ପୁରୀ: ବଡ଼ଦାଣ୍ଡରେ ନିଶାଖୋର ଯୁବକଙ୍କୁ ମାଡ଼ି ବସିଲେ ପୁରୀ ଏସପି । ଖୁଲମଖୁଲା ପୁରୀ ବଡ଼ଦାଣ୍ଡରେ ନିଶା ସେବନ ତଥା ଗଞ୍ଜେଇ ଟାଣୁଥିବା ବେଳେ ତିନିଜଣ ଅସାମାଜିକ ଯୁବକଙ୍କୁ ଧରିଲେ ପୁରୀ ଏସପି ପ୍ରତୀକ ସିଂ । ବଳଗଣ୍ଡି ଛକ ନିକଟରେ ଘଟିଛି ଏଭଳି ଘଟଣା । ନିଶା ଖାଉଥିବା ତିନି ଯୁବକଙ୍କୁ ପୁରୀ ଏସପି ପଚରାଉଚୁରା କରିବା ସହ ପିସିଆର ଯୋଗେ ତାଙ୍କୁ ଥାନାକୁ ନେଇଛି ପୋଲିସ । କୁମ୍ଭାରପଡ଼ା ଥାନା ପୋଲିସ ତିନି ଯୁବକଙ୍କୁ ଅଟକ ରଖି ପଚରାଉଚରା କରୁଛି । ଅଟକ ତିନି ଯୁବକଙ୍କ ପରିଚୟ ମିଳିପାରିନାହିଁ।
ପୁରୀ ଏସପିଙ୍କ ଏଭଳି ଆକ୍ସନକୁ ଦେଖି ବଳଗଣ୍ଡି ଛକରେ ପ୍ରବଳ ଭିଡ଼ ହୋଇଥିଲା । ଏସପିଙ୍କ ଏଭଳି କାର୍ଯ୍ୟକୁ ପ୍ରଶଂସା କରିଛନ୍ତି ଉପସ୍ଥିତ ଲୋକ । ସୂଚନା ଅନୁଯାୟୀ ଆଜି ସନ୍ଧ୍ୟାରେ ପୁରୀ ଏସପି ପ୍ରତୀକ ସିଂ ବଡ଼ଦାଣ୍ଡରେ ଯାଉଥିବା ସମୟରେ ତିନିଜଣ ଯୁବକ ଗଞ୍ଜେଇ ଟାଣି ରାସ୍ତାରେ ଯାଉଥିବା ଦେଖିଥିଲେ । ଗାଡ଼ିରୁ ତୁରନ୍ତ ଓହ୍ଲାଇ ତିନି ଯୁବକଙ୍କୁ ଧରିବା ସହ ସେମାନଙ୍କୁ ପଚରାଉଚରା କରିଥିଲେ । ଯୁବକଙ୍କ ନିକଟରୁ ବିଭିନ୍ନ ନିଶାଦ୍ରବ୍ୟ ମଧ୍ୟ ଜବତ କରିଥିଲେ । ପିସିଆର ଟିମ୍ ଘଟଣାସ୍ଥଳରେ ପହଞ୍ଚି ତିନି ଯୁବକଙ୍କୁ ନେଇ ଥାନାରେ ଜିମା ଦେଇଛନ୍ତି । ତେବେ ପୁରୀ ଭଳି ଏକ ଧାର୍ମିକ ତଥା ପର୍ଯ୍ୟଟନ ସ୍ଥଳୀରେ ନିଶା ଯୋଗୁଁ ଅପରାଧ ବଢ଼ି ଚାଲିଛି । ନିଶା ସେବନ କରି ବିଭିନ୍ନ ଅପରାଧୀକ କାର୍ଯ୍ୟକଳାପରେ ଲିପ୍ତ ରହୁଛନ୍ତି ଯୁବପିଢି । ଆଗକୁ ପାର୍ବଣ ଆସୁଥିବାରୁ ପର୍ଯ୍ୟଟକ ତଥା ପୁରୀ ସହରବାସୀଙ୍କ ସୁରକ୍ଷା ଉପରେ ପୋଲିସ ଗୁରୁତ୍ୱ ଦେଇ ବିଭିନ୍ନ ସ୍ଥାନରେ ଚଢାଉ କରୁଛି । ତେବେ ପୁରୀ ଏସପିଙ୍କ ଭଳି ବିଭିନ୍ନ ଥାନାର ଅଧିକାରୀ ଓ କର୍ମଚାରୀ ଯଦି ଏଭଳି କାର୍ଯ୍ୟ କରନ୍ତି ତେବେ ସହର ତଥା ଜିଲ୍ଲାରେ ଆଇନଶୃଙ୍ଖଳା ରକ୍ଷା ହୋଇପାରିବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।
