ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗି ରହିଛି ଲଘୁଚାପ ବର୍ଷା । ଆହୁରି ୨ଦିନ ବର୍ଷିବ । ଶନିବାର ପାଇଁ ଓଡ଼ିଶା ସମେତ ୧୫ ରାଜ୍ୟକୁ ଝଡ଼ ବର୍ଷା ନେଇ ଆଲର୍ଟ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ । ଆସନ୍ତା ୨୪ରେ ପୁଣି ଏକ ଘୂର୍ଣ୍ଣିବଳୟ ନେଇ ପୂର୍ବାନୁମାନ କରାଯାଇଛି । ଲଗାଣ ବର୍ଷା ଫଳରେ ବିଭିନ୍ନ ସ୍ଥାନରେ ଜଳବନ୍ଦୀ ସ୍ଥିତି । କିଛି ସ୍ଥାନରେ ନଈ ଉଚ୍ଛୁଳୁଛି । କିଛି ସ୍ଥାନରେ ବନ୍ଧ ବାଡ଼ ଡେଇଁ ପାଣି ଗାଁରେ ପଶିଛି ।
ସେପଟେ ଜଳ ସଂପଦ ବିଭାଗ ସୂଚନା ଅନୁଯାୟୀ ଜୁଲାଇ ୧ରୁ ଆଜି ପର୍ଯ୍ୟନ୍ତ ରାଜ୍ୟରେ ୧୭% ଅଧିକ ବର୍ଷା ରେକର୍ଡ କରାଯାଇଛି । ବଲାଙ୍ଗୀର ବଙ୍ଗୋମୁଣ୍ଡାରେ ସର୍ବାଧିକ ୧୩୨ ମିଲିମିଟର, ପୁରୀରେ ୧୦୦ ମିଲିମିଟରରୁ ଅଧିକ ବର୍ଷା ରେକର୍ଡ ହୋଇଛି । ଆଠଗଡ଼ରେ ସାପୁଆ ନଦୀରେ ବନ୍ୟା ଆସିଛି।କିଛି ଗାଁରେ ପାଣି ପଶିଛି । ସାପୁଆ ନଦୀରେ ପାଣି ବଢ଼ିଲେ ଢେଙ୍କାନାଳ ଓ ଆଠଗଡ଼ ପ୍ରଭାବିତ ଆଶଙ୍କା ରହିଥିବା ଜଳ ସଂପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି । ଭଦ୍ରକର ଆଖୁଆପଦା ଏବଂ ଜଳକାର ମଥାନୀରେ ଜଳସ୍ତର ବିପଦ ସଙ୍କେତ ନିକଟତର ହୋଇଛି । ଏହାଦ୍ବାରା ବାଲେଶ୍ବର ଜିଲ୍ଲା ପ୍ରଭାବିତ ହୋଇପାରେ । ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ବଢିପାରେ ବୋଲି ଆକଳନ କରାଯାଉଛି । କାଲି ସନ୍ଧ୍ୟା ସୁଦ୍ଧା ମୁଣ୍ଡଳୀରେ ୩ ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେବ ବୋଲି ଜଳ ସଂପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି ।
