ପାଇଁ ଆସିଥିବା ଶହ ଶହ ଭକ୍ତ ନିରାଶ ହୋଇ ଫେରୁଛନ୍ତି। ବିନା ପୂଜାର୍ଚ୍ଚନାରେ ମନ୍ଦିରରୁ ଫେରିବାକୁ ପଡ଼ୁଥିବାରୁ ଭକ୍ତଙ୍କ ମଧ୍ୟରେ ନିରାଶା ଦେଖିବାକୁ ମିଳିଛି।
ସେବାୟତଙ୍କ କହିବା ଅନୁଯାୟୀ, ଦାବି ପୂରଣ ନହେବା ଯାଏଁ ଆନ୍ଦୋଳନ ଜାରି ରହିବ। ଅନ୍ୟପଟେ ନବଗ୍ରହ ମନ୍ଦିର ଇତିହାସରେ ଏଭଳି ଘଟଣା ପ୍ରଥମ ବୋଲି କୁହାଯାଉଥିବାବେଳେ ପ୍ରଶାସନର ପରବର୍ତ୍ତୀ ପଦକ୍ଷେପ ଉପରେ ସମସ୍ତଙ୍କ ନଜର ରହିଛି।
