ନୂଆଦିଲ୍ଲୀ: ଚୀନ୍ରେ ପ୍ରଳୟଙ୍କରୀ ବାତ୍ୟା ‘ବାଭି’ (Typhoon Bavi) ଶନିବାର ବିଳମ୍ବିତ ରାତିରେ ଜେଜିଆଙ୍ଗ ପ୍ରଦେଶର ଉପକୂଳ ଛୁଇଁଛି। ବାତ୍ୟା ସ୍ଥଳଭାଗକୁ ଛୁଇଁବା ପରେ ସେଠାରେ ପ୍ରବଳ ପବନ ସହ ବର୍ଷାର ତାଣ୍ଡବ ଦେଖିବାକୁ ମିଳିଛି। କ୍ଷୟକ୍ଷତି ଓ ବିପଦକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ପ୍ରାୟ ୨୦ ଲକ୍ଷରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି।
ଚଳିତ ବର୍ଷର ଏହି ନବମ ବାତ୍ୟା ଶନିବାର ରାତିରେ ଜେଜିଆଙ୍ଗର ଉପକୂଳ ଅଞ୍ଚଳରେ ଲ୍ୟାଣ୍ଡଫଲ୍ କରିଥିବା ନେଇ ସ୍ଥାନୀୟ ପାଣିପାଗ କେନ୍ଦ୍ର ସୂଚନା ଦେଇଛି। ସରକାରୀ ଗଣମାଧ୍ୟମ ‘ସିନହୁଆ’ ଅନୁଯାୟୀ, ଏହି ବାତ୍ୟା ଉଆନ୍ ସହରରେ ମାଡ଼ ହୋଇଥିବା ବେଳେ ଏହାର କେନ୍ଦ୍ରସ୍ଥଳରେ ପବନର ସର୍ବାଧିକ ବେଗ ସେକେଣ୍ଡ ପ୍ରତି ୪୦ ମିଟର ରହିଥିଲା।
ବାତ୍ୟାର ଭୟାବହତାକୁ ଦେଖି ଚୀନର ଜାତୀୟ ପାଣିପାଗ କେନ୍ଦ୍ର ପକ୍ଷରୁ ‘ରେଡ୍ ଆଲର୍ଟ’ ଜାରି କରାଯାଇଛି। ବାତ୍ୟା ପାଇଁ ଅରେଞ୍ଜ ଆଲର୍ଟ ଏବଂ ପ୍ରବଳ ବର୍ଷା ପାଇଁ ରେଡ୍ ଆଲର୍ଟ ଜାରି କରାଯାଇ ବନ୍ୟା ନିୟନ୍ତ୍ରଣ ଓ ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥାକୁ ବ୍ୟାପକ କରାଯାଇଛି। ରାଜଧାନୀ ବେଜିଂ ସମେତ ଅନେକ ପ୍ରମୁଖ ସହରରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଛି।
ଏହି ପ୍ରାକୃତିକ ବିପର୍ଯ୍ୟୟ କାରଣରୁ ପୂର୍ବ ଚୀନ୍ରେ ବିମାନ ସେବା, ଫେରି ସେବା ଏବଂ ପର୍ଯ୍ୟଟନ ଉପରେ ରୋକ ଲଗାଯାଇଛି। ଜେଜିଆଙ୍ଗ, ଉତ୍ତର ଫୁଜିଆନ୍, ଉତ୍ତର-ପୂର୍ବ ଜିଆଙ୍ଗସି, ଦକ୍ଷିଣ ଆନହୁଇ ସମେତ ହେବେଇ ଏବଂ ବେଜିଂର କେତେକ ଅଞ୍ଚଳରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ଅଘଟଣକୁ ଏଡ଼ାଇବା ପାଇଁ ସ୍ଥାନୀୟ କର୍ତ୍ତୃପକ୍ଷ ସଜାଗ ରହିଛନ୍ତି।
