ନୂଆଦିଲ୍ଲୀ: ଭାରତ ବିପକ୍ଷ ପ୍ରଥମ ଗାଲେ ଟେଷ୍ଟରେ ୧୬୫ ରନ୍ର ଶୋଚନୀୟ ପରାଜୟ ବରଣ କରିବା ପରେ ଆୟୋଜକ ଶ୍ରୀଲଙ୍କା କ୍ରିକେଟ୍ ଦଳକୁ ଲାଗିଛି ଟ୍ରିପଲ ଝଟକା। ଅଗଷ୍ଟ ୨୩ରୁ ଆରମ୍ଭ ହେବାକୁ ଯାଉଥିବା ସିରିଜ୍ର ଦ୍ୱିତୀୟ ତଥା ନିର୍ଣ୍ଣାୟକ ଟେଷ୍ଟ ମ୍ୟାଚ୍ ପୂର୍ବରୁ ଦଳର ୩ ଜଣ ଅଭିଜ୍ଞ ତଥା ପ୍ରମୁଖ ଖେଳାଳି ବାଦ୍ ପଡ଼ିବା ଦଳର ଚିନ୍ତାକୁ ବଢାଇ ଦେଇଛି।
ଶ୍ରୀଲଙ୍କା ଦଳର ମୁଖ୍ୟ କୋଚ୍ ଗ୍ୟାରୀ କର୍ଷ୍ଟେନ୍ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ଷ୍ଟାର୍ ବ୍ୟାଟର ଦିନେଶ ଚାନ୍ଦିମାଲ ଆଗାମୀ ଟେଷ୍ଟ ପାଇଁ ଉପଲବ୍ଧ ହେବେ ନାହିଁ। ପ୍ରଥମ ଟେଷ୍ଟରେ ଫିଲ୍ଡିଂ କରୁଥିବା ସମୟରେ ଚାନ୍ଦିମାଲଙ୍କ ମୁଣ୍ଡ ଓ ବେକରେ ଗମ୍ଭୀର ଆଘାତ ଲାଗିଥିଲା, ଯାହା ପରେ ତାଙ୍କ ସ୍ଥାନରେ ପାସିନ୍ଦୁ ସୂର୍ଯ୍ୟବଣ୍ଡାରାଙ୍କୁ ‘କନ୍କସନ୍ ସବ୍ଷ୍ଟିଚ୍ୟୁଟ୍’ ଭାବେ ଟେଷ୍ଟ ପଦାର୍ପଣର ସୁଯୋଗ ମିଳିଥିଲା।
ଚାନ୍ଦିମାଲଙ୍କ ବ୍ୟତୀତ ଦଳର ଅନ୍ୟତମ ପ୍ରମୁଖ ବ୍ୟାଟର କୁସଲ ମେଣ୍ଡିସ ହ୍ୟାମ ଷ୍ଟ୍ରିଙ୍ଗ ଆଘାତ ଯୋଗୁଁ ଏବଂ ଓପନର ପଥୁମ ନିସାଙ୍କା ହାତ କବଜାରେ ଆଘାତ ସମସ୍ୟା ଯୋଗୁଁ ସିରିଜରୁ ବାହାରେ ଅଛନ୍ତି। କୋଚ୍ କର୍ଷ୍ଟେନଙ୍କ ଅନୁଯାୟୀ, ଗୋଟିଏ ସାଙ୍ଗରେ ୩ ଜଣ ଅଭିଜ୍ଞ ଖେଳାଳିଙ୍କୁ ହରାଇବା ଦଳ ପାଇଁ ବଡ଼ କ୍ଷତି ହୋଇଥିଲେ ହେଁ, ଏହା ଯୁବ ଖେଳାଳିମାନଙ୍କ ପାଇଁ ନିଜର ଦକ୍ଷତା ପ୍ରମାଣିତ କରିବାର ସୁଯୋଗ ଆଣିଦେଇଛି।
Also read: ପାକିସ୍ତାନକୁ ବିଶ୍ୱକପରୁ ବିଦା କଲା ଭାରତ, ୫-୩ ଗୋଲରେ ଦମଦାର ବିଜୟ
ସୂଚନାଯୋଗ୍ୟ, ଗାଲେରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ଭାରତୀୟ ଦଳ ସମ୍ପୂର୍ଣ୍ଣ ଦବଦବା ବଜାୟ ରଖିଥିଲା। ଭାରତୀୟ ଦଳ ପ୍ରଥମ ପାରୀରେ ଦେବଦତ୍ତ ପଡିକ୍କଲଙ୍କ ଦମଦାର ୧୬୭ ରନର ଶତକୀୟ ଇଂନିସ ବଳରେ ୪୬୨ ରନ୍ ସଂଗ୍ରହ କରିଥିଲା। ଜବାବରେ ଶ୍ରୀଲଙ୍କା ତା’ର ପ୍ରଥମ ଇନିଂସରେ ମାତ୍ର ୨୮୪ ରନ୍ରେ ଅଲ୍ଆଉଟ୍ ହୋଇଯାଇଥିଲା, ଯେଉଁଥିରେ ଭାରତୀୟ ସ୍ପିନର ମାନବ ସୁଥାର ସର୍ବାଧିକ ୪ଟି ୱିକେଟ୍ ଅକ୍ତିଆର କରିଥିଲେ।
ଭାରତ ଦ୍ୱିତୀୟ ପାଳିରେ ୧୯୩ ରନ୍ ସଂଗ୍ରହ କରି ଶ୍ରୀଲଙ୍କା ସମ୍ମୁଖରେ ୩୭୨ ରନର ବୃହତ୍ ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା। ଜବାବରେ ଶ୍ରୀଲଙ୍କା ଦଳର ଦ୍ୱିତୀୟ ଇନିଂସରେ ମାତ୍ର ୨୦୬ ରନ୍ରେ ସୀମିତ ରହିଥିଲା। ଫଳରେ ଭାରତ ୧୬୫ ରନରେ ଏକ ନିର୍ଣ୍ଣାୟକ ବିଜୟ ହାସଲ କରି ସିରିଜରେ ୧-୦ରେ ଆଗୁଆ ରହିଛି।
