Voice of Eastern India

ରାଜଧାନୀରେ ଶ୍ରୀୟା ଟକିଜ୍ ସାମ୍ନାରେ ତାଣ୍ଡବ, ମାତ୍ର ୭୦ ଟଙ୍କା ପାଇଁ ଦୋକାନୀଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ


ଭୁବନେଶ୍ୱର: ସ୍ମାର୍ଟସିଟି ଭୁବନେଶ୍ୱର ବୁକୁରେ ପୁଣି ଥରେ ମାତିଛନ୍ତି ଅପରାଧୀ। ମାତ୍ର ୭୦ ଟଙ୍କାର ବିରିଆନୀ ବିଲ୍‌କୁ କେନ୍ଦ୍ର କରି ରାଜଧାନୀର ଜନଗହଳିପୂର୍ଣ୍ଣ ଶ୍ରୀୟା-ସ୍ତୁତି ଫିଲ୍ମ ହଲ୍ ସମ୍ମୁଖରେ ଦେଖିବାକୁ ମିଳିଛି ରକ୍ତପାତ। ଦୁଇ ହାତରେ ଖଣ୍ଡା ଧରି ୪ ଜଣ ଦୁର୍ବୃତ୍ତ ସ୍ଥାନୀୟ ଦୋକାନୀଙ୍କ ଉପରେ ଅତର୍କିତ ଆକ୍ରମଣ କରିବା ସହ ଫାଷ୍ଟଫୁଡ୍ ଷ୍ଟଲ୍ଗୁଡ଼ିକୁ ହାଣି ଭଙ୍ଗାରୁଜା କରିଛନ୍ତି। ଏହି ମରଣାନ୍ତକ ଆକ୍ରମଣରେ ଜଣେ ବିରିଆନୀ ଦୋକାନୀ ଗୁରୁତର ହୋଇଛନ୍ତି।

ପୂର୍ବ ଶତ୍ରୁତାରୁ ରାତିରେ ଗ୍ୟାଙ୍ଗ୍ ୱାର୍

ସୂଚନା ଅନୁଯାୟୀ, ଗଣ୍ଡଗୋଳର ସୂତ୍ରପାତ ବିଳମ୍ବିତ ରାତିରେ ନୁହେଁ, ବରଂ ଅପରାହ୍ନ ପ୍ରାୟ ୪ଟା ସମୟରେ ହୋଇଥିଲା। ଏକ ଗୁପଚୁପ୍ ଦୋକାନରୁ ବ୍ୟବସାୟୀ ଓ ଦୁର୍ବୃତ୍ତଙ୍କ ମଧ୍ୟରେ କୌଣସି କାରଣରୁ ବଚସା ହୋଇଥିଲା। ପରେ ମାତ୍ର ୭୦ ଟଙ୍କା ପାଇଁ ଏକ ବିରିଆନୀ ଦୋକାନୀଙ୍କ ସହ ମଧ୍ୟ ସେମାନଙ୍କର ଝଗଡ଼ା ହୋଇଥିଲା। ସେତେବେଳେ ସେମାନେ ସେଠାରୁ ଚାଲିଯାଇଥିଲେ ମଧ୍ୟ ପ୍ରତିଶୋଧ ନେବା ପାଇଁ ରାତି ପ୍ରାୟ ସାଢ଼େ ୯ଟାରେ ପୂରା ପ୍ରସ୍ତୁତି ସହ ଫେରିଥିଲେ।

ଆଭେଞ୍ଜର ଓ ସ୍କୁଟିରେ ଆସିଥିଲେ ୪ ଜଣ

ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ଏକ ଆଭେଞ୍ଜର ବାଇକ୍ ଏବଂ ସ୍କୁଟିରେ ୪ ଜଣ ଦୁର୍ବୃତ୍ତ ଆସି ଘଟଣାସ୍ଥଳଠାରୁ ପ୍ରାୟ ୫୦ ଫୁଟ୍ ଦୂରରେ ଗାଡ଼ି ରଖିଥିଲେ। ଏହାପରେ ଦୁଇ ହାତରେ ଦୁଇଟି ଲେଖାଏଁ ଲମ୍ବା ଖଣ୍ଡା ଧରି ସେମାନେ ଶ୍ରୀୟା ହଲ୍ ସାମ୍ନା ବଜାରରେ ଆତଙ୍କ ଖେଳାଇଥିଲେ। ସେମାନେ ସେହି ବିରିଆନୀ ଦୋକାନୀଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣି ଅଧମରା କରିଦେଇଥିଲେ।

କେବଳ ସେତିକି ନୁହେଁ, ସେଠାରେ ଥିବା ଗୁପଚୁପ, ମୋମୋ ଏବଂ ଅନ୍ୟାନ୍ୟ ଫାଷ୍ଟଫୁଡ୍ ଦୋକାନଗୁଡ଼ିକୁ ମଧ୍ୟ ସେମାନେ ଖଣ୍ଡାରେ ହାଣି ଚୁରମାର କରିଦେଇଥିଲେ। ଦୁର୍ବୃତ୍ତଙ୍କ ଏହି ରୌଦ୍ରରୂପ ଦେଖି ଭୟରେ ଅନ୍ୟ ଦୋକାନୀ ଓ ଗ୍ରାହକମାନେ ଛତ୍ରଭଙ୍ଗ ଦେଇଥିଲେ। ବଜାରରେ ଆତଙ୍କରାଜ ସୃଷ୍ଟି କରିବା ପରେ ଅଭିଯୁକ୍ତମାନେ ସେଠାରୁ ଫେରାର ହୋଇଯାଇଛନ୍ତି। ଆକ୍ରମଣକାରୀମାନେ ନିକଟସ୍ଥ ମାଳିସାହି ବସ୍ତିର ବୋଲି ସନ୍ଦେହ କରାଯାଉଛି।

ତଦନ୍ତରେ ଖାରବେଳ ନଗର ଥାନା ପୋଲିସ

ଘଟଣାର ସୂଚନା ପାଇବା ସଙ୍ଗେ ସଙ୍ଗେ ପିସିଆର (PCR) ଭ୍ୟାନ୍ ଏବଂ ଖାରବେଳ ନଗର ଥାନା ପୋଲିସ ଫୋର୍ସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିଛନ୍ତି। ପୋଲିସ ସ୍ଥାନୀୟ ଅଞ୍ଚଳରେ ଲାଗିଥିବା ସିସିଟିଭି (CCTV) ଫୁଟେଜ୍କୁ ଯାଞ୍ଚ କରୁଛି। ଫେରାର ଥିବା ଦୁର୍ବୃତ୍ତମାନଙ୍କୁ ଗିରଫ କରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଥିବା ପୋଲିସ ସୂଚନା ଦେଇଛି। ରାଜଧାନୀର ଏଭଳି ଏକ ପ୍ରମୁଖ ବ୍ୟବସାୟିକ ସ୍ଥଳରେ ଖୋଲାଖୋଲି ଖଣ୍ଡା ବୁଲିବା ଘଟଣା ସାଧାରଣ ଜନତାଙ୍କ ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।



Source link

Leave A Reply

Your email address will not be published.