ରାଉରକେଲା ୨୭।୦୬: କଣ୍ଟକ୍ଟର ଭୁଲିଗଲେ ମାନବିକତା । ମାତ୍ର ୨ ଟଙ୍କା ପାଇଁ ଜଣେ ଅସହାୟ ବୃଦ୍ଧବୃଦ୍ଧାଙ୍କୁଙ୍କୁ ରାସ୍ତାରେ ଓହ୍ଲାଇଦେଲେ । ସୋସିଆଲ ମିଡିଆରେ ଖୁବ ଭାଇରାଲ ହୋଇଥିଲା ଏହି ଭିଡିଓ । ଏବେ ଚାରିଆଡୁ ସମାଲୋଚନାର ଶିକାର ହେବା ପରେ ଆକ୍ସନ ନେଇଛି ପ୍ରଶାସନ । ଉକ୍ତ କଣ୍ଟକ୍ଟର ଜଣଙ୍କୁ ଏବେ କାର୍ଯ୍ୟରୁ ବହିଷ୍କୃତ କରାଯାଇଛି ।
ସମ୍ପୃକ୍ତ ୪ଜଣ ଯାତ୍ରୀଙ୍କ ଘର କୋଇଡ଼ା ବ୍ଲକର ଦୁର୍ଗମ ଚୋରଧରା ଗ୍ରାମରେ । ବ୍ଲକ ସଦରଠାରୁ ଗାଁର ଦୂରତା ପ୍ରାୟ ୪୫ କିମି । ଗୁରୁବାର ସକାଳେ ସେମାନେ କୌଣସି କାର୍ଯ୍ୟରେ କୋଇଡ଼ା ବ୍ଲକ କାର୍ଯ୍ୟାଳୟକୁ ଆସିଥିଲେ । କାମ ସାରିବା ପରେ ମୁଖ୍ୟମନ୍ତ୍ରୀ ବସ୍ରେ ଚୋରଧରା ଅଭିମୁଖେ ବାହାରିଥିଲେ । କୋଇଡ଼ାରୁ ଚୋରଧରାକୁ ବସ୍ ଭଡ଼ା ୧୧ ଟଙ୍କା । ନିର୍ଦ୍ଧାରିତ ସମୟରେ ବସ୍ ଗନ୍ତବ୍ୟସ୍ଥଳ ଅଭିମୁଖେ ବାହାରିଥିଲା । ଅପରାହ୍ଣ ପ୍ରାୟ ୩ଟାରେ ଜାମୁଡ଼ିହି ଜଙ୍ଗଲ ରାସ୍ତାରେ ପହଞ୍ଚିଥିଲା । କଣ୍ଡକ୍ଟର ଆଜାଦ ସିଂହ ବସ୍ ଭଡ଼ା ଟଙ୍କା ମାଗିଥିଲା । ସେମାନେ ପାଖରେ ଥିବା ୪୦ ଟଙ୍କା ବଢ଼ାଇଥିଲେ । ଦୁଇ ଟଙ୍କା ନିଅଣ୍ଟ ଥିବାରୁ ସେତିକି ନେବାକୁ ଅନୁରୋଧ କରିଥିଲେ । ଏତିକିରେ କଣ୍ଡକ୍ଟର ମୁଣ୍ଡକୁ ପିତ୍ତ ଚଢ଼ି ଯାଇଥିଲା । ସେ ସମ୍ପୃକ୍ତ ୪ଜଣଙ୍କୁ ଦୁର୍ବ୍ୟବହାର କରିଥିଲେ । ବୃଦ୍ଧଙ୍କ ହାତ ଧରି ଟଣାଓଟରା କରିବା ସହ ଜଙ୍ଗଲ ରାସ୍ତାରେ ଧକ୍କା ଦେଇ ବସ୍ରୁ ବାହାର କରି ଦେଇଥିଲେ । ଅତ୍ୟନ୍ତ ଦୁର୍ଗମ ଇଲାକା ଏବଂ ଅପରାହ୍ଣରେ ମାତ୍ର ଗୋଟିଏ ବସ୍ ଚଳାଚଳ କରୁଥିବାରୁ ବୃଦ୍ଧ ଦମ୍ପତିଙ୍କ ଚିନ୍ତା ବଢ଼ିଥିଲା । ନିରୁପାୟ ହୋଇ ସେମାନେ ଚାଲି ଚାଲି ଗାଁକୁ ଯିବାକୁ ମନସ୍ଥ କରିଥିଲେ । ପାଖାପାଖି ୧୫ କିମି ଚାଲି ରାତିରେ ଘରେ ପହଞ୍ଚିଥିଲେ ।
Also Read:-ଟ୍ରେନ ଟ୍ରାକରେ କାହିଁକି ବିଛାଯାଇଥାଏ ପଥର ? ଜାଣିଲେ ହେବେ ଆଶ୍ଚର୍ଯ୍ୟ..!
ବସ୍ ଭିତରେ ବୃଦ୍ଧ ଦମ୍ପତି ଓ ଅନ୍ୟ ଦୁଇଜଣଙ୍କୁ କଣ୍ଡକ୍ଟର ଦୁର୍ବ୍ୟବହାର କରିବା ବେଳର ଦୃଶ୍ୟକୁ ବସରେ ଜଣେ ଯାତ୍ରୀ ମୋବାଇଲ ଫୋନରେ କଏଦ କରିଥିଲେ । ଏହା ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଶୁକ୍ରବାର ଆକ୍ସନ ମୋଡକୁ ଆସିଥିଲା ପ୍ରଶାସନ । ଅତିରିକ୍ତ ତହସିଲଦାର ନିର୍ମଳ ବିଶ୍ୱାଳ ଘଟଣାର ତଦନ୍ତ କରି କଣ୍ଡକ୍ଟର ଆଜାଦକୁ କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି । ଏଭଳି ଘଟଣାର ଯେପରି ପୁନରାବୃତ୍ତି ନହୁଏ, ସେଥିଲାଗି ମୁଖ୍ୟମନ୍ତ୍ରୀ ବସ୍ ସେବାରେ ନିୟୋଜିତ କର୍ମଚାରୀଙ୍କୁ କଡ଼ା ତାଗିଦ୍ କରିଛନ୍ତି ।
Source link
