କଟକ: ସିରିଜ୍ ଦୁର୍ଘଟଣା ଘଟାଇଲା ନିଶାସକ୍ତ ଡ୍ରାଇଭର। ଶୁକ୍ରବାର ସନ୍ଧ୍ୟାରେ କଟକ ବକ୍ସ ଡ୍ରେନ ରାସ୍ତାରେ ଅନେକ ଗାଡ଼ିକୁ ଏବଂ ରାସ୍ତାରେ ଯାଉଥିବା ଲୋକଙ୍କୁ ଧକ୍କା ଦେଇଛି ଏକ କାର୍ । ଏଥିରେ ଅନେକ ଆହତ ହୋଇଛନ୍ତି। ତେବେ ଗାଡ଼ି ଚାଳକଙ୍କ ସମେତ କାର ଥିବା ଅନ୍ୟମାନେ ନିଶାସକ୍ତ ଅବସ୍ଥାରେ ଥିବା ଜଣାପଡ଼ିବା ପରେ, ସ୍ଥାନୀୟ ଲୋକେ ସେମାନଙ୍କୁ କାବୁ କରି ପୋଲିସର ଜିମା ଦେଇଛନ୍ତି।
ସୂଚନା ଅନୁସାରେ ବଜ୍ରକବାଟିରୁ ବାରପଥର ସଂଯୋଗ କରୁଥିବା ରାସ୍ତାରେ ଆନ୍ଧ୍ରପ୍ରଦେଶ ନମ୍ବର୍ ଥିବା ଏକ୍ କାର୍ ଦ୍ରୁତଗତିରେ ଆସି ଚାରିଜଣଙ୍କୁ ଧକ୍କା ଦେଇଥିଲା। ଆଉ ଦୁର୍ଘଟଣା ପରେ ସେଠାରୁ ଗାଡ଼ି ଚାଳକଙ୍କ ସମେତ ପାଞ୍ଚଜଣ ଖସି ପଳାଇବାକୁ ଉଦ୍ୟମ କରୁଥିଲେ। ମାତ୍ର ସେମାନଙ୍କୁ କାବୁ କରି ପୋଲିସ ଜିମାରେ ଦେଇଛନ୍ତି ସ୍ଥାନୀୟ ଲୋକ।
ତେବେ ଚାଳକଙ୍କ ସମେତ ଗାଡ଼ିରେ ବସିଥିବା ସମସ୍ତେ ନିଶାସକ୍ତ ଥିବା ସୂଚନା। ଏହି ଦୁର୍ଘଟଣାରେ ଆହତଙ୍କୁ ପୋଲିସ ମେଡିକାଲ ପଠାଇଥିବା ବେଳେ ଦୁର୍ଘଟଣା ଘଟାଇଥିବା ଗାଡ଼ିକୁ ଜବତ କରିଛି ପୋଲିସ। ଏହି ଦୁର୍ଘଟଣା ପରେ ଦୀର୍ଘ ସମୟ ପର୍ଯ୍ୟନ୍ତ ବକ୍ସ ଡ୍ରେନ ରାସ୍ତାରେ ଭିଡ଼ ଦେଖିବାକୁ ମିଳିଥିଲା।
