ଟ୍ରେଡ୍ ହେଲେ ଭାରତ ୧୭% ନହେଲେ ୨୫% ଟ୍ୟାକ୍ସ, ଚୀନ ଉପରେ ୪୦% ଶୁଳ୍କ ଲଗାଇବାକୁ ଟ୍ରମ୍ପଙ୍କ ପ୍ରସ୍ତାବ: ଏଥର ଏକ ନୂଆ କାରଣ ଦେଲା ଆମେରିକା
ନୂଆଦିଲ୍ଲୀ: ଟ୍ରମ୍ପଙ୍କର ଏକ ନୂଆ ଟ୍ରେଣ୍ଡ ଆରମ୍ଭ ହୋଇଛି କହିଲେ ଚଳେ। ଯେବେ ଯେବେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଶଂସା କରନ୍ତି, ସେବେ ସେବେ ଭାରତ ଉପରେ ଟ୍ୟାକ୍ସ ଲାଗୁ କରନ୍ତି କିମ୍ବା ଧମକ ଦିଅନ୍ତି। ଏଇ କିଛିଦିନ ତଳେ(ନଭେମ୍ବର ୧୭) ମାନିଲାରେ କ୍ୱାଡ୍ ନେତାଙ୍କ ବୈଠକରେ ମୋଦୀଙ୍କୁ ଟଫ୍ ଲିଡର ବୋଲି କହିଥିଲେ ଟ୍ରମ୍ପ। ଆଉ ଏବେ ପୁଣି ଭାରତ ଉପରେ ୨୫ ପ୍ରତିଶତ ଶୁଳ୍କ ଲଗାଇବାକୁ ପ୍ରସ୍ତାବ ଦେଇଛନ୍ତି। ତେବେ ଏଥିରେ ଏକ ସର୍ତ୍ତ ରଖାଯାଇଛି। ଯଦି ଭାରତ ସହିତ ଚାଲିଥିବା ଟ୍ରେଡ୍ ଡିଲ୍ ଫାଇନାଲ ହେଇଯାଏ, ତେବେ ଏହି ଶୁଳ୍କ ୧୭ ପ୍ରତିଶତ ହୋଇଯିବ ବୋଲି ଆମେରିକା ସର୍ତ୍ତ ରଖିଛି। ପାଇନାଲ ନହେଲେ ଏହା ୨୫ ପ୍ରତିଶତ ରହିବ।
ଦେଶଗୁଡ଼ିକର ଅତିରିକ୍ତ ଶିଳ୍ପ କ୍ଷମତାକୁ ରୋକିବା ଏହି ଟାରିଫ ପ୍ରସ୍ତାବର ମୁଖ୍ୟ ଉଦ୍ଦେଶ୍ୟ। ଏହା କୁଆଡ଼େ ଆମେରିକା ପାଇଁ ଏକ ବଡ଼ ସମସ୍ୟା। ତେବେ କେବଳ ଭାରତ ନୁହେଁ, ଆଉ ୬ଟି ଦେଶ- କାମ୍ବୋଡିଆ, ଇଣ୍ଡୋନେସିଆ, ଦକ୍ଷିଣ କୋରିଆ, ମାଲେସିଆ, ତାଇୱାନ ଏବଂ ଥାଇଲ୍ୟାଣ୍ଡ ଉପରେ ବି ୨୫ ପ୍ରତିଶତ ଶୁଳ୍କ ଲାଗୁ କରିବାକୁ ଆମେରିକା ବାଣିଜ୍ୟ ପ୍ରତିନିଧି ଯୋଜନା କରୁଛନ୍ତି। ଭାରତ ଏଭଳି ମାନଙ୍କ ପାଇଁ ୧୮ ପ୍ରତିଶତ ଶୁଳ୍କ କମାଇବାକୁ ସର୍ତ୍ତ ରଖାଯାଇଛି।
