Voice of Eastern India

ପଶ୍ଚିମବଙ୍ଗ SIR ଟ୍ରିବ୍ୟୁନାଲର ଚତୁର୍ଥ ବିଚାରପତି ବିଶ୍ୱଜିତ ବସୁଙ୍କ ଇସ୍ତଫା


କୋଲକାତା: ପଶ୍ଚିମବଙ୍ଗ ଏସଆଇଆର ଟ୍ରିବ୍ୟୁନାଲରୁ କୋଲକାତା ହାଇକୋର୍ଟଙ୍କ ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍ ବିଶ୍ୱଜିତ ବସୁ ଇସ୍ତଫା ଦେଇଛନ୍ତି। ଏଥି ପାଇଁ ସେ ବ୍ୟକ୍ତିଗତ କାରଣ ଦର୍ଶାଇଛନ୍ତି। ଏକ ବିଶ୍ୱସନୀୟ ସୂତ୍ରରୁ ଶନିବାର ଏହି ସୂଚନା ମିଳିଛି। ଭୋଟର ଲିଷ୍ଟ ସ୍ପେଶାଲ ଇଣ୍ଟେନସିଭ ରିଭିଜନ (ଏସଆଇଆର) ପ୍ୟାନେଲ ମୁଖ୍ୟ ଭାବେ ନିଯୁକ୍ତ ୧୯ ଜଣ ଅବସରପ୍ରାପ୍ତ ବିଚାରପତିଙ୍କ ମଧ୍ୟରୁ ଇସ୍ତଫା ଦେବାରେ ଜଷ୍ଟିସ ବସୁ ଚତୁର୍ଥ। ସେ କୋଲକାତା ହାଇକୋର୍ଟର ପୂର୍ବତନ ବିଚାରପତି ଟି.ଏସ୍.ଶିବଜ୍ଞାନମ, ଜଷ୍ଟିସ୍ ରଞ୍ଜିତ କୁମାର ବାଗ ତଥା ଜଷ୍ଟିସ୍ ଇନ୍ଦ୍ରଜିତ ଚାଟାର୍ଜୀଙ୍କ ଇସ୍ତଫା ପରେ ଇସ୍ତଫା ଦେଇଛନ୍ତି।

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ନିର୍ବାଚନ କମିଶନ ଗତ ମାର୍ଚ୍ଚ ମାସରେ ପଶ୍ଚିମବଙ୍ଗ ପାଇଁ ୧୯ଟି ଆପିଲେଟ୍ ଟ୍ରିବ୍ୟୁନାଲ ଗଠନ କରିଥିଲେ। ଏସଆଇଆର ପ୍ରକ୍ରିୟାରେ ତାର୍କିକ ଅସଙ୍ଗତି ସମେତ ବିଭିନ୍ନ କାରଣରୁ ପଶ୍ଚିମବଙ୍ଗରେ ପ୍ରାୟ ୯୧ଲକ୍ଷ ଭୋଟରଙ୍କ ନାମ ଭୋଟର ତାଲିକାରୁ ବାଦ ଦିଆଯାଇଥିଲା। ଏହି ଟ୍ରିବ୍ୟୁନାଲ ଗୁଡିକ ଭୋଟର ଲିଷ୍ଟରୁ ବାଦ ପଡିଥିବା ଲକ୍ଷଲକ୍ଷ ଲୋକଙ୍କ ଦ୍ୱାରା ଦାଖଲ ଆବେଦନର ଶୁଣାଣି କରୁଛନ୍ତି। ନିର୍ବାଚନ କମିସନଙ୍କ ଜନୈକ ବରିଷ୍ଠ ଅଧିକାରୀ ଗଣମାଧ୍ୟମକୁ କହିଛନ୍ତି ଯେ ଅବସରପ୍ରାପ୍ତ ବିଚାରପତିଙ୍କ ଏପରି ଇସ୍ତଫା ମୁର୍ଶିଦାବାଦ ଜିଲ୍ଲାରେ ଆବେଦନର ସମାଧାନକୁ ପ୍ରଭାବିତ କରିପାରେ, ଯେଉଁଠି ବହୁ ସଂଖ୍ୟାରେ ଭୋଟରଙ୍କୁ ଭୋଟର ଲିଷ୍ଟରୁ ବାଦ ଦିଆଯାଇଛି। ଏପରି ସ୍ଥିତିରେ ଜଷ୍ଟିସ୍ ବସୁଙ୍କ ଇସ୍ତଫା ଏସଆଇଆର ଟ୍ରିବ୍ୟୁନାଲଗୁଡିକୁ ନେଇ ଅନିଶ୍ଚିତତାକୁ ବଢାଇ ଦେଇଛି।

