ତାଇୱାନ ଓ ଦକ୍ଷିଣ କୋରିଆ ପରେ ଏବେ ଇଣ୍ଡୋନେସିଆ ବି ଭାରତକୁ ପଛରେ ପକାଇଲା; ଏସିଆର ଲିଷ୍ଟ ପ୍ରିଫର୍ଡ ମାର୍କେଟ୍ ହେଲା ଭାରତୀୟ ଷ୍ଟକ୍ ମାର୍କେଟ୍
ନୂଆଦିଲ୍ଲୀ: ଲୋକଙ୍କ ପସନ୍ଦର ଷ୍ଟକ୍ ମାର୍କେଟ୍ରେ ରେସ୍ରେ ଇଣ୍ଡୋନେସିଆ ଠାରୁ ପଛରେ ପଡ଼ିଲା ଭାରତ। ଏସିଆର ସବୁଠାରୁ ‘ଲିଷ୍ଟ-ପ୍ରିଫର୍ଡ’ ବା କମ୍ ପସନ୍ଦ କରାଯାଉଥିବା ବଜାର ହୋଇଛି ଭାରତୀୟ ଷ୍ଟକ୍ ମାର୍କେଟ୍। ବ୍ୟାଙ୍କ ଅଫ୍ ଆମେରିକାର ଫଣ୍ଡ ମ୍ୟାନେଜର ସର୍ଭେରେ ଏହି ଚିନ୍ତାଜନକ ଚିତ୍ର ସାମ୍ନାକୁ ଆସିଛି। ଏଆଇ କ୍ଷେତ୍ରରେ ସ୍ପଷ୍ଟ ଭୂମିକାର ଅଭାବ, ଧିମା ଅର୍ଥନୈତିକ ବୃଦ୍ଧି, ସଂସ୍କାରର ଅଭାବ ଓ ଉଚ୍ଚ ଭାଲ୍ୟୁଏସନ ନେଇ ନିବେଶକଙ୍କ ମଧ୍ୟରେ ଚିନ୍ତା ବଢ଼ୁଛି। ତେବେ କାହିଁକି ଭାରତୀୟ ବଜାରକୁ ନେଇ ଏତେ ସତର୍କ ହେଉଛନ୍ତି ବିଦେଶୀ ନିବେଶକ? ପଢ଼ନ୍ତୁ ଏହି ରିପୋର୍ଟ।
ଭାରତ ଉପରେ ନିବେଶକଙ୍କ ଭରସା କମୁଛି। ଏସିଆର ଶେୟାର ବଜାରରେ ଭାରତକୁ ନେଇ ନିବେଶକଙ୍କ ମନୋଭାବ ଏବେ ନକାରାତ୍ମକ ରହିଥିବା ଦେଖାଯାଉଛି। ବ୍ୟାଙ୍କ ଅଫ୍ ଆମେରିକାର ସର୍ଭେ ଅନୁସାରେ, ୩୨ ପ୍ରତିଶତ ଫଣ୍ଡ ମ୍ୟାନେଜର ଭାରତୀୟ ବଜାରରେ ‘ନେଟ୍ ଅଣ୍ଡରୱେଟ୍’ ରହିଛନ୍ତି। ଅର୍ଥାତ୍, ନିବେଶକମାନେ ଭାରତୀୟ ସେୟାର ବଜାରରେ ନିଜ ପୋର୍ଟଫୋଲିଓର ଅପେକ୍ଷାକୃତ କମ୍ ଅଂଶ ରଖିବାକୁ ପସନ୍ଦ କରୁଛନ୍ତି। ଭାରତୀୟ ଇକ୍ୱିଟି ଉପରେ ନିବେଶକଙ୍କ ଏତେ ସତର୍କତାର ମୁଖ୍ୟତଃ ୪ଟି କାରଣ ରହିଛି।
ପ୍ରଥମ କାରଣ ହେଉଛି AIରେ ସ୍ପଷ୍ଟ ସମ୍ଭାବନା ନାହିଁ। ବିଶ୍ୱରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ନିବେଶକୁ ନୂଆ ଗତି ଦେଉଥିବା ବେଳେ ଭାରତୀୟ ବଜାରରେ ଏହାର ସିଧାସଳଖ ଲାଭକୁ ନେଇ ନିବେଶକମାନେ ସ୍ପଷ୍ଟ ନୁହନ୍ତି। ସେହିପରି ଅନ୍ୟକାରଣଗୁଡ଼ିକ ହେଲା ଅର୍ଥନୈତିକ ବୃଦ୍ଧି ଧିମା ହେବାର ଆଶଙ୍କା, ଆବଶ୍ୟକ ସଂସ୍କାର ନେଇ ଚିନ୍ତା ଓ ଭାରତୀୟ ସେୟାରର ଉଚ୍ଚ ଭାଲୁଏସନ୍। ଅର୍ଥାତ୍, ଦାମ ଅଧିକ, କିନ୍ତୁ ଭବିଷ୍ୟତର ରିଟର୍ଣ୍ଣକୁ ନେଇ ନିବେଶକଙ୍କ ଭରସା ସେହି ଅନୁପାତରେ ନାହିଁ। ଏସବୁ କାରଣ ନିବେଶଙ୍କୁ ଦ୍ୱନ୍ଦ୍ୱରେ ପକାଉଛି।