ଆମେରିକା ଅଜବ କାରଣ
ଆମେରିକାର କହିବା ଅନୁସାରେ, ଏହି ଶୁଳ୍କ ପ୍ରସ୍ତାବ ଦେବା ପୂର୍ବରୁ ଦୀର୍ଘ ୮ ମାସ ଧରି ତଦନ୍ତ କରାଯାଇଥିଲା। ଏଥିରେ୧୬ ଟି ଅର୍ଥନୀତିରେ ଅନୁଚିତ ବାଣିଜ୍ୟ ଅଭ୍ୟାସ(ଅନଫେରାୟ ଟ୍ରେଡ୍ ପ୍ରାକ୍ଟିସ୍) କରୁଥିବା ଜଣାପଡ଼ିଥିଲା। ଏହି ଦେଶଗୁଡ଼ିକ ବଜାର ଚାହିଦାଠାରୁ ଅଧିକ ନିର୍ମାଣ ଓ ଉତ୍ପାଦନ କରିବାକୁ ସମର୍ଥନ କରୁଥିଲେ। ଆଉ ଏହା ଆମେରିକୀୟ ବ୍ୟବସାୟ ଉପରେ ଚାପ ସୃଷ୍ଟି କରୁଥିଲା।
ଆମେରିକା ୧୪ ବାଣିଜ୍ୟିକ ଅଂଶୀଦାରଙ୍କୁ ଉପରେ ଶୁଳ୍କ ଲଗାଇବାକୁ ସ୍ଥିର କରିଛି। ଯେଉଁଥିରେ ଭାରତ ବି ରହିଛି। ଆମେରିକୀୟ ବାଣିଜ୍ୟ ପ୍ରତିନିଧି କହିଛନ୍ତି ଯେଉଁ ଦେଶଗୁଡ଼ିକ “ବିଭିନ୍ନ କାର୍ଯ୍ୟ, ନୀତି ଏବଂ ଅଭ୍ୟାସ ମାଧ୍ୟମରେ ଉତ୍ପାଦନ କ୍ଷେତ୍ରରେ ଢାଞ୍ଚାଗତ ଅତିରିକ୍ତ କ୍ଷମତା ଏବଂ ଉତ୍ପାଦନ ସୃଷ୍ଟି କରନ୍ତି, ବଜାୟ ରଖନ୍ତି କିମ୍ବା ଏଥିରେ ଯୋଗଦାନ ଦିଅନ୍ତି ସେମାନଙ୍କ ପାଇଁ ଏହି ନୂଆ ଶୁଳ୍କ ଉଦ୍ଦିଷ୍ଟ। ତଦନ୍ତରେ ଆମେ ଏହା ଅଯୌକ୍ତିକର ଓ ଆମେରିକୀୟ ବାଣିଜ୍ୟ ଉପରେ ବୋଝ ଓ ପ୍ରତିବନ୍ଧକ ବୋଲି ଜାଣିବାକୁ ପାଇଲୁ”।
ଆମେରିକାର ଏଭଳି ଯାଞ୍ଚ ପଛରେ କ’ଣ ରହିଛି ପ୍ରମୁଖ କାରଣ ?
