Voice of Eastern India

ବରିଷ୍ଠ ସାମ୍ବାଦିକ ଶରତ ଦାଶଙ୍କ ପରଲୋକ, ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ


ଭୁବନେଶ୍ବର: ବରିଷ୍ଠ ସାମ୍ବାଦିକ ଶରତ ଦାଶଙ୍କ ପରଲୋକ। ଶୁକ୍ରବାର ଅପରାହ୍ଣରେ ତାଙ୍କ ପରଲୋକ ହୋଇଛି। ମୃତ୍ୟୁବେଳକୁ ତାଙ୍କୁ ୮୩ ବର୍ଷ ବୟସ ହୋଇଥିଲା। ଦୀର୍ଘଦିନରୁ ତାଙ୍କ ସ୍ବାସ୍ଥ୍ୟବସ୍ଥା ଖରାପ ରହିଥିବା ବେଳେ ଗୁରୁବାର ଚିକିତ୍ସା ପାଇଁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ହୃଦଘାତରେ ତାଙ୍କର ପରଲୋକ ଘଟିଥିବା ପରିବାର ସୂତ୍ରରୁ ଜଣାପଡ଼ିଛି।

ସେପଟେ ତାଙ୍କ ବିୟୋଗରେ ଉଭୟ ରାଜନୈତିକ ଓ ସାମ୍ବାଦିକ ମହଲରେ ଗଭୀର ଶୋକ ପ୍ରକାଶ ପାଇଛି। ବହୁ ରାଜନେତା, ସାମ୍ବାଦିକ ଏବଂ ବିଭିନ୍ନ ସଂଗଠନର କାର୍ଯ୍ୟକର୍ତ୍ତାମାନେ ଭୁବନେଶ୍ବର ନୂଆପଲ୍ଲୀ ସ୍ଥିତ ତାଙ୍କ ବାସଭବନରେ ତାଙ୍କୁ ଶେଷ ଦର୍ଶନ କରିଥିଲେ। ପରେ ତାଙ୍କ ମରଶରୀରକୁ ପୁରୀ ସ୍ବର୍ଗଦ୍ବାର ନିଆଯାଇ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି। ପୁତ୍ର ଅଜିତ କୁମାର ଦାଶ ମୁଖାଗ୍ନି ଦେଇଥିବା ବେଳେ, ଜ୍ୟେଷ୍ଠପୁତ୍ର ଅଶୋକ କୁମାର ଦାଶ, କନ୍ୟା ଡାକ୍ତର ରୀତା ଦାଶ ଓ ରେଖା ଦାଶ, ଜ୍ବାଇଁ ଡାକ୍ତର ନୟନ ରଞ୍ଜନ ନନ୍ଦ ଏବଂ ଜିବିତେଶ ମିଶ୍ର ଏବଂ ପରିବାର ସ୍ବଜନ ଉପସ୍ଥିତ ରହିଥିଲେ।

ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମଧ୍ୟ ବରିଷ୍ଠ ସାମ୍ବାଦିକଙ୍କ ପରଲୋକରେ ଶୋକପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଏହି ବରିଷ୍ଠ ସାମ୍ବାଦିକଙ୍କ ବିୟୋଗ ଓଡ଼ିଶାର ଗଣମାଧ୍ୟମ ଜଗତ ପାଇଁ ଏକ ଅପୂରଣୀୟ କ୍ଷତି। ଏହା ସହ ମୁଖ୍ୟମନ୍ତ୍ରୀ ଏହି ଦୁଃଖଦ ସମୟରେ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ଗଭୀର ସମବେଦନା ଜଣାଇବା ସହ ଅମର ଆତ୍ମାର ସଦ୍ଗତି କାମନା କରିଛନ୍ତି।

 

ସୂଚନାଯୋଗ୍ୟ, ଶରତ ଦାଶ ଦୀର୍ଘ ୩୭ ବର୍ଷ କାଳ ସାମ୍ବାଦିକତାରେ ରହିଥିଲେ। ସେ ପ୍ରେସ ଟ୍ରଷ୍ଟ ଅଫ ଇଣ୍ଡିଆ (ପିଟିଆଇ)ର ସମ୍ବାଦଦାତା ଭାବରେ ଦିଲ୍ଲୀ, ମୁମ୍ବାଇ ଓ କୋଲକାତାରେ ଦୀର୍ଘବର୍ଷ କାର୍ଯ୍ୟ କରି ପରେ କଟକ ଓ ଭୁବନେଶ୍ବରରେ ପିଟିଆଇର ପ୍ରମୁଖ ସମ୍ବାଦଦାତା ତଥା ମ୍ୟାନେଜର ଭାବରେ କାର୍ଯ୍ୟ କରି ଅବସର ନେଇଥିଲେ।

ସାମାଜିକ ଓ ରାଜନୈତିକ ସାମ୍ବାଦିକତାରେ ସେ ବେଶ ସକ୍ରିୟ ଥିଲେ ଏବଂ ଜଣେ ସୁନାମଧନ୍ୟ ଓ ଦକ୍ଷ ସାମ୍ବାଦିକ ଭାବରେ ସେ ପରିଚିତ ରହିଥିଲେ। ଓଡ଼ିଶାର ରାଜନୈତିକ ଜଗତ ସହ ଅତି ନିବିଡ଼ ଭାବରେ ସଂଶ୍ଳିଷ୍ଟ ରହି ଖବର ସଂଗ୍ରହରେ ସେ ସବୁବେଳେ ଆଗୁଆ ରହୁଥିଲେ ଏବଂ ଜାତୀୟ ସ୍ତରରେ ମଧ୍ୟ ପିଟିଆଇର ଜଣେ ଶ୍ରେଷ୍ଠ ସାମ୍ବାଦିକ ଭାବରେ ସୁନାମ ଅର୍ଜନ କରିଥିଲେ।

ସ୍ବର୍ଗତଃ ଶରତ ଦାଶ କଟକ ଜିଲ୍ଲା ଟାଙ୍ଗୀ ଅନ୍ତର୍ଗତ ନିମେଇସାପୁର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ଦୁଇ ପୁଅ ଓ ଦୁଇ ଝିଅ ଅଛନ୍ତି। କନିଷ୍ଠ ପୁତ୍ର ଅଜିତ କୁମାର ଦାଶ ଜଣେ ବରିଷ୍ଠ ସାମ୍ବାଦିକ ଭାବରେ କାର୍ଯ୍ୟ କରୁଛନ୍ତି ।





Source link

Leave A Reply

Your email address will not be published.