ବାଂଲାଦେଶୀକୁ ବିଏସଏଫ୍ ଅଟକାଇବା ପରେ ସୀମା ଭିତରେ ପଶି ୨ ଭାରତୀୟଙ୍କୁ ଅପହରଣ କଲେ ପରିବାର ଲୋକେ, ଆଲୋଚନା ପରେ ଛାଡିଲେ
କୋଲକାତା: ପଶ୍ଚିମବଙ୍ଗର ନଦିଆ ଜିଲ୍ଲାର ଦୁଇ ଭାରତୀୟ କୃଷକଙ୍କୁ ମଙ୍ଗଳବାର ବାଂଲାଦେଶର କିଛି କୃଷକ ଅପହରଣ କରି ନିଜ ଦେଶକୁ ନେଇଯାଇଥିବା ଅଭିଯୋଗ ହୋଇଛି। ଭାରତୀୟ ସୀମା ସୁରକ୍ଷା ବଳ (BSF) ଜଣେ ବାଂଲାଦେଶୀ କୃଷକଙ୍କୁ ଅଟକ ରଖିଥିବାରୁ ତାଙ୍କୁ ମୁକ୍ତ କରାଇବା ଦାବିରେ ଏହି ଘଟଣା ଘଟିଥିବା ବାଂଲାଦେଶୀ ଗଣମାଧ୍ୟମ ‘ପ୍ରଥମ ଆଲୋ’ ରିପୋର୍ଟ କରିଛି।
ଅପହୃତ ଭାରତୀୟ କୃଷକଙ୍କ ନାମ ନେଇ ଦୁଇ ବାଂଲାଦେଶୀ ଖବରକାଗଜର ରିପୋର୍ଟରେ ଭିନ୍ନ ତଥ୍ୟ ଆସିଛି। ‘ପ୍ରଥମ ଆଲୋ’ ସଚିନ କର୍ମକାର ଓ ନାରାୟଣ ଦେବଙ୍କ ନାଁ ଲେଖିଥିବା ବେଳେ ‘ଦ ଡେଲି ଷ୍ଟାର’ ସଚିନ ଦାସ ଓ ରତନ ବିଶ୍ୱାସଙ୍କ ନାଁ ଉଲ୍ଲେଖ କରିଛି। ତେବେ ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା ଉଭୟ ଭାରତୀୟଙ୍କୁ BSF ହାତରେ ହସ୍ତାନ୍ତର କରାଯାଇଥିବା ଜଣାପଡ଼ିଛି।
ଘଟଣାର ଆରମ୍ଭ କେଉଁଠୁ?
ରିପୋର୍ଟ ଅନୁସାରେ, ବାଂଲାଦେଶର ମେହେରପୁର ଜିଲ୍ଲାର ସଦର ଉପଜିଲ୍ଲା ଅନ୍ତର୍ଗତ ଇଚାଖାଲି ଗାଁର ୭୦ ବର୍ଷୀୟ କୃଷକ ଅବଦୁଲ ମାନ୍ନାନ ମଙ୍ଗଳବାର ସକାଳେ ସୀମା ନିକଟରେ ନିଜ ଜମିରେ କାମ କରୁଥିବା ବେଳେ BSF ତାଙ୍କୁ ଅଟକ ରଖିଥିବା ଅଭିଯୋଗ ହୋଇଛି।
ଅବଦୁଲ ମାନ୍ନାନ ଇଚାଖାଲି ସୀମା ଅଞ୍ଚଳରେ ପ୍ରାୟ ଦେଢ଼ ଏକର ଜମିରେ କଞ୍ଚାଲଙ୍କା ସମେତ ବିଭିନ୍ନ ଫସଲ ଚାଷ କରୁଥିଲେ। ମଙ୍ଗଳବାର ସକାଳେ ସେ ଜମିରେ କୀଟନାଶକ ସିଞ୍ଚନ କରିବାକୁ ଯାଇଥିବା ସମୟରେ ତାଙ୍କୁ BSF ଯବାନମାନେ ଅଟକ ରଖିଥିବା ‘ପ୍ରଥମ ଆଲୋ’ ଓ ‘ଦ ଡେଲି ଷ୍ଟାର’ ରିପୋର୍ଟ କରିଛନ୍ତି। ‘ଦ ଡେଲି ଷ୍ଟାର’ ଅନୁସାରେ, ଏହି ଘଟଣା ସୀମା ସ୍ତମ୍ଭ ୧୨୪/୪-ଏସ୍ ନିକଟରେ ଘଟିଥିଲା।
ଦୁଇ ଭାରତୀୟ କୃଷକଙ୍କୁ ଧରିନେଲେ ବାଂଲାଦେଶୀ ଗ୍ରାମବାସୀ
