ନୂଆଦିଲ୍ଲୀ: ପଳାତକ ବ୍ୟବସାୟୀ ବିଜୟ ମାଲ୍ୟା ଭାରତର ଋଣ ଆଦାୟ ପ୍ରକ୍ରିୟା ବ୍ୟବସ୍ଥା ଉପରେ ପୁଣି ଥରେ କଟାକ୍ଷ କରିଛନ୍ତି । ତାଙ୍କର ଦାବି ଅନୁଯାୟୀ, ସରକାରୀ ବ୍ୟାଙ୍କଗୁଡ଼ିକ ତାଙ୍କର ସମସ୍ତ ଋଣ ଆଦାୟ କରିସାରିଛନ୍ତି, ତଥାପି ତାଙ୍କୁ ନ୍ୟାୟ ମିଳିବାରୁ ବଞ୍ଚିତ କରାଯାଉଛି । ଇନସଲଭେନ୍ସି ଆଣ୍ଡ ବ୍ୟାଙ୍କରପ୍ସି କୋଡ୍ (IBC) ଅଧୀନରେ ଏସେଲ୍ ଗ୍ରୁପର ଚେୟାରମ୍ୟାନ୍ ସୁଭାଷ ଚନ୍ଦ୍ର ୨୨,୦୦୬.୫୭ କୋଟି ଟଙ୍କାର ଋଣ ଦାବିକୁ ମାତ୍ର ୬.୫ କୋଟି ଟଙ୍କାରେ ସେଟଲମେଣ୍ଟ କରିଥିବା ଗଣମାଧ୍ୟମ ରିପୋର୍ଟ ଉପରେ ପ୍ରତିକ୍ରିୟା ଦେଇ ମାଲ୍ୟା ପ୍ରଶ୍ନ ଉଠାଇଛନ୍ତି । ଭିନ୍ନ ଭିନ୍ନ କୋର୍ପୋରେଟ୍ ଋଣ ସମାଧାନ କିପରି ଭିନ୍ନ ଢଙ୍ଗରେ ପରିଚାଳିତ ହେଉଛି ବୋଲି ପ୍ରଶ୍ନ କରିଛନ୍ତି । ସେପଟେ କିନ୍ତୁ ଏସେଲ୍ ଗ୍ରୁପ୍ ଅଧ୍ୟକ୍ଷ ସୁଭାଷ ଚନ୍ଦ୍ରା ଉକ୍ତ ଗଣମାଧ୍ୟମକୁ ବିଭ୍ରାନ୍ତିକର କରି ଖଣ୍ଡନ କରିଛନ୍ତି ।
ଏକ୍ସରେ ଏକ ପୋଷ୍ଟ କରି ମାଲ୍ୟା ଲେଖିଛନ୍ତି, “ଯଦି ଏହା ସତ, ତେବେ ମୋ ବନ୍ଧୁ ସୁଭାଷଙ୍କୁ ଅନେକ ଅଭିନନ୍ଦନ । ବ୍ୟାଙ୍କ ଏବଂ ସରକାର ମୋ ଠାରୁ ୬,୨୦୩ କୋଟି ଟଙ୍କାର କୋର୍ଟ ଆଦେଶ ତୁଳନାରେ ୧୪,୧୦୦ କୋଟି ଟଙ୍କା ଆଦାୟ କରିସାରିଥିବା ସ୍ୱୀକାର କରିଛନ୍ତି । ଆଉ ଅନେକ ଋଣଦାତାଙ୍କ ମୂଳ ଋଣର ଅନେକ ଭାଗରେ ସେଟଲମେଣ୍ଟ କରିଛନ୍ତି । ମୁଁ ଭାବୁଛି ଏହା ହିଁ ଭାରତୀୟ ଋଣ ସମାଧାନ ନ୍ୟାୟ (Indian Debt Resolution Justice)। ଏହା ଉପରେ ଗଣମାଧ୍ୟମର କୌଣସି ପ୍ରଶ୍ନ ନାହିଁ ।”
If True many congratulations to my friend Subhash.Banks and Government have admitted having recovered Rs 14,100 crores from me against a Judgement debt of Rs 6203 crores. Many more borrowers have settled at a fraction. Indian Debt Resolution Justice I presume. No media questions. pic.twitter.com/5uwxYSAX8H
— Vijay Mallya (@TheVijayMallya) August 26, 2026
କିଙ୍ଗଫିସର ଏୟାରଲାଇନ୍ସର ପୂର୍ବତନ ପ୍ରମୋଟର ସମ୍ପତ୍ତି ଆଦାୟକୁ ନେଇ ନିଜର ଅସନ୍ତୋଷ ବ୍ୟକ୍ତ କରିବା ଏହା ପ୍ରଥମ ଘଟଣା ନୁହେଁ । ପୂର୍ବରୁ ସଂସଦରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମଣ ସରକାରୀ ବ୍ୟାଙ୍କଗୁଡ଼ିକ ମାଲ୍ୟାଙ୍କ ବାଜ୍ୟାପ୍ତ ସମ୍ପତ୍ତିରୁ ୧୪,୧୩୧.୬୦ କୋଟି ଟଙ୍କା ଆଦାୟ କରିଥିବା ସ୍ପଷ୍ଟ କରିବା ପରେ ସେ କ୍ଷୋଭ ପ୍ରକାଶ କରିଥିଲେ । ମାଲ୍ୟା ଯୁକ୍ତି କରିଥିଲେ ଯେ ଆଦାୟ କରାଯାଇଥିବା ଅର୍ଥ ଅଦାଲତ ଦ୍ୱାରା ଧାର୍ଯ୍ୟ କରାଯାଇଥିବା ଋଣ ପରିମାଣଠାରୁ ଦୁଇଗୁଣରୁ ଅଧିକ । କାହିଁକି ଏବେ ବି ଆର୍ଥିକ ଅପରାଧୀ ଭାବେ ଚିହ୍ନିତ ହୋଇ ରହିଛନ୍ତି ? ସରକାରୀ ତଥ୍ୟରେ ଥିବା ଅସଙ୍ଗତିକୁ ଦର୍ଶାଇ ସେ ତାଙ୍କ ଋଣ ଏବଂ ଆଦାୟ ତଥ୍ୟ ସମ୍ପର୍କରେ ପରସ୍ପର ବିରୋଧୀ ତଥ୍ୟ ଉପସ୍ଥାପନ କରୁଥିବା ଅଭିଯୋଗରେ ସରକାର ଓ ସରକାରୀ ବ୍ୟାଙ୍କଗୁଡ଼ିକୁ ସମାଲୋଚନା କରିଥିଲେ ।
ତେବେ କୋର୍ପୋରେଟ୍ ଖିଲାପକାରୀ ଏବଂ ପଳାତକମାନଙ୍କ ବିରୋଧରେ କେନ୍ଦ୍ର ସରକାର ନିଜର କଠୋର ଆଭିମୁଖ୍ୟ ବଜାୟ ରଖିଛନ୍ତି । କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ ପୂର୍ବରୁ ଲୋକସଭାରେ ଜଣାଇଥିଲେ ଯେ ‘ଫ୍ୟୁଜିଟିଭ୍ ଇକୋନୋମିକ୍ ଅଫେଣ୍ଡର୍ସ ଆକ୍ଟ, ୨୦୧୮’ ଅଧୀନରେ ୧୫ ଜଣ ବ୍ୟକ୍ତିଙ୍କୁ ‘ଫେରାର ଆର୍ଥିକ ଅପରାଧୀ’ ଭାବେ ଘୋଷଣା କରାଯାଇଛି ।
