ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜ୍ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ସାର୍ ଗାରଫିଲ୍ଡ ସୋବର୍ସ (ସାର୍ ଗ୍ୟାରୀ ସୋବର୍ସ ଭାବେ ଜଣାଶୁଣା) ୮୯ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କ ପୁତ୍ର ଡାନିଏଲ୍ ସୋବର୍ସ ଏହି ସୂଚନା ଦେଇଛନ୍ତି। ବାରବାଡୋସ୍ ସ୍ଥିତ ନିଜ ବାସଭବନରେ ସୋବର୍ସଙ୍କ ପରଲୋକ ହୋଇଛି । ୱେଷ୍ଟଇଣ୍ଡିଜ୍ କ୍ରିକେଟକୁ ବିଶ୍ୱ ଦରବାରରେ ଏକ ସ୍ୱତନ୍ତ୍ର ପରିଚୟ ଦେବାର ସମ୍ପୂର୍ଣ୍ଣ ଶ୍ରେୟ ସୋବର୍ସଙ୍କୁ ଦିଆଯାଏ। ସେ ବିଶ୍ୱର ପ୍ରଥମ ଖେଳାଳି ଭାବେ ପ୍ରଥମ ଶ୍ରେଣୀ କ୍ରିକେଟ୍ରେ ଲଗାତାର ୬ଟି ବଲ୍ରେ ୬ଟି ଛକା ମାରିବାର ବିଶ୍ୱ ରେକର୍ଡ କରିଥିଲେ।
୧୯୬୮ ମସିହାରେ ନଟିଂହାମସାୟର ପକ୍ଷରୁ ଗ୍ଲାମୋର୍ଗାନ ବିପକ୍ଷରେ ଖେଳୁଥିବା ସମୟରେ ସେ ଏହି ସଫଳତା ପାଇଥିଲେ। କ୍ରିକେଟ୍ ଜଗତରେ ତାଙ୍କର ଏହି ଅତୁଳନୀୟ ଅବଦାନ ପାଇଁ ୨୦୦୪ ମସିହାରୁ ଆଇସିସି (ICC) ପ୍ରତିବର୍ଷ ବର୍ଷର ଶ୍ରେଷ୍ଠ ପୁରୁଷ କ୍ରିକେଟରଙ୍କୁ ‘ସାର୍ ଗାରଫିଲ୍ଡ ସୋବର୍ସ ଟ୍ରଫି’ ପ୍ରଦାନ କରିଆସୁଛି। ନିଜର ୯୦ତମ ଜନ୍ମଦିନ ପାଳନ କରିବାକୁ ମାତ୍ର ୧୦ ଦିନ ବାକି ଥିବା ବେଳେ ତାଙ୍କର ପରଲୋକ ଘଟିଛି। କ୍ରିକେଟ୍ ଇତିହାସର ସର୍ବଶ୍ରେଷ୍ଠ ଅଲରାଉଣ୍ଡରଙ୍କ ମଧ୍ୟରୁ ଜଣେ ଥିବା ସୋବର୍ସ ୧୯୫୪ ମାର୍ଚ୍ଚରୁ ୧୯୭୪ ଅପ୍ରେଲ ମଧ୍ୟରେ ମୋଟ ୯୩ଟି ଟେଷ୍ଟ ମ୍ୟାଚ୍ ଖେଳିଥିଲେ। ଏଥିରେ ସେ ୫୭.୭୮ ହାରରେ ୮,୦୩୨ ରନ୍ ସଂଗ୍ରହ କରିଥିଲେ, ଯେଉଁଥିରେ ୨୬ଟି ଶତକ ଏବଂ ୩୦ଟି ଅର୍ଦ୍ଧଶତକ ସାମିଲ ।
ତାଙ୍କର ବିୟୋଗ ଖବର ପ୍ରସାରିତ ହେବା ପରେ ସାରା ବିଶ୍ୱର କ୍ରିକେଟପ୍ରେମୀ ତଥା ମହାନ ଖେଳାଳିମାନେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ସୋସିଆଲ ମିଡିଆରେ ୱେଷ୍ଟଇଣ୍ଡିଜ୍ ଏବଂ ସମଗ୍ର କ୍ରିକେଟ୍ ଜଗତ ପାଇଁ ତାଙ୍କର ଅବଦାନକୁ ସ୍ମରଣ କରାଯାଇଛି । ସାର୍ ଗାରଫିଲ୍ଡ ସୋବର୍ସଙ୍କ ବିୟୋଗରେ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (BCCI) ଗଭୀର ଶୋକ ପ୍ରକାଶ କରିଛି । ବିସିସିଆଇ ପକ୍ଷରୁ ଲେଖାଯାଇଛି, ‘ସେ କ୍ରିକେଟ୍ ଜଗତର ଜଣେ ପ୍ରକୃତ ଆଇକନ୍ ଏବଂ ସର୍ବଶ୍ରେଷ୍ଠ ଅଲରାଉଣ୍ଡର ଥିଲେ। କାରିବିଆନ୍ କ୍ରିକେଟ୍ ଏବଂ ବିଶ୍ୱ କ୍ରିକେଟ୍ ପ୍ରତି ତାଙ୍କର ଅବଦାନ ଆଗାମୀ ପିଢ଼ିକୁ ସଦାସର୍ବଦା ପ୍ରେରଣା ଯୋଗାଇବ। ତାଙ୍କର ପରିବାର, ବନ୍ଧୁବର୍ଗ ଏବଂ ସମଗ୍ର କ୍ରିକେଟ୍ ପରିବାରକୁ ଆମର ଗଭୀର ସମବେଦନା।’
The BCCI mourns the passing of Sir Garfield Sobers, a true icon of the game and one of cricket’s greatest-ever all-rounders.
His extraordinary achievements, lasting influence on Caribbean cricket and immeasurable contribution to the global game have left an enduring legacy that… pic.twitter.com/5263SNLezn
— BCCI (@BCCI) July 17, 2026
ଏହି ଶୋକବାର୍ତ୍ତା ସହିତ ବିସିସିଆଇ (BCCI) ଏକ ଭିଡିଓ ସେୟାର କରିଛି, ଯେଉଁଥିରେ ସୋବର୍ସ ୨୦୨୪ ମସିହାରେ ୱେଷ୍ଟଇଣ୍ଡିଜ୍ ଗସ୍ତ ସମୟରେ ତତ୍କାଳୀନ ଭାରତୀୟ ଅଧିନାୟକ ରୋହିତ ଶର୍ମା, ବିରାଟ କୋହଲି ଏବଂ ଅନ୍ୟ ଖେଳାଳିମାନଙ୍କ ସହିତ ସୌଜନ୍ୟମୂଳକ ସାକ୍ଷାତ କରୁଥିବାର ଦେଖିବାକୁ ମିଳୁଛି।