ଅବଦୁଲ ମାନ୍ନାନଙ୍କୁ ଅଟକ ରଖାଯାଇଥିବା ଖବର ପାଇବା ପରେ ତାଙ୍କ ପରିବାର ଓ ସ୍ଥାନୀୟ ଲୋକେ BSF ନିକଟରେ ତାଙ୍କୁ ଛାଡ଼ିବା ପାଇଁ ଅନୁରୋଧ କରିଥିଲେ। କିନ୍ତୁ ମାନ୍ନାନଙ୍କୁ ଛାଡ଼ା ନଯିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ବଢ଼ିଥିଲା। ଏହାପରେ କିଛି ବାଂଲାଦେଶୀ ଗ୍ରାମବାସୀ ଅନ୍ତର୍ଜାତୀୟ ସୀମା ଅତିକ୍ରମ କରି ସୀମା ସ୍ତମ୍ଭ ୧୨୩/୩-ଏସ୍ ନିକଟରୁ ଦୁଇ ଭାରତୀୟ କୃଷକଙ୍କୁ ଧରି ବାଂଲାଦେଶ ନେଇଯାଇଥିଲେ। ପରେ ସେମାନଙ୍କୁ ନିକଟସ୍ଥ ବର୍ଡର ଗାର୍ଡ ବାଂଲାଦେଶ (BGB) କ୍ୟାମ୍ପରେ ହସ୍ତାନ୍ତର କରାଯାଇଥିଲା।
ଅବଦୁଲ ମାନ୍ନାନଙ୍କ ନାତି ଇବ୍ରାହିମ ଖଲିଲୁଲ୍ଲା ‘ପ୍ରଥମ ଆଲୋ’କୁ କହିଥିଲେ ଯେ, ତାଙ୍କ ଜେଜେବାପାଙ୍କୁ BSF ଅଟକ ରଖିଥିବା ଜଣାପଡ଼ିବା ପରେ ସେମାନେ ତାଙ୍କୁ ଛାଡ଼ିବାକୁ ଅନୁରୋଧ କରିଥିଲେ। କିନ୍ତୁ ତାଙ୍କୁ ଛାଡ଼ାଯାଇନଥିବାରୁ ଲୋକମାନେ ଦୁଇ ଭାରତୀୟ କୃଷକଙ୍କୁ ଧରି ବାଂଲାଦେଶ ନେଇଯାଇଥିଲେ।
BSF-BGB ଫ୍ଲାଗ୍ ମିଟିଂ ପରେ ତିନି ଜଣ ହସ୍ତାନ୍ତର
ଦୁଇ ଭାରତୀୟ କୃଷକଙ୍କୁ ଧରିନିଆଯିବା ପରେ ଘଟଣାକୁ ନେଇ ଉଭୟ ଦେଶର ସୀମା ସୁରକ୍ଷା ବଳ ମଧ୍ୟରେ ଆଲୋଚନା ହୋଇଥିଲା। ମଙ୍ଗଳବାର ଅପରାହ୍ନରେ ଇଚାଖାଲି ସୀମାରେ ବିଏସଏପ୍ ଓ ବିଜିବି ମଧ୍ୟରେ ଫ୍ଲାଗ୍ ମିଟିଂ ହୋଇଥିଲା। ‘ଦ ଡେଲି ଷ୍ଟାର’ ଅନୁସାରେ, ଦିନ ୨ଟାରୁ ୩ଟା ମଧ୍ୟରେ ଜିରୋ ଲାଇନ୍ରେ ଏହି ବୈଠକ ହୋଇଥିଲା। ବୈଠକ ପରେ ବାଂଲାଦେଶୀ କୃଷକ ଅବଦୁଲ ମାନ୍ନାନଙ୍କୁ ବିଜିବି ହାତରେ ଏବଂ ଦୁଇ ଭାରତୀୟ କୃଷକଙ୍କୁ ବିଏସଏପ୍ ହାତରେ ହସ୍ତାନ୍ତର କରାଯାଇଥିଲା। ବିଜିବି ବାଟାଲିୟନ କମାଣ୍ଡର ଲେଫ୍ଟନାଣ୍ଟ କର୍ଣ୍ଣେଲ ନଜମୁଲ ହସନ ଗଣମାଧ୍ୟମକୁ ଏହି ହସ୍ତାନ୍ତର ସମ୍ପର୍କରେ ସୂଚନା ଦେଇଥିବା ‘ଦ ଡେଲି ଷ୍ଟାର’ ରିପୋର୍ଟ କରିଛି।
ପୂର୍ବରୁ ମଧ୍ୟ ଭାରତୀୟ କୃଷକ ଅପହରଣ ଘଟଣା
