ଲକ୍ଷ୍ନୌ: ଉତ୍ତର ପ୍ରଦେଶର ଜାଲୌନ ତହସିଲଦାର ପଦରୁ ହଟାଯିବା ପରେ ୨୦୨୩ ବ୍ୟାଚର ଆଇଏଏସ୍ ଅଧିକାରୀ ରିଙ୍କୁ ସିଂ ରାହୀ ୟୁପିର ନିଯୁକ୍ତି ଏବଂ କାର୍ମିକ ବିଭାଗକୁ ଏକ ଚିଠି ଲେଖିଛନ୍ତି । ଏଥିରେ ସେ ନିଜର ବର୍ତ୍ତମାନର ନିଯୁକ୍ତି ଏବଂ କାର୍ଯ୍ୟଶୈଳୀ ଉପରେ ଗମ୍ଭୀର ପ୍ରଶ୍ନ ଉଠାଇଛନ୍ତି । ଚିଠିରେ ସେ କହିଛନ୍ତି ଯେ ‘ଏସଡିଏମ୍ ନ୍ୟାୟିକ’ ପଦବୀରେ ପ୍ରତିଦିନ ମାତ୍ର ପ୍ରାୟ ୪ ଘଣ୍ଟା କାମ ରହୁଛି, ଏଭଳି ପରିସ୍ଥିତିରେ ଯଦି ସରକାର ଠିକ୍ ମନେକରନ୍ତି ତେବେ ତାଙ୍କୁ ଅଧା ଦରମା ଦିଆଯାଉ ।
ରିଙ୍କୁ ସିଂ ରାହୀ ୫ ପୃଷ୍ଠାର ଚିଠିରେ ଉତ୍ତର ପ୍ରଦେଶ ସରକାରଙ୍କ କ୍ୟାବିନେଟ୍ ମନ୍ତ୍ରୀ ସ୍ୱତନ୍ତ୍ର ଦେବ ସିଂ ଏବଂ ବିଧାୟକ ଗୌରୀ ଶଙ୍କର ବର୍ମାଙ୍କ ନାମ ମଧ୍ୟ ଉଲ୍ଲେଖ କରିଛନ୍ତି । ସେ କହିଛନ୍ତି ଯେ ବିଧାୟକ ଗୌରୀ ଶଙ୍କରଙ୍କ ସାମ୍ନାରେ ହିଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ ଯେ ଜାଲୌନ ତହସିଲ ଅଞ୍ଚଳରେ ବେଆଇନ କବଜା ଓ ଜବରଦଖଲ ମାମଲାଗୁଡ଼ିକରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ ।
ସେ କହିଛନ୍ତି ଯେ କ୍ୟାବିନେଟ୍ ମନ୍ତ୍ରୀ ସ୍ୱତନ୍ତ୍ର ଦେବ ସିଂଙ୍କ ନାଁରେ ହେଉଥିବା ବେଆଇନ କବଜାର ନିରପେକ୍ଷ ତଦନ୍ତକୁ ରୋକିବା ପାଇଁ ଏକ ଷଡ଼ଯନ୍ତ୍ର ରଚାଯାଇଥିଲା । ସେ ଅଭିଯୋଗ କରିଛନ୍ତି ଯେ ମନ୍ତ୍ରୀଙ୍କ ନିକଟତମ ସମ୍ପର୍କୀୟ ତଥା ବ୍ଲକ୍ ପ୍ରମୁଖ ରାମରାଜା ନିରଞ୍ଜନଙ୍କ କୋଲ୍ଡ ଷ୍ଟୋରେଜକୁ ନେଇ ବିବାଦ ସୃଷ୍ଟି କରାଯାଇଥିଲା ।
ରିଙ୍କୁ ସିଂ ରାହୀ କହିଛନ୍ତି ଯେ ଏହି ବିବାଦର ତଦନ୍ତ ପାଇଁ ଗଠିତ କମିଟିର ରିପୋର୍ଟ ଆସିବା ପୂର୍ବରୁ ହିଁ ତାଙ୍କୁ ଜାଲୌନ ଏସଡିଏମ୍ ପଦରୁ ହଟାଇ ଦିଆଗଲା । ଅତି ତରବରିଆ ଭାବେ ଏସଡିଏମସ ନ୍ୟାୟିକ ପଦକୁ ବଦଳି କରାଗଲା । ଏହା ସହିତ ସେ ଜାଲୌନ ଜିଲ୍ଲାପାଳଙ୍କ ‘ଜନତା ଦର୍ଶନ’କୁ କେବଳ ଏକ ଦେଖାଣିଆ ବୋଲି ଅଭିଯୋଗ କରିଛନ୍ତି । ସେ କହିଛନ୍ତି ଯେ ଜନତା ଦର୍ଶନରେ ଲୋକଙ୍କ ସମସ୍ୟାର ସ୍ଥାୟୀ ସମାଧାନ କରିବା ବଦଳରେ କେବଳ ଉପରଠାଉରିଆ ସମାଧାନ କରାଯାଉଛି ।
ରିଙ୍କୁ ସିଂ ନିଜ ଚିଠିରେ ଅଧା ଦରମା ନେବା ପ୍ରସ୍ତାବ ସହ ଜାଲୌନର ଅନ୍ୟ କୌଣସି ତହସିଲ କିମ୍ବା ଅନ୍ୟ କୌଣସି ଜିଲ୍ଲାରେ ନିୟମାନୁସାରେ କାମ କରିବାକୁ ଅନୁରୋଧ କରିଛନ୍ତି । ଏହା ବ୍ୟତୀତ ସେ ନିଯୁକ୍ତି ଏବଂ କାର୍ମିକ ବିଭାଗକୁ ଅନୁରୋଧ କରିଛନ୍ତି ଯେ ଯଦି ଉତ୍ତର ପ୍ରଦେଶରେ ସମ୍ଭବ ନୁହେଁ, ତେବେ ତାଙ୍କୁ ଅନ୍ୟ କୌଣସି ରାଜ୍ୟକୁ ପଠାଇ ଦିଆଯାଉ । ଯେଉଁଠାରେ ସାମ୍ବିଧାନିକ ମୂଲ୍ୟବୋଧ ଅନୁଯାୟୀ ସୁଶାସନ ପ୍ରତିଷ୍ଠା କରିବାରେ କୌଣସି ପ୍ରକାର ପ୍ରଶାସନିକ କିମ୍ବା ରାଜନୈତିକ ବାଧା ନଥିବ ।
ସେ କହିଛନ୍ତି ଯେ ଚୂଡ଼ାନ୍ତ ନିଷ୍ପତ୍ତି ହେବା ପର୍ଯ୍ୟନ୍ତ ସେ ଜୁଲାଇ ୨୨ରୁ ନିଜ କାର୍ଯ୍ୟ ଅନୁଯାୟୀ ଅଧା ଦରମା ନେବାକୁ ନିଷ୍ପତ୍ତି ନେଇଛନ୍ତି । ତାଙ୍କର ଏହି ନିଷ୍ପତ୍ତିକୁ ଯେପରି ଶୃଙ୍ଖଳାଗତ ଅବମାନନା ବୋଲି ନଭାବି, ବରଂ ସଦ୍ଭାବନାର ସହ ଗ୍ରହଣ କରାଯାଉ ବୋଲି ସେ ଅନୁରୋଧ କରିଛନ୍ତି ।
