ଭୁବନେଶ୍ୱର ୨୩।୧୧ : ଅଢ଼େଇ ବର୍ଷରେ ଭିଜିଲାନ୍ସ ଜାଲରେ ଫସିଲେଣି ୭୦୬ ସରକାରୀ ଅଧିକାରୀ ଓ କର୍ମଚାରୀ। ଦୁର୍ନୀତି ବିରୋଧରେ ଭିଜିଲାନ୍ସର କାର୍ଯ୍ୟାନୁଷ୍ଠାନର ଏହି ଚିତ୍ର ବିଧାନସଭାରେ ରଖିଛନ୍ତି ମୁଖ୍ୟମନ୍ତ୍ରୀ। ମୋଟ ୫୨୫ଟି ମାମଲାରେ ୭୦୬ ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଛି।
ମୁଖ୍ୟମନ୍ତ୍ରୀଙ୍କ ଲିଖିତ ଉତ୍ତର ଅନୁସାରେ, ଏହି ସମୟ ମଧ୍ୟରେ ୧୪୧ଟି ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲା, ୨୩୭ଟି ଲାଞ୍ଚ ମାମଲା ଏବଂ ୧୪୭ଟି ଅର୍ଥ ଆତ୍ମସାତ୍ ମାମଲା ରୁଜୁ କରିଛି ଭିଜିଲାନ୍ସ। ଏହି ସବୁ ମାମଲାରେ ସମ୍ପୃକ୍ତ ୭୦୬ ଜଣଙ୍କ ମଧ୍ୟରେ ୧୩୫ ଜଣ ପ୍ରଥମ ଶ୍ରେଣୀ ଅଧିକାରୀ, ୧୧୪ ଜଣ ଦ୍ୱିତୀୟ ଶ୍ରେଣୀ ଅଧିକାରୀ, ୩୮୪ ଜଣ ତୃତୀୟ ଶ୍ରେଣୀ କର୍ମଚାରୀ, ୧୪ ଜଣ ଚତୁର୍ଥ ଶ୍ରେଣୀ କର୍ମଚାରୀ ଏବଂ ୫୯ ଜଣ ଅନ୍ୟ ଲୋକସେବକ ରହିଛନ୍ତି।
Also Read:-ମାର୍ଚ୍ଚ ୨୦୨୭ ସୁଦ୍ଧା ଓଡ଼ିଶାର ପ୍ରତି ଗାଁରେ ପହଞ୍ଚିବ ଇଣ୍ଟରନେଟ୍, ଖର୍ଚ୍ଚ ହେବ ୩୩୮୪ କୋଟି
ସେହିପରି ଭିଜିଲାନ୍ସର ୫୨୫ଟି ମାମଲାରେ ମୋଟ ୫୫୦ ଜଣଙ୍କୁ ଗିରଫ କରାଯାଇଛି। ଏମାନଙ୍କ ମଧ୍ୟରୁ ୨୪୬ ଜଣ ସରକାରୀ ଅଧିକାରୀ ଓ କର୍ମଚାରୀ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ରାଜ୍ୟରେ ଦୁର୍ନୀତି ବିରୋଧରେ ଭିଜିଲାନ୍ସର ଏହି କାର୍ଯ୍ୟାନୁଷ୍ଠାନ ସଂଖ୍ୟା ବିଧାନସଭାରେ ସାମ୍ନାକୁ ଆସିବା ପରେ ସରକାରୀ ବ୍ୟବସ୍ଥାରେ ସ୍ୱଚ୍ଛତା ଓ ଦୁର୍ନୀତି ନିୟନ୍ତ୍ରଣ ପ୍ରସଙ୍ଗ ପୁଣି ଚର୍ଚ୍ଚାକୁ ଆସିଛି।
