Voice of Eastern India

ରୋହିତଙ୍କୁ ଭେଟିବାକୁ ସାଇକେଲରେ ଅନୁଗୋଳରୁ ମୁମ୍ବାଇ : କୁଣ୍ଢାଇ ପକାଇଲେ ହିଟମ୍ୟାନ୍, ମାଗିଲେ ଫୋନ୍ ପେ’ ନମ୍ବର, କିନ୍ତୁ…


ଅନୁଗୋଳ, ୨୦/୦୮ : ନିଜର ପ୍ରିୟ କ୍ରିକେଟରଙ୍କୁ ଭେଟିବାକୁ ଅନୁଗୋଳରୁ ମୁମ୍ବାଇ ଯାତ୍ରା । ତାହା ପୁଣି ସାଇକେଲରେ । ୧୫ ଦିନରେ ପ୍ରାୟ ୧୯୦୦ କିଲୋମିଟର ଯାତ୍ରା କରି ଭାରତୀୟ କ୍ରିକେଟର୍ ରୋହିତ ଶର୍ମାଙ୍କୁ ଭେଟିଛନ୍ତି ଅନୁଗୋଳର ଯୁବକ ସୁନିଲ୍ ରାଉତ। ହିଟମ୍ୟାନ୍ ଭାବେ ପରିଚିତ ରୋହିତଙ୍କ ଏହି ଖାଣ୍ଟି ପ୍ରଶଂସକଙ୍କୁ ନେଇ ଏବେ ସବୁଠି ଚର୍ଚ୍ଚା। ରୋହିତଙ୍କୁ ସାକ୍ଷାତ ବେଳର ଭିଡିଓ ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହେଉଛି । ରୋହିତଙ୍କୁ ସେ ପ୍ରଭୁ ଶ୍ରୀଜଗନ୍ନାଥ ଓ ରାଧାକୃଷ୍ଣଙ୍କ ପ୍ରତିମା, ରୋହିତ ଓ ତାଙ୍କ ପତ୍ନୀଙ୍କ ଏକ ଫଟୋ ସାଙ୍ଗକୁ ଉତ୍ତରୀୟ ପ୍ରଦାନ କରିଥିଲେ । ରୋହିତ ତାଙ୍କୁ କୁଣ୍ଢାଇ ଦେବା କ୍ଷଣି ସବୁ କଷ୍ଟ ସତେ ଯେମିତି ଉଭାନ ହୋଇଯାଇଥିଲା। ଆଲିଙ୍ଗନ ବେଳର ମୁହୂର୍ତ୍ତ ସାରା ଜୀବନ ସ୍ମରଣୀୟ ହୋଇ ରହିବ ବୋଲି ସୁନିଲ୍ ଭାବବିହ୍ବଳ କଣ୍ଠରେ ପ୍ରକାଶ କରିଛନ୍ତି।

ସୁନିଲଙ୍କ ଘର ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ୍ ତୁବେ ପଞ୍ଚାୟତର କୁଲେଇ ଗ୍ରାମରେ । ୨୨ ବର୍ଷୀୟ ସୁନିଲ୍ ସ୍ଥାନୀୟ ଏକ ପ୍ଲାଣ୍ଡ୍ରେ କ୍ରେନ୍ ଅପରେଟର ଭାବେ କାମ କରନ୍ତି। କ୍ରିକେଟ ଖେଳ ପ୍ରତି ରୁଚି ରଖିଥିବା ସୁନିଲ୍ ହେଉଛନ୍ତି ରୋହିତଙ୍କ ବଡ଼ ପ୍ରଶଂସକ। ତାଙ୍କୁ ଭେଟିବାର ନିଶା ତାଙ୍କୁ ଶୁଆଇ ଦେଇନଥିଲା। ରୋହିତଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ସେ ଗତ ଜୁଲାଇ ୩୦ ତାରିଖରୁ ଗାଁ’ରୁ ସାଇକେଲରେ ଯାତ୍ରା ଆରମ୍ଭ କରିଥିଲେ।

Also Read :- ଓଡ଼ିଶାରେ ଆସିବ ବଡ଼ ଭୂମିକମ୍ପ ! ଥରିବ ଗଞ୍ଜାମରୁ ବାଲେଶ୍ୱର, ବଙ୍ଗୋପସାଗରରେ ହେଲାଣି ହଲଚଲ…IIT କଲା ସତର୍କ

ସୁନିଲଙ୍କ କହିବା କଥା, ଦୈନିକ ୧୨ ଘଣ୍ଟା ସାଇକେଲିଂ କରି ୧୩ ତାରିଖରେ ପହଞ୍ଚିଥିଲେ ମୁମ୍ବାଇ ସ୍ଥିତ ରୋହିତଙ୍କ ଘର ସାମ୍ନାରେ । ଦିନକୁ ସର୍ବାଧିକ ୧୭୦ କିଲୋମିଟର ସାଇକେଲ୍ ଚଳାଇଥିବା ସୁନିଲ୍ ପେଟ୍ରୋଲ୍ ଟାଙ୍କିରେ ଶୋଉଥିଲେ, ଢାବାରେ ଖାଉଥିଲେ। ଖାଦ୍ୟ ମହଙ୍ଗା ଥିବାରୁ ଏହି ଯାତ୍ରାରେ ତାଙ୍କର ପ୍ରାୟ ୪୦ରୁ ୪୫ ହଜାର ଟଙ୍କା ଖର୍ଚ୍ଚ ହୋଇଯାଇଥିଲା । ରୋହିତଙ୍କ ଘର ସାମ୍ନାରେ ପହଞ୍ଚିବା ପରେ ସୁରକ୍ଷାକର୍ମୀଙ୍କ ଠାରୁ ସେ ଲଣ୍ଡନ ଯାଇଥିବା ଶୁଣିଥିଲେ । ରୋହିତ ପ୍ରାୟ ୬ ମାସ ପରେ ଫେରିବେ ବୋଲି ଜଣେ ସୁରକ୍ଷାକର୍ମୀ କହିଥିଲେ। ଯେହେତୁ ଏତେ କଷ୍ଟରେ ଯାତ୍ରା କରିଛନ୍ତି, ଯେତେ ଦିନ ହେଉ ପଛେ ରୋହିତଙ୍କୁ ଭେଟି ସେ ଘରକୁ ଫେରିବେ ବୋଲି ମନସ୍ଥ କରିଥିଲେ।