ଯେଉଁ ଦେଶଗୁଡ଼ିକ ବଜାର ଚାହିଦା ଠାରୁ ଅଧିକ ଉତ୍ପାଦନ କରୁଛନ୍ତି, କିମ୍ବା ଉତ୍ପାଦନକୁ ସମର୍ଥନ କରୁଛନ୍ତି ସେମାନଙ୍କୁ ଖୋଜିବା ପାଇଁ ଆମେରିକା ଏହି ତଦନ୍ତ କରିଥିଲା। ଆମେରିକା ଭାଷାରେ ଷ୍ଟ୍ରକ୍ଚରାଲ ଆକ୍ସେସ୍ କାପାସିଟି ପାର କରୁଥିବା ଦେଶଗୁଡ଼ିକ ଉପରେ ଶୁଳ୍କ ଲଗାଯାଇଛି। ଏହି ଦେଶଗୁଡ଼ିକ ଶିଳ୍ପ ନୀତି, ସବସିଡି ଏବଂ ଅଣ-ବଜାର ଅର୍ଥନୀତିର ଉପାଦାନଗୁଡ଼ିକୁ ସାମିଲ କରୁଛନ୍ତି ବୋଲି ଆମେରିକା ଅଭିଯୋଗ କରିଛି। ଏଭଳି ଦେଶ ତାଲିକାରେ ଆମେରିକା ଭାରତ ସହିତ ଏହାର ଆଉ କିଛି ସହଯୋଗୀ ରାଷ୍ଟ୍ର ଜାପାନ, ଦକ୍ଷିଣ କୋରିଆ ଏବଂ ୟୁରୋପୀୟ ସଂଘକୁ ସ୍କାନରରେ ରଖିଛି।
ଚୀନ ଉପରେ ୪୦% ଶୁଳ୍କ,ଭାରତ ଠାରୁ ବାଂଲାଦେଶ ଉପରେ କମ
ଏହି ନୂଆ ଶୁଳ୍କ ପ୍ରସ୍ତାବରେ ଚୀନ ଉପରେ କଡ଼ା ପ୍ରହାର କରାଯାଇଛି। ବେଜିଂ ଉପରେ ୪୦ ପ୍ରତିଶତ ଶୁଳ୍କ ଲଗାଇବାକୁ ଆମେରିକା ବାଣିଜ୍ୟ ପ୍ରତିନିଧି ସୁପାରିଶ କରିଛି। ସେହିପରି ଭିଏତନାମ ଉପରେ ୩୫ ପ୍ରତିଶତ, ୟୁରୋପିୟନ ୟୁନିୟନ ଉପରେ ୨୭ ପ୍ରତିଶତ, ଜାପାନ, ସାଉଥ କୋରିଆ, ତାଇୱାନ, ସ୍ୱିଜରଲ୍ୟାଣ୍ଡ, ସିଙ୍ଗାପୁର ଏବଂ ବାଂଲାଦେଶ ଉପରେ ୨୦ ପ୍ରତିଶତ ଶୁଳ୍କ ଲଗାଇବାକୁ ପ୍ରସ୍ତାବ ଦିଆଯାଇଛି। ଅର୍ଥାତ ଭାରତ ଠାରୁ ବି ବାଂଲାଦେଶ ଉପରେ କମ ଶୁଳ୍କ ଲଗାଯାଇଛି। ଯାହା ଆମେରିକାର ଦୋମୁହାଁ ନୀତିକୁ ଦର୍ଶାଉଛି।
ଭାରତ ଉପରେ ନୂଆ ଶୁଳ୍କ ପ୍ରସ୍ତାବ ଦୁଇ ଦେଶ ମଧ୍ୟରେ ଚାଲୁଥିବା ବାଣିଜ୍ୟ ଚୁକ୍ତିକୁ ପୁଣିଥରେ ପ୍ରଭାବିତ କରିପାରେ। ହେଲେ ଆମେରିକା କହିଛି ଏହି ନୂଆ ଟ୍ୟାକ୍ସ ପ୍ରସ୍ତାବ ବାଣିଜ୍ୟ ଡିଲ ସୀମା ମଧ୍ୟରେ ରଖାଯିବ। ତେବେ ନୂଆ ୨୫ ପ୍ରତିଶତ ଶୁଳ୍କ ପ୍ରସ୍ତାବ ଯେ ତୁରନ୍ତ ଲାଗୁ ହେବ ତାହା ନୁହେଁ। ଏହି ଶୁଳ୍କ ଲାଗୁ ହେବା ପୂର୍ବରୁ ଏକ ସାର୍ବଜନୀନ ବିଜ୍ଞପ୍ତି ଓ ମତାମତ ପ୍ରକ୍ରିୟା ଦେଇ ଗତି କରିବାକୁ ପଡ଼ିବ ଏବଂ ଏହା ଲାଗୁ ହେବା ପୂର୍ବରୁ ଶୁଣାଣି ହେବାର ମଧ୍ୟ ସମ୍ଭାବନା ରହିଛି।
