Voice of Eastern India

ଓଡ଼ିଶାକୁ ଫୁଡ୍ ପ୍ରୋସେସିଂ ହବ୍ କରିବା ଦିଗରେ ବଡ଼ ପଦକ୍ଷେପ, ୪୨ ହଜାରରୁ ଅଧିକ ନିଯୁକ୍ତି ସୁଯୋଗ


ଭୁବନେଶ୍ୱର: ଓଡ଼ିଶାକୁ ଫୁଡ୍ ପ୍ରୋସେସିଂ ହବ୍ କରିବା ଦିଗରେ ବଡ଼ ପଦକ୍ଷେପ। ‘ଓଡ଼ିଶା ଫୁଡ୍ ପ୍ରୋ ୨୦୨୪’ରେ ରାଜ୍ୟ ପାଇଁ ଆସିଛି ବିପୁଳ ପୁଞ୍ଜିନିବେଶର ପ୍ରସ୍ତାବ। ୨୨ଟି ଏମଓୟୁ ସ୍ୱାକ୍ଷର ସହ ୩୧ ହଜାର ୬୪୮ କୋଟି ଟଙ୍କାର ନିବେଶ ଓ ୪୨ ହଜାରରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ଓଡ଼ିଶାକୁ ନୂଆ ପରିଚୟ ଦେବା ଲକ୍ଷ୍ୟରେ ଆୟୋଜିତ ହୋଇଛି ‘ଓଡ଼ିଶା ଫୁଡ୍ ପ୍ରୋ ୨୦୨୪’। ରାଜ୍ୟରେ ଅଧିକ ପୁଞ୍ଜିନିବେଶ ଆକର୍ଷଣ, ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପର ବିକାଶ ଓ ରୋଜଗାର ସୃଷ୍ଟି ଉଦ୍ଦେଶ୍ୟରେ ଏହି ଇନଭେଷ୍ଟମେଣ୍ଟ ମିଟ୍ ଆୟୋଜନ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ମିଣ୍ଡା ଇଣ୍ଡଷ୍ଟ୍ରିଜ୍ର ମ୍ୟାନେଜିଂ ଡାଇରେକ୍ଟର ନିର୍ମଳ କୁମାର ମିଣ୍ଡା, ହେକ୍ସାଗନ୍ ନ୍ୟୁଟ୍ରିସନ୍ର ମ୍ୟାନେଜିଂ ଡାଇରେକ୍ଟର ବିକ୍ରମ କେଲକରଙ୍କ ସମେତ ପ୍ରାୟ ୩୦୦ ଶିଳ୍ପ ପ୍ରତିନିଧି ଏବଂ ୧୦୦ରୁ ଅଧିକ କମ୍ପାନୀ ଅଂଶଗ୍ରହଣ କରିଥିଲେ। ଶିଳ୍ପ ବିକାଶ ଓ ନିବେଶ ସମ୍ଭାବନା ନେଇ ବିସ୍ତୃତ ଆଲୋଚନା ହୋଇଥିଲା।

ମୁଖ୍ୟମନ୍ତ୍ରୀଙ୍କ ସୂଚନା ଅନୁସାରେ, ଏହି ଇନଭେଷ୍ଟମେଣ୍ଟ ମିଟ୍ରେ ୨୨ଟି ଏମଓୟୁ ସ୍ୱାକ୍ଷରିତ ହୋଇଛି। ବେଭରେଜ୍ ପ୍ରୋସେସିଂ, ଆଗ୍ରୋ ପ୍ରୋସେସିଂ, କୋଲ୍ଡ ଚେନ୍, ଲଜିଷ୍ଟିକ୍ସ ଓ ପ୍ୟାକେଜିଂ ଭଳି ବିଭିନ୍ନ କ୍ଷେତ୍ରରେ ମୋଟ ୩୧ ହଜାର ୬୪୮ କୋଟି ଟଙ୍କାର ପୁଞ୍ଜିନିବେଶ ଆସିବ। ଏହା ମାଧ୍ୟମରେ ୪୨ ହଜାର ୭୬ରୁ ଅଧିକ ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।

ଏହି ଅବସରରେ ‘ନଲେଜ୍ ରିପୋର୍ଟ’ର ମଧ୍ୟ ଉନ୍ମୋଚନ କରାଯାଇଛି। କୃଷି, ଖାଦ୍ୟ ପ୍ରକ୍ରିୟାକରଣ, ମତ୍ସ୍ୟ ସମ୍ପଦ ଓ ନିବେଶ ସମ୍ଭାବନା ସମ୍ପର୍କରେ ଏହି ରିପୋର୍ଟ ଭବିଷ୍ୟତ ନିବେଶକଙ୍କୁ ସୂଚନା ଓ ଦିଗଦର୍ଶନ ଦେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।

ଶିଳ୍ପ ପାଇଁ ଆବଶ୍ୟକ ରାସ୍ତା, ବିଦ୍ୟୁତ, ପାଣି ଓ ପ୍ରଶାସନିକ ସହଯୋଗ ଯୋଗାଇ ଦେବାକୁ ସରକାର ପ୍ରତିବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ପୂର୍ବ ଭାରତରେ ଫୁଡ୍ ପ୍ରୋସେସିଂ କ୍ଷେତ୍ରରେ ଓଡ଼ିଶାକୁ ଅଗ୍ରଣୀ ରାଜ୍ୟରେ ପରିଣତ କରିବା ସହ ସମୃଦ୍ଧ ଓଡ଼ିଶା ଗଠନରେ ଏହି ପଦକ୍ଷେପ ବଡ଼ ମାଇଲଖୁଣ୍ଟ ହେବ ବୋଲି ସେ ଆଶା ପ୍ରକାଶ କରିଛନ୍ତି।

also read- ରେଭେନ୍ସା ବିବାଦରେ ନୂଆ ମୋଡ଼: ଖୁବଶୀଘ୍ର ସମାଧାନ ହେବ ବୋଲି କହିଲେ କୁଳପତି

୩୧ ହଜାର କୋଟିରୁ ଅଧିକ ପୁଞ୍ଜିନିବେଶ ଓ ୪୨ ହଜାରରୁ ଅଧିକ ରୋଜଗାର ସୁଯୋଗର ପ୍ରତିଶ୍ରୁତି ସହ ‘ଓଡ଼ିଶା ଫୁଡ୍ ପ୍ରୋ ୨୦୨୪’ ରାଜ୍ୟର ଶିଳ୍ପ ବିକାଶକୁ ନୂଆ ଗତି ଦେବ ବୋଲି ଆଶା କରାଯାଉଛି। ଫୁଡ୍ ପ୍ରୋସେସିଂ କ୍ଷେତ୍ରରେ ଓଡ଼ିଶାକୁ ଜାତୀୟ ସ୍ତରରେ ଏକ ପ୍ରମୁଖ ଗନ୍ତବ୍ୟରେ ପରିଣତ କରିବା ଦିଗରେ ଏହା ଏକ ବଡ଼ ପଦକ୍ଷେପ ବୋଲି କୁହାଯାଉଛି।



Source link

Leave A Reply

Your email address will not be published.