ନୂଆଦିଲ୍ଲୀ: କେତେବେଳେ ପ୍ରେମିକ ତ ଆଉ କେତେବେଳେ ପରିବାର ଲୋକଙ୍କ ପାଇଁ ହତ୍ୟାର ଶିକାର ହୋଇଛନ୍ତି ମହିଳା। ଜାତିସଂଘର ଏକ ରିପୋର୍ଟ ସାର୍ବଜନୀନ ହେବା ପରେ ମହିଳା ସୁରକ୍ଷା ପ୍ରତି ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ୨୦୨୫ରେ ସାରା ବିଶ୍ୱରେ ୪୭,୦୦୦ରୁ ଅଧିକ ମହିଳା ଏବଂ ନାବାଳିକା ନିଜ ପରିବାର ସଦସ୍ୟ କିମ୍ବା ନିକଟ ସମ୍ପର୍କୀୟଙ୍କ ଦ୍ୱାରା ହତ୍ୟାର ଶିକାର ହୋଇଛନ୍ତି। ଅର୍ଥାତ୍ ପ୍ରତି ଘଣ୍ଟାରେ ହାରାହାରି ୫ ଜଣ ମହିଳାଙ୍କୁ ସେମାନଙ୍କର ଅତି ନିଜର ଲୋକମାନେ ହିଁ ହତ୍ୟା କରିଛନ୍ତି।
ମଙ୍ଗଳବାର ପ୍ରକାଶିତ ଜାତିସଂଘର ଏକ ରିପୋର୍ଟରୁ ଏହି ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି । ‘ୟୁଏନ୍ ୱିମେନ୍’ ଏବଂ ‘ଜାତିସଂଘ ନିଶାଦ୍ରବ୍ୟ ଓ ଅପରାଧ କାର୍ଯ୍ୟାଳୟ’ର ଆକଳନ ଅନୁଯାୟୀ, ବିଗତ କିଛି ବର୍ଷ ମଧ୍ୟରେ ସାଥୀ କିମ୍ବା ପରିବାର ସଦସ୍ୟଙ୍କ ଦ୍ୱାରା ହତ୍ୟା କରାଯାଉଥିବା ମହିଳା ଓ ନାବାଳିକାଙ୍କ ସଂଖ୍ୟା ୪୫,୦୦୦ ରୁ ୫୧,୦୦୦ ମଧ୍ୟରେ ରହିଆସିଛି। ଗତ ବର୍ଷ ସାରା ବିଶ୍ୱରେ ମୋଟ ୭୮,୦୦୦ ମହିଳାଙ୍କୁ ହତ୍ୟା କରାଯାଇଛି । lସେଥିମଧ୍ୟରୁ ୬୦ ପ୍ରତିଶତ ହତ୍ୟାକାଣ୍ଡରେ ପ୍ରେମିକ କିମ୍ବା ପରିବାର ସଦସ୍ୟଙ୍କ ହାତ ରହିଛି ।
୧୨୨ଟି ଦେଶର ପରିସଂଖ୍ୟାନକୁ ବିଶ୍ଳେଷଣ କରି ପ୍ରସ୍ତୁତ କରାଯାଇଥିବା ଏହି ତଥ୍ୟ ଅନୁସାରେ, ମୋଟ ୪୭,୦୦୦ ପୀଡ଼ିତାଙ୍କ ଅର୍ଥ ହେଉଛି ପ୍ରତିଦିନ ପ୍ରାୟ ୧୨୯ ଜଣ ମହିଳା ଓ ନାବାଳିକାଙ୍କୁ ହତ୍ୟା କରାଯାଉଛି। ଯଦିଓ ୨୦୨୫ରେ ବିଶ୍ୱବ୍ୟାପୀ ମୋଟ ହତ୍ୟାକାଣ୍ଡ ମଧ୍ୟରେ ମହିଳାଙ୍କ ସଂଖ୍ୟା ୧୯ ପ୍ରତିଶତ ଥିଲା, କିନ୍ତୁ ସେମାନଙ୍କ ମଧ୍ୟରୁ ୬୦ ପ୍ରତିଶତ ଘରୋଇ ପରିସର ଭିତରେ ହିଁ ପ୍ରାଣ ହରାଇଛନ୍ତି। ସେପଟେ ମାତ୍ର ୧୧ ପ୍ରତିଶତ ଏଭଳି ପରିସ୍ଥିତିରେ ପୁରୁଷ ହତ୍ୟାର ଶିକାର ହୋଇଛନ୍ତି।
ରିପୋର୍ଟ ଅନୁସାରେ, ଆଫ୍ରିକାରେ ପୁଣିଥରେ ସର୍ବାଧିକ ୨୨,୧୦୦ ମହିଳା ଓ ନାବାଳିକା ନିଜ ପ୍ରେମିକ କିମ୍ବା ପରିବାର ସଦସ୍ୟଙ୍କ ଦ୍ୱାରା ହତ୍ୟାର ଶିକାର ହୋଇଛନ୍ତି। ଏହା ପଛକୁ ଏସିଆରେ ୧୫,୧୦୦ ଜଣ, ଆମେରିକାରେ ୭,୪୦୦, ୟୁରୋପରେ ୨,୧୦୦ ଏବଂ ଓସେନିଆ ଅଞ୍ଚଳରେ ୩୦୦ ଜଣ ମହିଳାଙ୍କ ନିଜ ଲୋକ ହତ୍ୟା କରିଛନ୍ତି । ଜାତିସଂଘ ମତରେ, ଏପରି ଅପରାଧ ସାମାଜିକ ରୀତିନୀତି ଏବଂ ଲିଙ୍ଗଗତ ରୂଢ଼ିବାଦୀ ଚିନ୍ତାଧାରା ସହ ଗଭୀର ଭାବେ ଜଡ଼ିତ । ଏହା ନ୍ୟାୟ ବ୍ୟବସ୍ଥା ପର୍ଯ୍ୟନ୍ତ ମହିଳାଙ୍କ ପହଞ୍ଚିବାରେ ଥିବା ପ୍ରତିବନ୍ଧକକୁ ମଧ୍ୟ ସୂଚାଉଛି।
