Voice of Eastern India

ଦୁଃଖ ଦେଇଗଲା ବାତ୍ୟା ଅକଭାନ୍ : ଚାଷ ଜମିରେ ପାଣି, ଭାଙ୍ଗିଗଲା ଆଳୁଚାଷୀଙ୍କ ମେରୁଦଣ୍ଡ


ଜି ଉଦୟଗିରି, ୨୨।୧୧ : ବାତ୍ୟା ପରେ ବାତ୍ୟା ଓ ଲଗାଣ ବର୍ଷା ଚାଷୀଙ୍କ ଦୁଃଖକୁ ଦ୍ୱିଗୁଣିତ କରିଦେଇଛି। ପ୍ରଥମେ ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଅଞ୍ଚଳରେ ପ୍ରବଳ ବର୍ଷା ଓ ଭୂସ୍ଖଳନ ଲୋକଙ୍କୁ ଭୟଭୀତ କରିଥିବା ବେଳେ ଏବେ ପୁଣି ଅକଭାନ ପ୍ରଭାବରେ ଲଗାଣ ବର୍ଷା ଚାଷୀଙ୍କ ଚିନ୍ତା ବଢ଼ାଇ ଦେଇଛି। ବର୍ଷା ଯୋଗୁଁ ବିଭିନ୍ନ କ୍ଷେତରେ ପାଣି ଜମି ରହିବାରୁ ପରିବା ଚାଷ ସମ୍ପୂର୍ଣ୍ଣ ଉଜୁଡ଼ି ଯାଇଛି। ଫଳରେ ଋଣ କରି ଚାଷ କରିଥିବା ଚାଷୀମାନେ ଏବେ ମୁଣ୍ଡରେ ହାତ ଦେଇ ବସିଛନ୍ତି ।

କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ବ୍ଲକର ପ୍ରାୟ ସମସ୍ତ ପଞ୍ଚାୟତରେ ଲଗାଣ ବର୍ଷାର ପ୍ରଭାବ ଚାଷ ଉପରେ ପଡ଼ିଥିବା ଦେଖିବାକୁ ମିଳିଛି। ବିଶେଷ କରି ଆଳୁ ଚାଷ କରିଥିବା ଚାଷୀମାନେ ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି। ଯେଉଁ ଫସଲକୁ ନେଇ ଚାଷୀମାନେ ଭଲ ରୋଜଗାରର ଆଶା ରଖିଥିଲେ, ତାହା ଏବେ ବର୍ଷା ପାଣିରେ ନଷ୍ଟ ହେବାକୁ ବସିଛି। ଗ୍ରେସିଙ୍ଗିଆ ପଞ୍ଚାୟତ ଚାଷୀ ଅନଙ୍ଗ ପ୍ରଧାନଙ୍କ ସମେତ ଅନ୍ୟ କେତେକ ଚାଷୀ ବିଭିନ୍ନ ଜମିରେ ଆଳୁ ଚାଷ କରିଥିଲେ। ଭଲ ଅମଳ ହେବା ସହ ଆର୍ଥିକ ଲାଭ ମିଳିବ ବୋଲି ସେମାନେ ଆଶା ରଖିଥିଲେ। କିନ୍ତୁ ଲଗାତାର ବର୍ଷା ହେବାରୁ ଆଳୁ ଜମିରେ ପାଣି ଜମି ରହିଥିଲା। ଫଳରେ ଆଳୁ ଫସଲ ନଷ୍ଟ ହୋଇଯାଇଥିବା ଚାଷୀମାନେ ପ୍ରକାଶ କରିଛନ୍ତି।

Also Read :- ବଙ୍ଗୋପସାଗରରେ ପୁଣି ଲଘୁଚାପ : ନେଇପାରେ ଘୂର୍ଣ୍ଣିବଳୟର ରୂପ, ୧୯୮୭ରେ ଆସିଥିଲା ଏମିତି ମହା ବିପଦ !

ଚାଷୀମାନଙ୍କ କହିବା ଅନୁଯାୟୀ, ଆଳୁ ବିହନ କିଣିବାଠାରୁ ଆରମ୍ଭ କରି ଜମି ପ୍ରସ୍ତୁତି ଓ ଚାଷ କାର୍ଯ୍ୟ ପାଇଁ ସେମାନେ ଋଣ କରି ଟଙ୍କା ଖର୍ଚ୍ଚ କରିଥିଲେ। ଚାଷ ଉପରେ ସେମାନଙ୍କ ପରିବାରର ଆର୍ଥିକ ଭରସା ରହିଥିଲା। ହେଲେ ଅମଳ ପୂର୍ବରୁ ଲଗାଣ ବର୍ଷା ସବୁ ଆଶାକୁ ଧୂଳିସାତ୍ କରିଦେଇଛି। ଏବେ ଫସଲ ନଷ୍ଟ ହେବା ସହ ଋଣ କିପରି ପରିଶୋଧ କରିବେ, ସେହି ଚିନ୍ତା ଚାଷୀଙ୍କୁ ଘାରିଛି। ଗୋଟିଏ ପଟେ ଭୂସ୍ଖଳନ ଓ ରାସ୍ତାଘାଟ କ୍ଷତିଗ୍ରସ୍ତ ହେବା ଭଳି ସମସ୍ୟା ଅଞ୍ଚଳବାସୀଙ୍କୁ ଚିନ୍ତାରେ ପକାଇଥିବା ବେଳେ ଅନ୍ୟପଟେ ଚାଷ ନଷ୍ଟ ହେବା ଚାଷୀଙ୍କ ଆର୍ଥିକ ମେରୁଦଣ୍ଡକୁ ଦୋହଲାଇ ଦେଇଛି।

ପ୍ରାକୃତିକ ବିପର୍ଯ୍ୟୟର ଲଗାତାର ପ୍ରଭାବରେ ଚାଷୀମାନେ ଏବେ ଦୁର୍ଦ୍ଦିନ ଦେଇ ଗତି କରୁଛନ୍ତି। ଏଭଳି ପରିସ୍ଥିତିରେ କୃଷି ବିଭାଗ ଓ ସ୍ଥାନୀୟ ପ୍ରଶାସନ ପକ୍ଷରୁ କ୍ଷତିଗ୍ରସ୍ତ ଚାଷ ଜମିର ତୁରନ୍ତ କ୍ଷୟକ୍ଷତି ଆକଳନ କରିବା ସହ କ୍ଷତିଗ୍ରସ୍ତ ଚାଷୀଙ୍କୁ ଚିହ୍ନଟ କରିବା ଆବଶ୍ୟକ ହୋଇପଡ଼ିଛି। ପୂର୍ବ ବାତ୍ୟାରେ ବହୁ ଆଳୁ ଗଛ ନଷ୍ଟ ହୋଇଥିଲା ଏହି ବାତ୍ୟା ଯାହାଥିଲା ତାକୁ ବି ନଷ୍ଟ କରିଦେଇଛି ।



Source link

Leave A Reply

Your email address will not be published.