ନୂଆଦିଲ୍ଲୀ: ଆସନ୍ତା ଜୁଲାଇ ୧୯ ତାରିଖରେ ଖେଳାଯିବାକୁ ଥିବା ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ତୃତୀୟ ତଥା ଶେଷ ଦିନିକିଆ (ODI) ମ୍ୟାଚ୍ ରୋହିତ ଶର୍ମାଙ୍କ କ୍ୟାରିୟରର ଶେଷ ମ୍ୟାଚ୍ ହୋଇପାରେ । ‘ପିଟିଆଇ’ (PTI) ର ରିପୋର୍ଟ ଅନୁଯାୟୀ, ବିସିସିଆଇ ଚୟନକର୍ତ୍ତାମାନେ ରୋହିତ ଶର୍ମାଙ୍କୁ ସ୍ପଷ୍ଟ କରିଦେଇଛନ୍ତି ଯେ, ଏହି ସିରିଜ୍ ପରେ ଦଳ ଆଗକୁ ବଢ଼ିବାକୁ ଚାହୁଁଛି ଏବଂ ସେମାନଙ୍କର ଭବିଷ୍ୟତ ଯୋଜନାରେ ରୋହିତ ସାମିଲ ନାହାନ୍ତି।
ଗତ ୮ଟି ଦିନିକିଆ ମ୍ୟାଚରେ ରୋହିତ ଶର୍ମାଙ୍କ ପ୍ରଦର୍ଶନ ନିରାଶାଜନକ ରହିଛି। ସେ ମାତ୍ର ୩୦.୧ ହାରାହାରି ଏବଂ ୮୮.୬ ଷ୍ଟ୍ରାଇକ୍-ରେଟ୍ରେ କେବଳ ୨୪୧ ରନ୍ କରିଛନ୍ତି, ଯେଉଁଥିରେ ମାତ୍ର ଗୋଟିଏ ଅର୍ଦ୍ଧଶତକ ସାମିଲ ଅଛି। ଇଂଲଣ୍ଡ ବିପକ୍ଷ ପ୍ରଥମ ମ୍ୟାଚ୍ରେ ସେ ୧୧ ରନ୍ ଏବଂ ଦ୍ୱିତୀୟ ମ୍ୟାଚ୍ରେ ସଂଘର୍ଷ କରି ୪୭ ବଲ୍ରୁ ୨୬ ରନ୍ କରିଛନ୍ତି।
ଚୟନ କମିଟିର ଅଧ୍ୟକ୍ଷ ଅଜିତ ଅଗରକର ଏବେ କାର୍ଡିଫ୍ରେ ଅଛନ୍ତି। ବିସିସିଆଇର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ଅନୁଯାୟୀ, ଆଗାମୀ ଦିନିକିଆ ବିଶ୍ୱକପ୍ ପାଇଁ ସେମାନେ ୩୯ ବର୍ଷୀୟ ରୋହିତଙ୍କ ସ୍ଥାନରେ ଯୁବ ଖେଳାଳି ଯଶସ୍ୱୀ ଜୟସ୍ବାଲଙ୍କୁ ପ୍ରସ୍ତୁତ କରିବାକୁ ଚାହୁଁଛନ୍ତି। ଜୟସ୍ବାଲ ନିକଟରେ ୩ଟି ପାଳିରୁ ୨ଟି ଶତକ ହାସଲ କରିଛନ୍ତି ଏବଂ ତାଙ୍କୁ ଆଗାମୀ ୨୦ଟି ମ୍ୟାଚ୍ରେ କ୍ରମାଗତ ସୁଯୋଗ ଦେବାକୁ ଯୋଜନା ରହିଛି।
‘ଦି ଇଣ୍ଡିଆନ ଏକ୍ସପ୍ରେସ’ର ଏକ ରିପୋର୍ଟ ଅନୁଯାୟୀ, ରୋହିତ ଶର୍ମା ନିଜ ଫିଟନେସ୍ ଉପରେ କାମ କରିବା ସହ ଦିନିକିଆ କ୍ରିକେଟ୍ ଖେଳିବା ଜାରି ରଖିବାକୁ ଚାହୁଁଥିଲେ। ଚୟନକର୍ତ୍ତାଙ୍କ ନିଷ୍ପତ୍ତି ପରେ ରୋହିତ ବିସିସିଆଇର କେତେକ ବରିଷ୍ଠ ଅଧିକାରୀଙ୍କ ସହ କଥା ହୋଇଥିଲେ ଏବଂ ଏହି ଆଲୋଚନାରେ ସେ ବହୁତ ଅସନ୍ତୁଷ୍ଟ ଥିବା ଜଣାପଡ଼ିଛି। ଚୟନକର୍ତ୍ତାମାନେ ନିଷ୍ପତ୍ତି ନେବା ପରେ ଏବେ ଅବସର ନେବା କିମ୍ବା ଭବିଷ୍ୟତ ଯୋଜନା ବିଷୟରେ ଘୋଷଣା କରିବା ଦାୟିତ୍ୱ ସେ ରୋହିତଙ୍କ ଉପରେ ଛାଡ଼ି ଦେଇଛନ୍ତି। ସେପ୍ଟେମ୍ବର ମାସରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ହେବାକୁ ଥିବା ଘରୋଇ ସିରିଜ୍ ପୂର୍ବରୁ ସେ ସ୍ପଷ୍ଟ ନିଷ୍ପତ୍ତି ନେବେ ବୋଲି ଆଶା କରାଯାଉଛି।
ରିପୋର୍ଟ ଅନୁସାରେ, ମୁଖ୍ୟ କୋଚ୍ ଗୌତମ ଗମ୍ଭୀର ଏବଂ ଚୟନକର୍ତ୍ତା ଅଜିତ ଅଗରକର ଉଭୟ ଏହି ନିଷ୍ପତ୍ତି ଉପରେ ଏକମତ ଅଛନ୍ତି। ସେମାନଙ୍କ ମତରେ ବିରାଟ କୋହଲି ନିଜର ଫର୍ମ ଏବଂ ଫିଟନେସ୍ ପାଇଁ ଦିନିକିଆ ଦଳରେ ଏକ ଅପରିହାର୍ଯ୍ୟ ବିକଳ୍ପ , କିନ୍ତୁ ରୋହିତଙ୍କ କ୍ଷେତ୍ରରେ ଏଭଳି ଚିନ୍ତାଧାରା ରଖାଯାଇ ନାହିଁ। ଏହା ସହିତ ପୂର୍ବରୁ ରୋହିତଙ୍କ ଟେଷ୍ଟ କ୍ରିକେଟ୍ ଅବସରକୁ ନେଇ ମଧ୍ୟ ଚୟନ କମିଟି ଏବଂ ରୋହିତଙ୍କ ମଧ୍ୟରେ ମତଭେଦ ରହିଥିଲା।
