Voice of Eastern India

Hockey World Cup: ହକି ବିଶ୍ୱକପ୍‌ରେ ଭାରତୀୟ ମହିଳା ଦଳର କମାଲ: ଅଲିମ୍ପିକ ରୌପ୍ୟ ବିଜେତା ଚୀନ୍‌କୁ ୨-୨ ରୋକିଲା, ମ୍ୟାଚ୍ ଡ୍ର


ଆମଷ୍ଟେଲଭିନ: ହକି ବିଶ୍ୱକପ୍‌ରେ ଜବରଦସ୍ତ ଢଙ୍ଗରେ ଅଭିଯାନ ଆରମ୍ଭ କରିଛି ଭାରତୀୟ ମହିଳା ହକି ଦଳ। ପ୍ୟାରିସ୍ ଅଲିମ୍ପିକ୍ସର ରୌପ୍ୟ ପଦକ ବିଜେତା ଚୀନକୁ ୨-୨ ଗୋଲ୍‌ରେ ରୋକି ଭାରତ ମ୍ୟାଚରୁ ଗୁରୁତ୍ୱପୂର୍ଣ୍ଣ ପଏଣ୍ଟ ହାସଲ କରିଛି। ଫଳରେ ଏହି ମ୍ୟାଚ୍ ଡ୍ର ହୋଇଛି। ପୁଲ୍-ଡି’ର ଏହି ମ୍ୟାଚ୍‌କୁ ଭାରତ ପାଇଁ ସବୁଠାରୁ କଠିନ ମ୍ୟାଚ୍ ଭାବେ ଦେଖାଯାଉଥିଲା। ତଥାପି ଆରମ୍ଭରୁ ଭାରତୀୟ ଖେଳାଳିମାନେ ଆକ୍ରମଣାତ୍ମକ ହକି ଖେଳି ଚୀନ୍‌କୁ ଚାପରେ ରଖିଥିଲେ।

ଭାରତ ପକ୍ଷରୁ ନବନୀତ କୌର ଏବଂ ଦୀପିକା ଗୋଲ୍ ସ୍କୋର କରିଥିଲେ। ଚୀନ୍ ପାଇଁ ଝାଙ୍ଗ ୟିଙ୍ଗ୍ ପେନାଲ୍ଟି ଷ୍ଟ୍ରୋକ୍ରୁ ଏବଂ ମା ନିଙ୍ଗ୍ ପେନାଲ୍ଟି କର୍ଣ୍ଣରରୁ ଗୋଲ୍ କରିଥିଲେ। ମ୍ୟାଚର ଶେଷ ପର୍ଯ୍ୟାୟରେ ଭାରତକୁ ଆଉ ଏକ ପେନାଲ୍ଟି କର୍ଣ୍ଣର ମିଳିଥିଲେ ଫଳାଫଳ ଭାରତ ସପକ୍ଷରେ ଯାଇପାରିଥାନ୍ତା ବୋଲି ଭାରତୀୟ କୋଚ୍ ସ୍ଜୋଏର୍ଡ ମାରିଜନେ କହିଛନ୍ତି।

