ନୂଆଦିଲ୍ଲୀ: ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ଗୁରୁବାର ବିଳମ୍ବିତ ସନ୍ଧ୍ୟାରେ ନିଟ୍ ୟୁଜି ପରୀକ୍ଷା ଫଳ ଘୋଷଣା କରିଛି । ଆନ୍ସର କି’ ଜାରି କରିବାର ପ୍ରାୟ ଏକ ଘଣ୍ଟା ପରେ ରେଜଲ୍ଟ ଜାରି କରାଯାଇଛି । ରେଜଲ୍ଟ ଜାରି କରିବା ସହ ଏନଟିଏ କହିଛି ଯେ, ରେଜଲ୍ଟ ଠିକ୍ ସମୟରେ ଜାରି କରାଯାଇଛି । ମେଡିକାଲ କଲେଜଗୁଡ଼ିକରେ ନାମଲେଖା ଏବଂ କାଉନସେଲିଂ ପ୍ରକ୍ରିୟା ନିର୍ଦ୍ଧାରିତ ସୂଚୀ ଅନୁଯାୟୀ ଆରମ୍ଭ ହୋଇପାରିବ । ପରୀକ୍ଷାର୍ଥୀମାନେ ଅଫିସିଆଲ୍ ୱେବସାଇଟ୍ neet.nta.nic.in କୁ ଯାଇ ନିଜର ସ୍କୋରକାର୍ଡ ଦେଖିପାରିବେ ।
ଚଳିତ ବର୍ଷ ପ୍ରଶ୍ନପତ୍ର ଲିକ୍ ହେବା କାରଣରୁ ନିଟ୍ ୟୁଜି ୨୦୨୬ ପରୀକ୍ଷା ପୁନର୍ବାର (Re-NEET) କରାଯାଇଥିଲା । ଏହି ପୁନଃ-ପରୀକ୍ଷାରେ ଦେଶ ଏବଂ ବିଦେଶରୁ ପ୍ରାୟ ୨୦ ଲକ୍ଷ ପ୍ରାର୍ଥୀ ସାମିଲ ହୋଇଥିଲେ । ଭାରତର ୫୫୧ଟି ସହର ଏବଂ ବିଦେଶର ୧୪ଟି ସହରରେ ଥିବା ୫,୪୪୦ଟି ପରୀକ୍ଷା କେନ୍ଦ୍ରରେ ଏହି ପରୀକ୍ଷା ଆୟୋଜିତ ହୋଇଥିଲା । ସେମାନଙ୍କ ମଧ୍ୟରୁ ୧୧.୨୧ ଲକ୍ଷ ପ୍ରାର୍ଥୀ MBBS, BDS, AYUSH ଏବଂ ଅନ୍ୟାନ୍ୟ ମେଡିକାଲ୍ ପାଠ୍ୟକ୍ରମରେ ନାମଲେଖାଇବା ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି ।
ଏନଟିଏର ସୂଚନା ଅନୁଯାୟୀ, ଯୋଗ୍ୟତା ଅର୍ଜନ କରିଥିବା ପ୍ରାର୍ଥୀଙ୍କ ମଧ୍ୟରେ ୫୮ ପ୍ରତିଶତରୁ ଅଧିକ ଛାତ୍ରୀ ଅଛନ୍ତି । ଛାତ୍ରୀମାନଙ୍କର ସଫଳତା ହାର ଛାତ୍ରମାନଙ୍କ ଅପେକ୍ଷା ଭଲ ରହିଛି । ପରୀକ୍ଷାରେ ସାମିଲ ହୋଇଥିବା ଛାତ୍ରୀଙ୍କ ମଧ୍ୟରୁ ୫୬.୮ ପ୍ରତିଶତ ସଫଳ ହୋଇଥିବା ବେଳେ ଛାତ୍ରମାନଙ୍କ ସଫଳତା ହାର ୫୫.୧ ପ୍ରତିଶତ ରହିଛି ।
ପଞ୍ଜାବର ଆର୍ଯ୍ୟନ୍ ଏବଂ ହରିୟାଣାର ପାଂଶୁଲ୍ କଲେ ଟପ୍
ଚଳିତ ଥର ୧୩୮ ଜଣ ପ୍ରାର୍ଥୀ ୭୨୦ ମାର୍କରୁ ୬୯୦ରୁ ଅଧିକ ନମ୍ବର ରଖିଛନ୍ତି । ଏମାନଙ୍କ ମଧ୍ୟରୁ ୯୩ ପ୍ରତିଶତରୁ ଅଧିକ ପ୍ରାର୍ଥୀ ପ୍ରଥମ ଥର ପାଇଁ ନିଟ୍ ପରୀକ୍ଷା ଦେଇଥିଲେ ଏବଂ ୯୯ ପ୍ରତିଶତ ଟପ୍ପରଙ୍କ ବୟସ ୧୭ରୁ ୧୯ ବର୍ଷ ମଧ୍ୟରେ ରହିଛି । ସାରା ଦେଶରେ ୧୯ ଜଣ ପ୍ରାର୍ଥୀ ୭୦୦ରୁ ଅଧିକ ନମ୍ବର ହାସଲ କରିଛନ୍ତି । ସବୁଠାରୁ ଅଧିକ ୭୧୫ ନମ୍ବର ରଖି ପଞ୍ଜାବର ଆର୍ଯ୍ୟନ ଗୁପ୍ତା ଏବଂ ହରିୟାଣାର ପାଂଶୁଲ୍ ବଂଶଲ ଯୁଗ୍ମ ଭାବେ ଟପ୍ପର ହୋଇଛନ୍ତି । ଅନ୍ୟପଟେ, ୧,୪୯୨ ଜଣ ପ୍ରାର୍ଥୀ ୬୫୦ କିମ୍ୱା ତା’ଠାରୁ ଅଧିକ, ୧୦,୧୬୦ ଜଣ ପ୍ରାର୍ଥୀ ୬୦୦ କିମ୍ବା ତା’ଠାରୁ ଅଧିକ ଏବଂ ୯୦,୭୮୦ ଜଣ ୫୦୦ କିମ୍ବା ତା’ଠାରୁ ଅଧିକ ନମ୍ବର ପାଇଛନ୍ତି ।
