Voice of Eastern India

ଭାରତରେ ଦ୍ୱିତୀୟ ରାଜ୍ୟ ଭାବେ ଗୁଜରାଟରେ ଲାଗୁ ହେବ ୟୁସିସି: ବିଲ୍‌କୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ, ପ୍ରଥମ ରାଜ୍ୟ କିଏ ଜାଣନ୍ତୁ


ଗାନ୍ଧୀନଗର: ଉତ୍ତରାଖଣ୍ଡ ପରେ ଦେଶର ଦ୍ୱିତୀୟ ରାଜ୍ୟ ଭାବେ ଗୁଜରାଟରେ ୟୁନିଫର୍ମ ସିଭିଲ୍ କୋଡ୍ (UCC) ଲାଗୁ ହେବାକୁ ଯାଉଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁଜରାଟ ବିଧାନସଭାରେ ପାରିତ ୟୁସିସି ବିଲ୍କୁ ମଞ୍ଜୁରୀ ଦେଇଛନ୍ତି। ଫଳରେ ୟୁସିସି ପାଇଁ ଆଇନଗତ ଅନୁମୋଦନ ପାଇଥିବା ଦେଶର ଦ୍ୱିତୀୟ ରାଜ୍ୟ ହୋଇଛି ଗୁଜରାଟ। ସୂଚନା ଅନୁସାରେ ଏହାପରେ ଗୁଜରାଟ ସରକାର ଏବେ ୟୁସିସି ସମ୍ପର୍କିତ ନିୟମ ଘୋଷଣା କରିବେ। ଏହାପରେ ରାଜ୍ୟରେ ଆଇନ କାର୍ଯ୍ୟକାରୀ ହେବ।

ଗତ ମାର୍ଚ୍ଚରେ ଗୁଜରାଟ ବିଧାନସଭାରେ ପ୍ରାୟ ସାଢ଼େ ୭ ଘଣ୍ଟାର ଦୀର୍ଘ ଆଲୋଚନା ପରେ ୟୁସିସି ବିଲ୍ ପାରିତ ହୋଇଥିଲା। ଧର୍ମ ନିର୍ବିଶେଷରେ ବିବାହ, ଛାଡ଼ପତ୍ର, ଉତ୍ତରାଧିକାର ଏବଂ ଲିଭ୍-ଇନ୍ ସମ୍ପର୍କ ଭଳି ବିଷୟରେ ଏକ ସମାନ ଆଇନଗତ ବ୍ୟବସ୍ଥା ଆଣିବା ବିଲ୍ର ମୁଖ୍ୟ ଉଦ୍ଦେଶ୍ୟ।

ଏନେଇ ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ କହିଥିଲେ ଯେ ୟୁସିସି ଦ୍ୱାରା ସମସ୍ତଙ୍କୁ ସମାନ ଅଧିକାର ମିଳିବ। କୌଣସି ସମ୍ପ୍ରଦାୟ ସହ ଭେଦଭାବ କରାଯିବ ନାହିଁ ଏବଂ କାହାର ଅଧିକାର କିମ୍ବା ସ୍ୱାଧୀନତା ଛଡ଼ାଇ ନିଆଯିବ ନାହିଁ।

Also Read- ପଞ୍ଜାବ କଂଗ୍ରେସର ନେତୃତ୍ୱ ନେବେ ହକି କିମ୍ବଦନ୍ତୀ ପରଗତ ସିଂ: ପିପିସିସି ନିଯୁକ୍ତ କଲା ଦଳ

ତେବେ ବିଲ୍କୁ ନେଇ ବିରୋଧୀ ଦଳଗୁଡ଼ିକ ଆପତ୍ତି ଉଠାଇଥିଲେ। କଂଗ୍ରେସ ଏହାକୁ “ମୁସଲିମ ବିରୋଧୀ” ବୋଲି ଅଭିଯୋଗ କରିବା ସହ ବିଲ୍କୁ ସିଲେକ୍ଟ କମିଟିକୁ ପଠାଇବାକୁ ଦାବି କରିଥିଲା। ଦାବି ଗ୍ରହଣ ନହେବା ପରେ କଂଗ୍ରେସ ବିଧାନସଭାରୁ ୱାକ୍ଆଉଟ୍ କରିଥିଲା।

କଂଗ୍ରେସ ବିଧାୟକ ଇମ୍ରାନ ଖେଡାୱାଲା କହିଛନ୍ତି ଯେ ତାଙ୍କ ଦଳ କୁରାନ ଓ ଶରିଆ ଆଧାରିତ ବ୍ୟକ୍ତିଗତ ଆଇନକୁ ସମର୍ଥନ କରୁଥିବାରୁ ୟୁସିସିକୁ ବିରୋଧ କରୁଛି। ଅନ୍ୟପକ୍ଷରେ ଆପ ବିଧାୟକ ଚୈତର ବସାୱାଣେ ଆଦିବାସୀ ସମ୍ପ୍ରଦାୟ ଉପରେ ୟୁସିସିର ପ୍ରଭାବ ନେଇ ସ୍ପଷ୍ଟତା ଆବଶ୍ୟକ ବୋଲି କହିଛନ୍ତି।

ଉତ୍ତରାଖଣ୍ଡ ୨୦୨୪ ଫେବ୍ରୁଆରୀରେ ଦେଶର ପ୍ରଥମ ରାଜ୍ୟ ଭାବେ ୟୁସିସି କାର୍ଯ୍ୟକାରୀ କରିଥିଲା। ୨୦୨୨ ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନରେ ମଧ୍ୟୟ ୟୁସିସି ଲାଗୁ କରିବା ବିଜେପିର ପ୍ରମୁଖ ପ୍ରତିଶ୍ରୁତି ମଧ୍ୟରେ ଥିଲା।



Source link

Leave A Reply

Your email address will not be published.