Voice of Eastern India

ଭାରତୀୟ ରେଳବାଇରେ ନୂଆ ଯୁଗ: ସାବରମତୀରୁ ଗଡ଼ିଲା ଦେଶର ପ୍ରଥମ LNG ଚାଳିତ ଟ୍ରେନ୍


ନୂଆଦିଲ୍ଲୀ: ଭାରତୀୟ ରେଳବାଇରେ ଏକ ନୂତନ ଯୁଗର ଆରମ୍ଭ ହୋଇଛି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏବଂ ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ଗୁଜରାଟର ସାବରମତୀରୁ ଦେଶର ପ୍ରଥମ ଏଲ୍‌ଏନ୍‌ଜି ଚାଳିତ ଟ୍ରେନ୍‌ର ଶୁଭାରମ୍ଭ କରିଛନ୍ତି। ପାରମ୍ପରିକ ଡିଜେଲ ଇନ୍ଧନ ଉପରେ ନିର୍ଭରଶୀଳତା କମାଇବା ସହରେଳ ପରିଚାଳନାରେ ବିକଳ୍ପ ଶକ୍ତିର ବ୍ୟବହାରକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ ଏଲଏନଜି ଚାଳିତ ଟ୍ରେନ୍‌ର ଶୁଭାରମ୍ଭ ହୋଇଛି । ଏହି ଟ୍ରେନ୍‌ରେ ଏକ ସ୍ୱତନ୍ତ୍ର ‘ଡିଜେଲ୍-ପ୍ଲସ୍-ଏଲ୍‌ଏନ୍‌ଜି’ ଡୁଆଲ୍-ଫ୍ୟୁଲ୍ ସିଷ୍ଟମ୍ ବ୍ୟବହାର କରାଯାଇଛି। ସାବରମତୀ କୋଚିଂ ଡିପୋରେ ଦୁଇଟି ୧,୪୦୦ HP ବିଶିଷ୍ଟ ଡ୍ରାଇଭିଂ ପାୱାର୍ କାରକୁ ଏହି ପ୍ରଯୁକ୍ତିବିଦ୍ୟାରେ ପରିବର୍ତ୍ତିତ କରାଯାଇଛି, ଯାହା ଦ୍ୱାରା ଡିଜେଲ ସହିତ ଏଲ୍‌ଏନଜିର ବ୍ୟବହାର ସମ୍ଭବ ହୋଇପାରିବ। ଏହି ସିଷ୍ଟମର କାର୍ଯ୍ୟଦକ୍ଷତା ଓ ନିର୍ଭରଯୋଗ୍ୟତା ପରୀକ୍ଷା ପାଇଁ ପୂର୍ବରୁ ୨,୦୦୦ କିଲୋମିଟରରୁ ଅଧିକ ଟ୍ରାଏଲ୍ ସଫଳତାର ସହ ଶେଷ କରାଯାଇଥିଲା।

ଏହି ନୂଆ ପ୍ରଯୁକ୍ତିବିଦ୍ୟା ଦ୍ୱାରା ମୋଟ ଡିଜେଲ୍ ବ୍ୟବହାରର ପ୍ରାୟ ୪୦ ପ୍ରତିଶତ ପର୍ଯ୍ୟନ୍ତ ଏଲଏନଜି ଦ୍ୱାରା ଭରଣା କରାଯାଇପାରିବ। ରେଳବାଇର ତଥ୍ୟ ଅନୁଯାୟୀ, ଏହାଦ୍ୱାରା ଇନ୍ଧନ ଖର୍ଚ୍ଚ କମିବା ସହ କାର୍ବନ୍ ଡାଇଅକ୍ସାଇଡ୍, ନାଇଟ୍ରୋଜେନ୍ ଅକ୍ସାଇଡ୍ ଏବଂ ଅନ୍ୟାନ୍ୟ ପ୍ରଦୂଷଣକାରୀ ଗ୍ୟାସ୍ ନିର୍ଗମନ ହ୍ରାସ ପାଇବ। ପ୍ରାରମ୍ଭିକ ଆକଳନ ଅନୁଯାୟୀ, ଗୋଟିଏ ପାୱାର୍ କାରରୁ ବାର୍ଷିକ ପ୍ରାୟ ୧୧.୯ ଲକ୍ଷ ଟଙ୍କା ଏବଂ ୮ଟି ବଗି ବିଶିଷ୍ଟ ଟ୍ରେନରୁ ପ୍ରାୟ ୨୩.୯ ଲକ୍ଷ ଟଙ୍କା ଇନ୍ଧନ ଖର୍ଚ୍ଚ ବଞ୍ଚିପାରିବ। ଏହି ଡୁଆଲ୍-ଫ୍ୟୁଲ୍ ସିଷ୍ଟମରେ ଇନ୍ଧନର ଉପଲବ୍ଧତା ଅନୁଯାୟୀ ଇଞ୍ଜିନକୁ ଏଲଏନଜି ଏବଂ ଡିଜେଲ୍ ମଧ୍ୟରେ ପରିବର୍ତ୍ତନ କରାଯାଇପାରିବ । ଏହା ପରିଚାଳନାକୁ ଅଧିକ ସହଜ କରିବ।

ପରିବର୍ତ୍ତିତ ପାୱାର୍ କାରରେ ପ୍ରାୟ ୨,୨୦୦ ଲିଟର କ୍ଷମତା ବିଶିଷ୍ଟ ଏଲଏନଜି ଟ୍ୟାଙ୍କ ରହିଛି । ଯେଉଁଥିରେ ୮୫୦ ରୁ ୯୦୦ କିଲୋଗ୍ରାମ ଏଲଏନଜି ରହିପାରିବ। ଗୋଟିଏ ଥର ଗ୍ୟାସ୍ ଭର୍ତ୍ତି କଲେ ଟ୍ରେନ ପ୍ରାୟ ୧,୬୦୦ କିଲୋମିଟର ପର୍ଯ୍ୟନ୍ତ ଚାଲିପାରିବ । ଫଳରେ ବାରମ୍ବାର ଇନ୍ଧନ ଭରିବାର ଆବଶ୍ୟକତା ପଡ଼ିବ ନାହିଁ। କେନ୍ଦ୍ର ଗୃହମନ୍ତ୍ରୀଙ୍କ ଅହମ୍ମଦାବାଦ ଗସ୍ତ ଅବସରରେ ଘୋଷଣା କରାଯାଇଥିବା ୧,୫୪୨ କୋଟିରୁ ଅଧିକ ଟଙ୍କାର ବିଭିନ୍ନ ରେଳ ପ୍ରକଳ୍ପ ମଧ୍ୟରୁ ଏହା ଅନ୍ୟତମ ଥିଲା। ଏହା ବ୍ୟତୀତ ସେ ସାବରମତୀଠାରେ ୭୦୦ କୋଟି ଟଙ୍କାର WAG-12 ଲୋକୋମୋଟିଭ୍ ମରାମତି ସେଡର ଉଦଘାଟନ କରିଛନ୍ତି । ଏହା ସହ ଆଦିତ୍ୟପୁର-ପାଲନପୁର ଏବଂ ଅହମ୍ମଦାବାଦ-ସାମଖିଆଲି ସେକ୍ସନରେ ସ୍ୱଦେଶୀ ‘କବଚ’ ସୁରକ୍ଷା ପ୍ରଣାଳୀର ଶୁଭାରମ୍ଭ କରିଥିବା ଜଣାପଡ଼ିଛି ।



Source link

Leave A Reply

Your email address will not be published.