ଚୀନକୁ ଚାପରେ ରଖିଲା ଭାରତ

ରବିବାର (ଅଗଷ୍ଟ ୧୬)ଆମଷ୍ଟେଲଭିନର ୱାଗେନର ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ପୁଲ୍-ଡି’ର ପ୍ରଥମ ମ୍ୟାଚ୍ ଖେଳିଥିଲା ଭାରତୀୟ ମହିଳା ହକି ଦଳ। ଭାରତୀୟ ଦଳ ଆରମ୍ଭରୁ ଚୀନ୍ ଉପରେ ଚାପ ସୃଷ୍ଟି କରିଥିଲା। ଚୀନ୍ ବିପକ୍ଷରେ ଭାରତୀୟ ଦଳ ଆରମ୍ଭରୁ ଦମଦାର ପ୍ରଦର୍ଶନ କରି ମ୍ୟାଚ୍‌ରେ ଅଗ୍ରଣୀ ହାସଲ କରିଥିଲା। ମ୍ୟାଚରେ ଅଷ୍ଟମ ମିନିଟ୍‌ରେ ନବନୀତ କୌର ଏକ ଚମତ୍କାର ଫିଲ୍ଡ ଗୋଲ୍ କରି ଭାରତକୁ ୧-୦ରେ ଆଗୁଆ କରିଥିଲେ। ତେବେ ଏହି ଅଗ୍ରଣୀ ବେଶୀ ସମୟ ରହିନଥିଲା। ପ୍ରଥମ କ୍ୱାର୍ଟରର ଶେଷ ମିନିଟ୍, ଅର୍ଥାତ୍ ୧୫ତମ ମିନିଟ୍ରେ ଚୀନକୁ ପେନାଲ୍ଟି ଷ୍ଟ୍ରୋକ୍ ମିଳିଥିଲା। ଏହାକୁ ଝାଙ୍ଗ ୟିଙ୍ଗ୍ ଗୋଲ୍‌ରେ ପରିଣତ କରି ସ୍କୋର୍‌କୁ ୧-୧ କରିଦେଇଥିଲେ।

Also Read- IND vs SL 1st Test: ଦ୍ବିତୀୟ ଦିନ ଖେଳ ଶେଷ, ପାଡିକ୍କଲଙ୍କ ୧୬୭ ଓ ଜୁରେଲଙ୍କ ୫୧ ରନ୍ ବଳରେ ଭାରତ ୪୬୦/୯

ଏହାର ଠିକ୍ ୧୦ ମିନିଟ୍ ପରେ ଭାରତ ପୁଣିଥରେ ଅଗ୍ରଣୀ ହାସଲ କରିଥିଲା। ୨୫ତମ ମିନିଟ୍‌ରେ ଦୀପିକା ପେନାଲ୍ଟି କର୍ଣ୍ଣରରୁ ଗୋଲ୍ କରି ଭାରତକୁ ୨-୧ରେ ଆଗକୁ ନେଇଥିଲେ। ଏହି ଗୋଲ୍ ସହ ଭାରତ ମ୍ୟାଚ୍‌ରେ ପୁଣି ନିଜ ଦବଦବା ଜାହିର କରିଥିଲା।

ପରବର୍ତ୍ତୀ ୧୪ ମିନିଟ୍ ଟିମ୍ ଇଣ୍ଡିଆ ଅଗ୍ରଣୀ ରହିଥିଲା, କିନ୍ତୁ ୩୯ତମ ମିନିଟରେ ଚୀନ୍ ପେନାଲ୍ଟି କର୍ଣ୍ଣରରୁ ଗୋଲ କରି ସ୍କୋରକୁ ୨-୨ ସମାନ କରିଥିଲା। ସ୍ଥିତି ଏମିତି ହୋଇଥିଲା ଯେ ଲାଗୁଥିଲା ଚୀନ୍ ଅଗ୍ରଣୀ ହାସଲ କରିବ। କିନ୍ତୁ ଚୀନର ତିନୋଟି ପେନାଲ୍ଟି କର୍ଣ୍ଣର ସମେତ ପ୍ରତ୍ୟେକ ପ୍ରୟାସକୁ ଭାରତୀୟ ଦୃଢ଼ ଡିଫେନ୍ସ ବିଫଳ କରିଦେଇଥିଲା। ଏବଂ ୬୦ ମିନିଟ୍ ଖେଳ ପରେ ସ୍କୋର ୨-୨ ଡ୍ରରେ ଶେଷ ହୋଇଥିଲା। ଏହି ଫଳାଫଳ ସହିତ, ଉଭୟ ଦଳ ପ୍ରତ୍ୟେକେ ୧ ପଏଣ୍ଟ ପାଇଥିଲେ। ଚୀନ୍ ପୁଲରେ ଦ୍ୱିତୀୟ ସ୍ଥାନରେ ଥିବା ବେଳେ ଭାରତ ତୃତୀୟ ସ୍ଥାନରେ ରହିଛି। ପ୍ରଥମ ମ୍ୟାଚ୍ ଜିତିଥିବା ଇଂଲଣ୍ଡ ପ୍ରଥମ ସ୍ଥାନରେ ରହିଛି।

କାହିଁକି ଗୁରୁତ୍ୱପୂର୍ଣ୍ଣ ଏହି ଡ୍ର’?