ସୂତ୍ରରୁ ମିଳୁଥିବା ସୂଚନା ଅନୁସାରେ ଜଷ୍ଟିସ୍ ବସୁ ଶୁକ୍ରବାର ଏକ ପତ୍ର ମାଧ୍ୟମରେ କୋଲକାତା ଉଚ୍ଚନ୍ୟାୟାଳୟର ବିଚାରପତିଙ୍କୁ ତାଙ୍କ ନିଷ୍ପତ୍ତିର ସୂଚନା ଦେଇଥିଲେ। ନିର୍ବାଚନ ଆୟୋଗଙ୍କ ଅଧିକାରୀଙ୍କ ଅନୁସାରେ ଜଷ୍ଟିସ୍ ବସୁ ଓ ଜଷ୍ଟିସ୍ ଚାଟାର୍ଜୀଙ୍କୁ ମୁର୍ଶିଦାବାଦ ଜିଲ୍ଲା ଭୋଟରଙ୍କ ନିବେଦନ ନିସ୍ତାରଣ ପାଇଁ ଦାୟିତ୍ୱ ଦିଆଯାଇଥିଲା। ତେବେ ମାସକ ମଧ୍ୟରେ ଦୁଇ ଜଣ ବିଚାରପତି ହଟିଯିବାରୁ ମୁର୍ଶିଦାବାଦ ଭୋଟରଙ୍କ ଆବେଦନ ନିସ୍ତାରଣ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି। ଏହା ଟ୍ରିବ୍ୟୁନାଲର ବିଚାରାଧୀନ ମାମଲାଗୁଡିକୁ ସମାଧାନ କରିବାର କ୍ଷମତା ଉପରେ ପ୍ରଶ୍ନ ଉଠାଇଛି।

ଜଷ୍ଟିସ୍ ଚାଟାର୍ଜୀ ପ୍ରତିଦିନ ୨୨ କିଲୋମିଟର ଯାତାୟାତରେ ହେଉଥିବା ଅସୁବିଧା ଦର୍ଶାଇ ଇସ୍ତଫା ଦେଇଥିଲେ। ସେ ଆରମ୍ଭରେ ଏହି କାର୍ଯ୍ୟ ୨ରୁ ୩ ମାସର ଅସ୍ଥାୟୀ କାର୍ଯ୍ୟ ହେବ ବୋଲି ଭାବିଥିଲେ। ତେବେ ମାମଲା ସଂଖ୍ୟାକୁ ଦେଖି ଏହା ଏକ ବିଳମ୍ବିତ ପ୍ରକ୍ରିୟା ଅନୁଭବ କରିବା ପରେ ଅନ୍ତତଃ ସେ ଏହି କାମରୁ ହଟିବାକୁ ନିଷ୍ପତ୍ତି ନେଇଥିଲେ। ସେହିପରି ଜଷ୍ଟିସ୍ ବାଗ୍ ଓଜଷ୍ଟିସ୍ ଶିବଜ୍ଞାନମ ବ୍ୟକ୍ତିଗତ ଓ ପାରିବାରିକ କାରଣ ଦର୍ଶାଇ ଟ୍ରିବ୍ୟୁନାଲରୁ ହଟି ଯାଇଥିଲେ।



Source link

Leave A Reply

Your email address will not be published.