ସୀମା ଅଞ୍ଚଳରେ ଏଭଳି ଘଟଣା ଏହା ପ୍ରଥମ ନୁହେଁ। ଗତ ଶନିବାର ପଶ୍ଚିମବଙ୍ଗର ଜଲପାଇଗୁଡ଼ି ଜିଲ୍ଲାର ଜଣେ ୩୫ ବର୍ଷୀୟ ଚା’ ଚାଷୀ ଦୀପଙ୍କର ଗୋପେଙ୍କୁ ପ୍ରାୟ ୨୦ ଜଣ ବାଂଲାଦେଶୀ ବ୍ୟକ୍ତି ତାଙ୍କ ଚା’ ବଗିଚାରୁ ଅପହରଣ କରି ବାଂଲାଦେଶ ନେଇଯାଇଥିବା ଅଭିଯୋଗ ହୋଇଥିଲା।
ରିପୋର୍ଟ ଅନୁସାରେ, ଦୀପଙ୍କର ନିଜର ପ୍ରାୟ ୬ ଏକର ଜମିର ଚା’ ବଗିଚାରେ କାମ କରୁଥିବା ବେଳେ ଦଳେ ଲୋକ ଭାରତୀୟ ସୀମା ଅତିକ୍ରମ କରି ତାଙ୍କୁ ଘେରି ଯାଇଥିଲେ। ପରେ ତାଙ୍କୁ ଟାଣି ନେଇ ବାଂଲାଦେଶର ପଞ୍ଚଗଡ଼ ଜିଲ୍ଲାକୁ ନେଇଯାଇଥିବା ଅଭିଯୋଗ ହୋଇଥିଲା। ଏହି ଘଟଣା ମଧ୍ୟ ଜଣେ ବାଂଲାଦେଶୀ ନାଗରିକଙ୍କୁ ବିଏସ୍ଏପ୍ ଅଟକ ରଖିବା ସହ ଜଡ଼ିତ ଥିବା ରିପୋର୍ଟ ଆସିଥିଲା। ଅଭିଯୋଗ ଅନୁସାରେ, ଅଗଷ୍ଟ ୬ରେ ଜଣେ ବାଂଲାଦେଶୀ ବ୍ୟକ୍ତି ସୀମା ବାଡ଼ କାଟି ଭାରତକୁ ପ୍ରବେଶ କରିବାକୁ ଚେଷ୍ଟା କରୁଥିବା ବେଳେ ଗ୍ରାମବାସୀ ଓ ବିଏସଏଫ୍ ତାଙ୍କୁ ଧରିଥିଲେ।
ପରେ ଦୀପଙ୍କର ଗୋପେଙ୍କୁ ମୁକ୍ତ କରାଇବା ପାଇଁ ବିଏସଏଫ ଓ ବିଜିବି ମଧ୍ୟରେ ଫ୍ଲାଗ୍ ମିଟିଂ ହୋଇଥିଲା। ତେବେ ‘ଦ ଡେଲି ଷ୍ଟାର’ର ରିପୋର୍ଟ ଅନୁସାରେ, ଦୀପଙ୍କରଙ୍କୁ ପଞ୍ଚଗଡ଼ ପୁଲିସକୁ ହସ୍ତାନ୍ତର କରାଯାଇଥିଲା ଏବଂ ସେ ଏପର୍ଯ୍ୟନ୍ତ ଭାରତ ଫେରିନଥିବା ଜଣାପଡ଼ିଥିଲା।
ସୋସିଆଲ ମିଡିଆରେ ପରେ ଦୀପଙ୍କରଙ୍କ ଏକ ଭିଡିଓ ମଧ୍ୟ ପ୍ରସାରିତ ହୋଇଥିଲା। ଭିଡିଓରେ ସେ ଭାରତୀୟ କର୍ତ୍ତୃପକ୍ଷଙ୍କ ହେପାଜତରେ ଥିବା ବାଂଲାଦେଶୀ ନାଗରିକଙ୍କୁ ମୁକ୍ତ କରାଯିବା ପରେ ହିଁ ତାଙ୍କୁ ଛାଡ଼ାଯିବ ବୋଲି କହୁଥିବା ଦାବି କରାଯାଇଥିଲା।
ଲଗାତାର ଦୁଇଟି ଘଟଣାରେ ସୀମା ଅତିକ୍ରମ କରି ଭାରତୀୟ କୃଷକଙ୍କୁ ବାଂଲାଦେଶ ନେଇଯିବା ଅଭିଯୋଗ ସୀମା ସୁରକ୍ଷାକୁ ନେଇ ଚିନ୍ତା ବଢ଼ାଇଛି। ତେବେ ଏହି ଘଟଣାଗୁଡ଼ିକ ସମ୍ପର୍କରେ ଉଭୟ ଦେଶର ସୀମା ସୁରକ୍ଷା ବଳର ଅଧିକାରୀମାନଙ୍କ ମଧ୍ୟରେ ଆଲୋଚନା ଓ ଫ୍ଲାଗ୍ ମିଟିଂ ଜାରି ରହିଛି।