ଚୀନ୍ ଭଳି ଏକ ଶକ୍ତିଶାଳୀ ଦଳ ବିପକ୍ଷରେ ଭାରତୀୟ ମହିଳା ହକି ଦଳ ପାଇଁ ଏହି ମ୍ୟାଚ୍ ଆଦୌ ସହଜ ନଥିଲା। ଚୀନ୍ ଦଳ ଗତ କିଛି ବର୍ଷ ଧରି ଅନ୍ତର୍ଜାତୀୟ ହକିରେ ଭଲ ପ୍ରଦର୍ଶନ କରିଆସୁଛି। ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪ରେ ଚୀନ୍ ରୌପ୍ୟ ପଦକ ଜିତିଥିଲା, ଯେତେବେଳେ ଭାରତୀୟ ମହିଳା ଦଳ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରିପାରିନଥିଲା।

କେବଳ ଏତିକି ନୁହେଁ, ଏହାର ପୂର୍ବରୁ ୨୦୨୩ ଏସିଆନ୍ ଗେମ୍ସରେ ମଧ୍ୟ ଚୀନ୍ ସ୍ୱର୍ଣ୍ଣ ପଦକ ଜିତିଥିଲା। ତେଣୁ ବିଶ୍ୱକପ୍ର ପ୍ରଥମ ମ୍ୟାଚ୍ରେ ଏଭଳି ଶକ୍ତିଶାଳୀ ଦଳକୁ ସାମ୍ନା କରିବା ଭାରତ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ଥିଲା।

ଏଭଳି ସ୍ଥିତିରେ ଚୀନ୍ ବିପକ୍ଷରେ ହାରିବା ବ୍ୟତୀତ ଅନ୍ୟ କୌଣସି ଫଳାଫଳ ଭାରତ ପାଇଁ ଭଲ ବୋଲି ବିଚାର କରାଯାଉଥିଲା। ଶେଷରେ ଭାରତୀୟ ଦଳ ଚୀନକୁ ୨-୨ ଗୋଲ୍‌ରେ ଡ୍ର’ରେ ରୋକି ଏକ ଗୁରୁତ୍ୱପୂର୍ଣ୍ଣ ପଏଣ୍ଟ ହାସଲ କରିଛି। ବିଶେଷକରି ମ୍ୟାଚ୍ର ଏକ ବଡ଼ ସମୟ ପର୍ଯ୍ୟନ୍ତ ଭାରତ ଅଗ୍ରଣୀ ରହିଥିବାରୁ ଏହି ପ୍ରଦର୍ଶନ ଦଳର ଆତ୍ମବିଶ୍ୱାସ ବଢ଼ାଇବ।

ଏବେ ଭାରତୀୟ ଦଳର ନଜର ପରବର୍ତ୍ତୀ ମ୍ୟାଚ୍ ଉପରେ। ଅଗଷ୍ଟ ୧୮ରେ ଭାରତ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳିବ। ଦକ୍ଷିଣ ଆଫ୍ରିକା ନିଜର ପ୍ରଥମ ମ୍ୟାଚ୍‌ରେ ଇଂଲଣ୍ଡଠାରୁ ପରାସ୍ତ ହୋଇଛି। ତେଣୁ ପରବର୍ତ୍ତୀ ମ୍ୟାଚ୍‌ରେ ଭାରତ ନିଜର ପ୍ରଥମ ବିଜୟ ହାସଲ କରିବା ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବ।



Source link

Leave A Reply

Your email address will not be published.