ରୋହିତଙ୍କ ପ୍ରତି ତାଙ୍କ ପାଗଳ ପ୍ରାୟ ଭଲ ପାଇବା ଦେଖି ରୋହିତ ଅଗଷ୍ଟ ୧୫ ତାରିଖ ଦିନ ପହଞ୍ଚିବେ ବୋଲି ଅନ୍ୟ ଜଣେ ସୁରକ୍ଷାକର୍ମୀ ଆଶ୍ବାସନା ଦେଇ କହିଥିଲେ। ଏମିତିକି ପାଖ ହୋଟେଲରେ ରହିବାର ବ୍ୟବସ୍ଥା ମଧ୍ୟ କରାଇଥିଲେ । ମାତ୍ର ସୁନିଲ୍ ତାଙ୍କ ଫାଟକ ସାମ୍ନାରେ ଦିନରାତି ଅପେକ୍ଷା କରିଥିଲେ। ୧୩ ତାରିଖ ରାତିରେ ଗେଟ୍ ନିକଟରେ ଶୋଇଥିଲେ। ୧୫ ତାରିଖ ଦିନ ନିଜର ପ୍ରିୟ କ୍ରିକେଟରଙ୍କୁ ଭେଟିବାର ସ୍ୱପ୍ନ ତାଙ୍କୁ ୧୪ ତାରିଖ ରାତିରେ ଆଦୌ ଶୁଆଇ ଦେଇନଥିଲା । ରାତି ତମାମ୍ ସେ ଚେଇଁ ରହିଥିଲେ। ୧୫ ତାରିଖ ଦିନ ଅପରାହ୍ନ ପ୍ରାୟ ୩ଟା ବେଳକୁ ପହଞ୍ଚିଥିଲେ ରୋହିତ୍। ଅଗଣାରେ ଓହ୍ଲାଇ ସେ ଆଉ ଘର ଭିତରକୁ ଯାଇନଥିଲେ। ସୁରକ୍ଷାକର୍ମୀଙ୍କ ହାତରେ ସୁନିଲଙ୍କୁ ଡକାଇଥିଲେ। ସୁନିଲ୍ ତାଙ୍କ ପାଖରେ ପହଞ୍ଚି ପାଦ ଛୁଇଁବାକୁ ଚେଷ୍ଟା କଲା ବେଳକୁ ରୋହିତ୍ ତାଙ୍କୁ ବାରଣ କରି କୁଣ୍ଢାଇ ପକାଇଥିଲେ। ଯାହାକି ତାଙ୍କର ସବୁ ଯନ୍ତ୍ରଣାକୁ ଲାଘବ କରିଦେଲା ବୋଲି ସୁନିଲ୍ ପ୍ରକାଶ କରିଛନ୍ତି।

ସୁନିଲ୍ କହିଛତି, ସେ ଓଡ଼ିଶାରୁ ସାଇକଲରେ ଆସିଥିବା ଜାଣି ରୋହିତଙ୍କ ମୁହଁରୁ ବାଃ ବାଃ ବାହାରି ଆସିଥିଲା। ପ୍ରାୟ ଅଧଘଣ୍ଟା ତାଙ୍କ ସହିତ ବିତାଇଥିଲେ । ରାସ୍ତାରେ କୌଣସି ସମସ୍ୟା ହୋଇନି ତ ବୋଲି ପଚାରିଥିଲେ। ରୋହିତଙ୍କ ସହିତ ଭେଟ ହେବ କି ନାହିଁ ଦ୍ୱନ୍ଦ୍ବରେ ଥିବା ସୁନିଲଙ୍କୁ କୋଟିନିଧି ମିଳିବା ଭଳି ଅନୁଭବ ହୋଇଥିଲା। ରୋହିତଙ୍କୁ ଉପହାର ଦେଇ ଫେରିବା ସମୟରେ ତାଙ୍କ ମ୍ୟାନେଜର ତାଙ୍କୁ ଅପେକ୍ଷା କରିବାକୁ କହିଥିଲେ। କିଛି ସମୟ ପରେ ତାଙ୍କୁ ଫୋନ୍ ପେ’ ନମ୍ବର ମାଗିଥିଲେ। ମାତ୍ର ଟଙ୍କା ଲୋଡ଼ାନାହିଁ, ରୋହିତଙ୍କୁ ଭେଟିବା ହିଁ ବଡ଼ ଉପହାର ବୋଲି କହି ସୁନିଲ୍ ପ୍ରତ୍ୟାବର୍ତ୍ତନ କରିଛନ୍ତି। ରୋହିତଙ୍କ ସହ ବିତାଇଥିବା ସେହି ୩୦ ମିନିଟ୍କୁ ଶବ୍ଦରେ ବର୍ଣ୍ଣନା କରିବା ସମ୍ଭବ ନୁହେଁ ବୋଲି କହିଛନ୍ତି ସୁନିଲ୍ । ସେ ଟ୍ରକ୍ ଯୋଗେ ଓଡ଼ିଶା ଫେରୁଥିବା ପ୍ରକାଶ କରିଛନ୍ତି।



Source link

Leave A Reply

Your email address will not be published.