ଫରିଦାବାଦ,୦୪/୦୮ : ହରିୟାଣାର ଫରିଦାବାଦରେ ସୋମବାର ଜଣେ ୩୦ ବର୍ଷୀୟା ଶିକ୍ଷୟିତ୍ରୀଙ୍କୁ ସ୍କୁଲ ଭିତରେ ଛୁରି ଭୁସି ହତ୍ୟା କରାଯାଇଛି। ତାଙ୍କ ନାମ ସନ୍ଧ୍ୟା ଏବଂ ସେ ସ୍ବାମୀଙ୍କ ସହ ଫିରୋଜପୁର କଳାରେ ରହୁଥିବା ବେଳେ ସିକରୋନାସ୍ଥିତ ସରସ୍ୱତୀ ସିନିୟର ସେକେଣ୍ଡାରୀ ସ୍କୁଲରେ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟ କରୁଥିଲେ । ପୁଲିସ ହତ୍ୟାକାରୀ ଯୁବକକୁ ଗିରଫ କରିଛି । ତା ନାଁ ଅମିତ ବୋଲି ଜଣାପଡିଛି।
ଅମିତ ପୂର୍ବରୁ ସମ୍ପୃକ୍ତ ଶିକ୍ଷୟିତ୍ରୀଙ୍କୁ ଅନେକ ଥର ହଇରାଣ କରିଛି। ଯାହାକୁ ନେଇ ଶିକ୍ଷୟିତ୍ରୀ ଅଭିଯୋଗ କରିଥିଲେ । ତେବେ ଅମିତ କ୍ଷମା ମାଗି ମାମଲା ତୁଟାଇ ଦେଇଥିଲା। କିନ୍ତୁ ସନ୍ଧ୍ୟାଙ୍କ ଉପରେ ରାଗ ରଖିଥିଲା ଏବଂ ପ୍ରତିଶୋଧ ନେବାକୁ ସୁଯୋଗ ଖୋଜୁଥିଲା। ସୋମବାର ସକାଳ ପ୍ରାୟ ୯ଟାରେ ସେ ସ୍କୁଲକୁ ଆସିଥିଲା। ମୁହଁକୁ କପଡାରେ ଘୋଡାଇ ରଖିଥିଲା। ବହୁ ସମୟ ପର୍ଯ୍ୟନ୍ତ ସେ ସନ୍ଧ୍ୟାଙ୍କୁ ଅପେକ୍ଷା କରିଥିଲା। ସ୍କୁଲ କର୍ମଚାରୀଙ୍କୁ ସେ ସନ୍ଧ୍ୟାଙ୍କୁ ଦେଖା କରିବାକୁ ଆସିଥିବା କହିଥିଲା ।
Also Read :-ଚାମେଲିଙ୍କ ଜୀବନ ପ୍ରତି ବିପଦ ! ଅନାସ୍ଥା ପୂର୍ବରୁ FIR ଦେଲେ ତିଖିରି ସରପଞ୍ଚ, ଆଣିଲେ ନୂଆ ଅଭିଯୋଗ
ସନ୍ଧ୍ୟା ପହଞ୍ଚିବା ପରେ ତାଙ୍କୁ ଧରି ଘୋଷାଡି ନେବା ସହ ପାଖରେ ରଖିଥିବା ଛୁରିରେ ବାରମ୍ବାର ଆଘାତ କରିଥିଲା । ୩୫ ସେକେଣ୍ଡ ଭିତରେ ସେ ସନ୍ଧ୍ୟାଙ୍କୁ ପ୍ରାୟ ୨୭ ଥର ଛୁରି ଭୁସି ଥିଲା। ସନ୍ଧ୍ୟାଙ୍କ ଚିତ୍କାର ଶୁଣି ସ୍କୁଲର ସଂଯୋଜକ ସେଠାରେ ପହଞ୍ଚିବାରୁ ଅମିତ ତାଙ୍କୁ ଛୁରି ଦେଖାଇ ଭୟଭୀତ କରାଇବା ସହ ପଳାଇବାକୁ ଧମକ ଦେଇଥିଲା । ସନ୍ଧ୍ୟାଙ୍କ ଶରୀର ନିସ୍ତେଜ ହୋଇଯିବା ପରେ ଅମିତ ଫେରାର ହୋଇଯାଇଥିଲା। ସ୍କୁଲର ଅନ୍ୟ ଶିକ୍ଷକ ଓ କର୍ମଚାରୀ ତୁରନ୍ତ ପୁଲିସକୁ ସୂଚନା ଦେବା ସହ ସନ୍ଧ୍ୟାଙ୍କୁ ହସ୍ପିଗଲ ନେଇଥିଲେ। କିନ୍ତୁ ସେତେବେଳକୁ ସନ୍ଧ୍ୟାଙ୍କର ମୃତ୍ୟୁ ଘଟିସାରିଥିଲା।
