ଭୁବନେଶ୍ୱର: ସମୟ ଗୁରୁବାର ରାତି ପ୍ରାୟ ସାଢ଼େ ୯ଟା। ଚଳନ୍ତା ଟ୍ରେନରୁ ଜଣେ ଯାତ୍ରୀଙ୍କୁ କେହି ଠେଲିଦେଇଥିବା ଖବର ପାଇଲା ପୋଲିସ କଣ୍ଟ୍ରୋଲ ରୁମ୍। ଆଉ ଖବର ପାଇ ପୋଲିସ ଆରମ୍ଭ କରିଥିଲା ସର୍ଚ୍ଚ ଅପରେସନ। ହେଲେ ବାଧକ ସାଜିଥିଲା ପ୍ରବଳ ବର୍ଷା ସାଙ୍ଗକୁ ରାତିର ଘନ ଅନ୍ଧାର। ତଥାପବି ଏସବୁ ଭିତରେ ଜୀବନ ବଞ୍ଚାଇବାର ଅଭିଯାନରେ ଶେଷରେ ପୋଲିସ ସଫଳ ହୋଇଥିଲା। ଫଳରେ ବଞ୍ଚିଯାଇଛି ଜଣେ ଯାତ୍ରୀଙ୍କ ଜୀବନ ।
ମିଳିଥିବା ସୂଚନା ଅନୁସାରେ, ଟେନରେ ଭୁବନେଶ୍ୱରରୁ ମେରାମୁଣ୍ଡଳୀ ଯାଉଥିବା ରାକେଶ ପ୍ରଧାନଙ୍କୁ ମଞ୍ଚେଶ୍ବର ଷ୍ଟେସନ ନିକଟରେ କେହି ଜଣେ ଦୁର୍ବୃତ୍ତ ଠେଲିଦେଇଥିଲା। ଖବର ପାଇବା କ୍ଷଣି ପିସିଆର୍- ୦୭ର ଟିମ୍ ହାବିଲଦାର ରୋହିତ କୁମାର ନାୟକ, ହୋମଗାର୍ଡ ରଶ୍ମି ରଞ୍ଜନ ସାହୁ, ହୋମଗାର୍ଡ ସ୍ୱପ୍ନାରାଣୀ ସେନ୍ ଏବଂ ଡ୍ରାଇଭର ଜିତେନ୍ଦ୍ରନାଥ ଭୋଳ ତୁରନ୍ତ ସେହି ଅଞ୍ଚଳକୁ ବାହାରିଥିଲେ। ପିସିଆର ଇନ୍- ଚାର୍ଜ ଆହତ ରାକେଶଙ୍କ ସହ ଫୋନ୍ରେ ଯୋଗାଯୋଗ କରି ତାଙ୍କର ଲାଇଭ୍ ଲୋକେସନ୍ ଶେୟାର କରିବାକୁ କହିଥିଲେ।
କିନ୍ତୁ ଏହା ପରେ ବି ଘଟଣାସ୍ଥଳ ଅସ୍ପଷ୍ଟ ଥିଲା। ଆହୁରି ମଧ୍ୟ ପ୍ରବଳ ବର୍ଷା, ଘନ ଅନ୍ଧାର ଏବଂ କାଦୁଅପୂର୍ଣ୍ଣ ରାସ୍ତା ଅଭିଯାନକୁ ଆହୁରି ଜଟିଳ କରିଥିଲା। ତଥାପି ପତିକୂଳ ପରିସ୍ଥିତି ସତ୍ତ୍ବେ ପଟିଆ ଷ୍ଟେସନ ଆଡ଼କୁ ରେଳ ଲାଇନ କଡ଼େ କଡ଼େ ପ୍ରାୟ ୩ କିଲୋମିଟର ଚାଲିଚାଲି ସର୍ଚ୍ଚ ଅପରେସନ ଜାରି ରଖିଥିଲା। ବ୍ୟାପକ ଖୋଜାଖୋଜି ପରେ ଶେଷରେ ଆହତ ଯୁବକଙ୍କୁ ଉଦ୍ଧାର କରିଥିଲା ପୋଲିସ। ତାଙ୍କ ଡାହାଣ ହାତରେ ଗୁରୁତର ଆଘାତ ଲାଗିଥିଲା।
Also Read: ଜଳଖିଆ ବାହାନାରେ ମହିଳା ଥାନାରୁ ଚମ୍ପଟ, ବେଙ୍ଗାଲୁରୁରେ ଧରାପଡ଼ିଲା ଦୁଷ୍କର୍ମ ଅଭିଯୁକ୍ତ
ଏମିତିରେ ତୁରନ୍ତ ପ୍ରାଥମିକ ସେବା ଯୋଗାଇବା ସହ ଟିମ୍ର ସଦସ୍ୟମାନେ ଆହତଙ୍କୁ ଷ୍ଟ୍ରେଚରରେ ବୋହି ରେଳ ଲାଇନରୁ ୫୦୦ ମିଟର ଦୂର ମୁଖ୍ୟ ରାସ୍ତାକୁ ଆଣିଥିଲେ। ସେଠାରୁ ଗାଡ଼ି ଯୋଗେ ପ୍ରଥମେ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ, ପରେ କଟକ SCB ମେଡିକାଲ ଏବଂ ପରବର୍ତ୍ତୀ ସମୟରେ ଅଶ୍ୱିନୀ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ସେପଟେ ପୋଲିସର ଏହି ତ୍ୱରିତ କାର୍ଯ୍ୟାନୁଷ୍ଠାନ ଯୋଗୁ ରାକେଶଙ୍କ ଜୀବନ ବଞ୍ଚିପାରିଛି ଏବଂ ବର୍ତ୍ତମାନ ସେ ବିପଦମୁକ୍ତ ଅଛନ୍ତି। ଅନ୍ୟପଟେ ଭୁବନେଶ୍ବର ଜିଆରପି ପୋଲିସ ମଧ୍ୟ ଘଟଣାର ତଦନ୍ତ ଜାରି ରଖିଛି।
