Voice of Eastern India

ବହି ଲେଖିବାକୁ କିଏ ଦେଲା ପ୍ରେରଣା ? କେମିତି ଆରମ୍ଭ ହେଲା ଲେଖା ? ଅନେକ ଅକୁହା କଥା କହିଲେ ସୋନିଆ


ନୂଆଦିଲ୍ଲୀ, ୧୭।୧୧ : କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀଙ୍କ ଆତ୍ମଜୀବନୀ ‘ବିଲଙ୍ଗିଙ୍ଗ୍: ଏ ଜର୍ନି ଅଫ୍ ଲଭ୍’ ସୋମବାର ଦିଲ୍ଲୀରେ ଉନ୍ମୋଚିତ ହୋଇଛି। ୧୦ ତାରିଖରେ ଏହା ବଜାରକୁ ଆସିଥିଲା। ଆଜି କାର୍ଯ୍ୟକ୍ରମ ପ୍ରାରମ୍ଭରେ ସୋନିଆଙ୍କ ଜୀବନ ଉପରେ କ୍ଷୁଦ୍ର ଚଳଚ୍ଚିତ୍ର ପ୍ରଦର୍ଶିତ ହୋଇଥିଲା। ତେବେ ଏହାକୁ ଲେଖିଛନ୍ତି ନିଜେ ସୋନିଆ । ଏଥିରେ ଅନେକ ଅକୁହା କାହାଣୀ ଉଲ୍ଲେଖ ରହିଛି । ଯାହାକୁ ନେଇ ବିବାଦ ରହିଛି । ତେବେ କେମିତି ସେ ଆତ୍ମଜୀବନୀ ଲେଖିବା ଆରମ୍ଭ କଲେ ଏବଂ ଏହା ପଛରେ କେଉଁଠୁ ପ୍ରେରଣା ମିଳିଲା ତାହା ସୋନିଆ ପ୍ରକାଶ କରିଛନ୍ତି ।

Also Read :- ବଦ୍ରିନାଥ ହାଇୱେରେ ବଡ ଦୁର୍ଘଟଣା; ଖାଇକୁ ଖସିଲା ବସ୍, ୬ ଶ୍ରଦ୍ଧାଳୁଙ୍କ ଗଲା ଜୀବନ

ତେବେ ନିଜ ଜୀବନ ଉପରେ ତିଆରି ହୋଇଥିବା ଚଳଚ୍ଚିତ୍ର ଦେଖି ସୋନିଆ ଭାବୁକ ହୋଇପଡ଼ିଥିଲେ। ଏହାକୁ ନେଇ ସେ କହିଥିଲେ, ରାଜୀବ ଗାନ୍ଧୀଙ୍କ ବିୟୋଗ ଖବରରେ ମୁଁ ଭାଙ୍ଗିପଡ଼ିଥିଲି । ରାହୁଲ ଓ ପ୍ରିୟଙ୍କା ପିତାମାତା ସାଜି ମୋତେ ସମ୍ଭାଳିଥିଲେ । ଏହି ସମୟରେ ମଞ୍ଚରେ ପ୍ରିୟଙ୍କା ତାଙ୍କ ମାଆଙ୍କୁ ଆଲିଙ୍ଗନ କରି ଆଶ୍ୱସ୍ତ କରିଥିଲେ । କାର୍ଯ୍ୟକ୍ରମରେ ତାମିଲନାଡୁ, ହିମାଚଳ ପ୍ରଦେଶ, ତେଲଙ୍ଗାନା, କେରଳମ୍ ଏବଂ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଓ ସପା ମୁଖ୍ୟ ଅଖିଳେଶ ଯାଦବ ପ୍ରମୁଖ ସାମିଲ ହୋଇଥିଲେ । ତାମିଲନାଡୁ ମୁଖ୍ୟମନ୍ତ୍ରୀ ବିଜୟଙ୍କୁ ରାହୁଲ ଫୋନ କରି ଡାକିଥିଲେ ।

