Voice of Eastern India

ମହାଯୁଦ୍ଧ ଆଡ଼କୁ ମଧ୍ୟପ୍ରାଚ୍ୟ: ଲାଲ ସାଗରରେ ହୁଥିଙ୍କ କଟକଣା, ବିଶ୍ୱ ପ୍ରତି ତୈଳ ସଙ୍କଟର ବଡ଼ ବିପଦ!


ରିୟାଦ: ମଧ୍ୟପ୍ରାଚ୍ୟରେ ସ୍ଥିତି ଅତ୍ୟନ୍ତ ଗମ୍ଭୀର ହେବାରେ ଲାଗିଛି। ଇରାନ-ଆମେରିକା ଯୁଦ୍ଧ ଭିତରେ ଏବେ ୟେମେନର ଇରାନ-ସମର୍ଥିତ ହୁ ବିଦ୍ରୋହୀ ସାଉଦି ଆରବ ବିରୋଧରେ ନୌସେନା ଅବରୋଧ ଘୋଷଣା କରିଛନ୍ତି। ହୁତିଙ୍କ ଆକ୍ରମଣ ଭୟରେ ସାଉଦି ଆରବ ଲାଲ ସାଗରରୁ ନିଜର ଦୁଇଟି ଅଶୋଧିତ ତୈଳ ଟ୍ୟାଙ୍କରକୁ ଫେରାଇ ଆଣିବାକୁ ବାଧ୍ୟ ହୋଇଛି।

ସୂଚନାଯୋଗ୍ୟ ଯେ, ଭାରତ ଓ ଚୀନ୍ ଅଭିମୁଖେ ବାହାରିଥିବା ଏହି ଟ୍ୟାଙ୍କର ଦୁଇଟି ‘ବାବ୍-ଏଲ୍-ମାଣ୍ଡେବ’ ପ୍ରଣାଳୀ ଦେଇ ଭାରତ ମହାସାଗରକୁ ଆସିବା ପରିବର୍ତ୍ତେ ସୁଏଜ୍ କେନାଲ ଆଡ଼କୁ ୟୁ-ଟର୍ଣ୍ଣ ନେଇଛନ୍ତି।

ସାଉଦି ତେଲ ଲୋଡ୍ କିମ୍ବା ଅନଲୋଡ୍ କରୁଥିବା ଯେକୌଣସି ଜାହାଜ ଉପରେ ଆକ୍ରମଣ କରାଯିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି। ଆମେରିକା-ଇରାନ ସଂଘର୍ଷ ଯୋଗୁଁ ହରମୁଜ୍ ପ୍ରଣାଳୀ ପୂର୍ବରୁ ବନ୍ଦ ରହିଛି। ଲାଲ ସାଗର ହିଁ ସାଉଦି ତୈଳ ରପ୍ତାନିର ମୁଖ୍ୟ ବିକଳ୍ପ ଥିଲା, ଯାହା ଏବେ ପ୍ରଭାବିତ ହୋଇଛି।

ଇରାନ ଉପରେ ଆମେରିକାର ସାମରିକ ଆକ୍ରମଣ ଜାରି ରହିଛି। ପ୍ରତିଶୋଧରେ ଇରାନ ବାହାରିନ, କୁୱେତ ଓ ଜୋର୍ଡାନରେ ଥିବା ଆମେରିକୀୟ ଘାଟିକୁ ଟାର୍ଗେଟ କରିଛି। ବାହାରିନରେ ଥିବା ଆମାଜନ୍ (Amazon)ର ଆଞ୍ଚଳିକ ଡାଟା ସେଣ୍ଟର ଉପରେ ଇରାନ ଆକ୍ରମଣ କରିଥିବା ଦାବି କରିଛି।

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ, ଯଦି ହୁତିମାନେ ବାବ୍-ଏଲ୍-ମାଣ୍ଡେବ ପ୍ରଣାଳୀ ସମ୍ପୂର୍ଣ୍ଣ ବନ୍ଦ କରନ୍ତି, ତେବେ ସେମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ। ଏହି ଯୁଦ୍ଧରେ ଏପର୍ଯ୍ୟନ୍ତ ୧୮ ଜଣ ଆମେରିକୀୟ ସୈନ୍ୟ ନିହତ ହୋଇଥିବା ସେ ନିଶ୍ଚିତ କରିଛନ୍ତି।

ମରିଟାଇମ୍ ରିସ୍କ ଗ୍ରୁପ୍ ‘ଭାନଗାର୍ଡ’ ଅନୁଯାୟୀ, ହୁତିଙ୍କ କଟକଣା ପରେ ବାଣିଜ୍ୟିକ ଟ୍ୟାଙ୍କର ମାର୍ଗରେ ଏହା ପ୍ରଥମ ବଡ଼ ପରିବର୍ତ୍ତନ। ଦୁଇଟି ଯାକ ପ୍ରମୁଖ ଜଳପଥ (ହରମୁଜ୍ ଓ ବାବ୍-ଏଲ୍-ମାଣ୍ଡେବ) ବାଧାପ୍ରାପ୍ତ ହେବା ଫଳରେ ସାରା ବିଶ୍ୱରେ ଏକ ବଡ଼ ଶକ୍ତି ସଙ୍କଟ ତୈଳ ଦର ବୃଦ୍ଧିର ଆଶଙ୍କା ସୃଷ୍ଟି ହୋଇଛି।



Source link

Leave A Reply

Your email address will not be published.