Also Read- ଚାକିରିର ପଦବୀ ଓ ଦରମା ମଧ୍ୟରେ ବଢୁଛି ଅସଙ୍ଗତି: ୬୦% ପେସାଦାରଙ୍କ ମତରେ ଟାଇଟଲ୍ ଅନୁଯାୟୀ ମିଳୁନି ଦରମା
ଅନ୍ୟପଟେ ଭାରତର ବିପରୀତ ଚିତ୍ର ଇଣ୍ଡୋନେସିଆରେ ଦେଖିବାକୁ ମିଳିଛି। ଜୁଲାଇରେ ୩୨ ପ୍ରତିଶତ ଫଣ୍ଡ ମ୍ୟାନେଜର ଇଣ୍ଡୋନେସିଆକୁ ନେଟ୍ ଅଣ୍ଡରୱେଟ୍ କରିଥିଲେ। ଏବେ ଏହା ୨୭ ପ୍ରତିଶତକୁ ଖସିଛି। ନିବେଶକମାନେ ଇଣ୍ଡୋନେସିଆ ଷ୍ଟକ୍ ମାର୍କେଟ୍ ପ୍ରତି ଡଳିବା ହିଁ ସ୍ଥିତିରେ ସୁଧାରଣ ଆଣିଛି। ଏପଟେ ଭାରତୀୟ ବଜାରର ଫଣ୍ଡାମେଣ୍ଟାଲ୍ରେ କିଛି ସକାରାତ୍ମକ ସଙ୍କେତ ଥିଲେ ମଧ୍ୟ ବଜାରରେ ଚାପ ରହିଛି। ବେଞ୍ଚମାର୍କ Nifty 50 ସାମ୍ପ୍ରତିକ ମାର୍ଚ୍ଚ ନିମ୍ନସ୍ତରରୁ ପ୍ରାୟ ୮ ପ୍ରତିଶତ ଉପରକୁ ଉଠିଛି। କିନ୍ତୁ ବର୍ଷ ଆରମ୍ଭରୁ ଏହା ପ୍ରାୟ ୮ ପ୍ରତିଶତ ତଳେ ରହିଛି। ଏହାକୁ ନେଇ ଭାରତୀୟ ବଜାର ଏସିଆର ପ୍ରମୁଖ ବଜାରଗୁଡ଼ିକ ମଧ୍ୟରେ ଦ୍ୱିତୀୟ ସର୍ବନିମ୍ନ ପ୍ରଦର୍ଶନକାରୀ ବଜାର ହୋଇଛି।
ତେବେ ଏହି ନକାରାତ୍ମକ ମନୋଭାବ ମଧ୍ୟରେ ଏକ ସକାରାତ୍ମକ ଦିଗ ମଧ୍ୟ ରହିଛି। ଚଳିତ ତ୍ରୈମାସିକରେ ବିଦେଶୀ ନିବେଶକମାନେ ଭାରତୀୟ ସେୟାରରେ ୪ ବିଲିୟନ୍ ଡଲାରରୁ ଅଧିକ ନିବେଶ କରିଛନ୍ତି। ଏହା ଏସିଆର ଉଦୀୟମାନ ବଜାରଗୁଡ଼ିକ ମଧ୍ୟରେ ସର୍ବାଧିକ। ସେହିପରି Nifty 50ର କମ୍ପାନୀଗୁଡ଼ିକର ଲାଭ ମଧ୍ୟ ଗତ ବର୍ଷ ତୁଳନାରେ ୧୮ ପ୍ରତିଶତ ବଢ଼ିଛି। ଅର୍ଥାତ୍, ଗୋଟିଏ ପଟେ କମ୍ପାନୀର ଆୟ ବଢ଼ୁଛି, ବିଦେଶୀ ଟଙ୍କା ମଧ୍ୟ ଫେରୁଛି। କିନ୍ତୁ ଅନ୍ୟପଟେ ଉଚ୍ଚ ଭାଲୁଏସନ୍, ଧିମା ବୃଦ୍ଧି ଓ ବିଶ୍ୱ ଅର୍ଥନୈତିକ ଅନିଶ୍ଚିତତା ନିବେଶକ ଅଧିକ ସତର୍କତା ଅବଲମ୍ବନ କରୁଛି।