ସୋନିଆ କହିଲେ ମନର କଥା

କାର୍ଯ୍ୟକ୍ରମରେ ସୋନିଆ କହିଛନ୍ତି, ମୋ ପରିବାର ସମ୍ପର୍କରେ ଅବାସ୍ତବ କାହାଣୀ ଲେଖାଯାଉଥିଲା। ଏହା ମୋତେ ଗଭୀର ଆଘାତ ଦେଉଥିଲା। ତେଣୁ ମୁଁ ଆତ୍ମଜୀବନୀ ଲେଖିବାକୁ ନିଷ୍ପରି ନେଲି। ମୋ ପୁସ୍ତକ ପଢ଼ି ପାଠକମାନେ ଆମ ପରିବାର ବାବଦରେ ସତ୍ୟତା ଜାଣିବାକୁ ସୁଯୋଗ ପାଇବେ। ପ୍ରଥମେ ମୁଁ ନିଜ ବ୍ୟକ୍ତିଗତ ଅନୁଭୂତିକୁ ସାର୍ବଜନୀନ କରିବାକୁ ଅନିଚ୍ଛୁକ ଥିଲି। କିନ୍ତୁ ରାହୁଲ ଓ ପ୍ରିୟଙ୍କା ମୋତେ ରାଜି କରାଇଥିଲେ।

ସେ ଆହୁରି କହିଛନ୍ତି ଯେ, ପୁସ୍ତକର କିଛି ଅଂଶ ଲେଖିବା ବେଳେ ମୁଁ ଭାବୁକ ହୋଇପଡ଼ୁଥିଲି। ବିଶେଷକରି ଶାଶୁ ଇନ୍ଦିରା ଗାନ୍ଧୀ ଏବଂ ସ୍ବାମୀ ରାଜୀବଙ୍କ ମୃତ୍ୟୁ ବିଷୟ କଷ୍ଟ ଦେଇଥିଲା। ଲେଖା ଅରମ କରିବା ସହଜ ଥିଲା । କିନ୍ତୁ ଧୀରେ ଧୀରେ ଯନ୍ତ୍ରଣାଦାୟକ ମୁହୂର୍ତ୍ତ ଯୋଡ଼ିହେବାରୁ ଲେଖିବା କଷ୍ଟସାଧ୍ଯ ହୋଇଥିଲା। ଶାଶୁ ଇନ୍ଦିରାଙ୍କୁ ପ୍ରବଳ ଭୟ କରୁଥିଲି। ତାଙ୍କ ପାଖକୁ କେମିତି ଯିବି ଏବଂ କ’ଣ କହିବି ଜାଣିପାରୁ ନଥିଲି । ମୋ ସ୍ଵାମୀ ଓ ତାଙ୍କ ଭାଇ ସଞ୍ଜୟ ତାଙ୍କୁ ମାଆ ତାକୁଥିଲେ । ମୁଁ ମଧ୍ୟ ତାଙ୍କୁ ମାଆ କିମ୍ବା ମମି ଡାକେ ବୋଲି ସମସ୍ତେ ଚାହୁଁଥିଲେ । ମୁଁ ଏହା ଆଦୌ ଚାହୁଁ ତ ଥିଲି । କିନ୍ତୁ ଧୀରେ ଧୀରେ ଶାଶୁଙ୍କ ସହ ସମ୍ପର୍କ ବଢ଼ିବାକୁ ଲାଗିଥିଲା। ପରେ ତାଙ୍କୁ ମାଆ କହିବା ଆରମ୍ଭ କରିଥିଲି ।

ଏହାସହ ରାହୁଲଙ୍କ ନାମକରଣକୁ ନେଇ ଇନ୍ଦିରାଙ୍କ ସହ ମତଭେଦ ହୋଇଥିଲା। ଇନ୍ଦିରାଜୀ ପଣ୍ଡିତ ନାମ ଯୋଡ଼ିବାକୁ କହିବାରୁ ମୁଁ ଆପତ୍ତି ଉଠାଇଥିଲି। ଭାରତରେ ନାମକରଣ ପରମ୍ପରା ବାବଦରେ ମୋତେ ଜଣା ନ ଥିଲା । ରାଜୀବଙ୍କ ପରେ ମୁଁ ରାଜନୀତିକୁ ଆସିଥିଲି । କିନ୍ତୁ ମୁଁ ଏଠିକାର ନୁହେଁ ବୋଲି ମୋତେ କୁହାଯାଇଥିଲା। ୨୦୦୪ରେ ବିପୁଳ ଭୋଟରେ ବିଜୟୀ ହେବା ପରେ ଲୋକଙ୍କ ରାୟ ବଦଳିଥିଲା।

ଆହୁରି ମଧ୍ୟ ସେ କହିଛନ୍ତି ଯେ, ରାଜୀବ ପ୍ରଧାନମନ୍ତ୍ରୀ ଥିବା ବେଳେ ରାହୁଲ ଏବଂ ପ୍ରିୟଙ୍କାଙ୍କୁ ବାହାରକୁ ଯିବାକୁ ଅନୁମତି ନଥିଲା । ଏପରିକି ରାହୁଲ ନାଁ ବଦଳାଇଥିଲେ । ସୁରକ୍ଷା ପାଇଁ ଏପରି ପଦକ୍ଷେପ ନିଆଯାଇଥିଲା । ସୋନିଆ ନିଜେ କେବେହେଲା ପାଖରେ ଡାଏରୀ ରଖନ୍ତିନି । ପଲିଟିକାଲ କ୍ୟାରିଅରରେ ବି ସେ ଡାଏରୀ ମେଣ୍ଟେନ୍ କରନ୍ତି ନାହିଁ । କିନ୍ତୁ ଏସବୁକୁ ନିଜେ ସେ ବହିରେ ଦର୍ଶାଇବାକୁ ଚାହିଁଥିଲେ । ତାଙ୍କ ମନ ଭିତରୁ ବହି ଲେଖିବା କଥା ଆସିଥିଲା । ଏଥିରେ ତାଙ୍କର ଜଣେ ବନ୍ଧୁ ମଞ୍ଜୁଲିକା ଦୁବେ ବି ସହଯୋଗ କରିଥିଲେ ।

ବହିର ଟାଇଟଲକୁ ନେଇ ସେ କହିଛନ୍ତି ଯେ, ବିଲଙ୍ଗିଙ୍ଗ୍ ଶବ୍ଦ ବହିରେ ବାରମ୍ବାର ଆସିଥିଲା । ତେଣୁ ଏହି ନାଁକୁ ସେ ବାଛିଥିଲେ । ସଦାବେଳେ ସେ ନିଜକୁ ବାହାର ଲୋକ ଭାବୁଥିଲେ । କିନ୍ତୁ ସେ ଯେବେ ରାଜୀବଙ୍କ ନିର୍ବାଚନମଣ୍ଡଳୀ ଗସ୍ତ କରିଥିଲେ ଲୋକେ ତାଙ୍କୁ ଖୁବ୍ ଭଲ ପାଇବା ଦେଇଥିଲେ । ନିଜର ଭାବିଥିଲେ । ୨୦୦୪ରେ ନିର୍ବାଚନ ଜିତିବା ପରେ ସେ ଲୋକଙ୍କ ଦ୍ୱାରା ଗ୍ରହଣୀୟ ବୋଲି ପ୍ରମାଣ ପାଇଥିଲେ ।

ଏତତ୍ ବ୍ୟତୀତ ସୋନିଆ କହିଛନ୍ତି ଯେ, ରାଜୀବ ରାଜନୀତିରେ ପ୍ରବେଶ କରନ୍ତୁ ବୋଲି ସେ ଚାହୁଁନଥିଲେ । କାରଣ ସେବେକାର ସମୟ ହିସାବରେ ସେ ଅଳ୍ପ ସ୍ୱାର୍ଥପର ହୋଇଯାଇଥିଲେ । କାରଣ ସେ ସ୍ୱାମୀଙ୍କ ଠାରୁ ଦୂରେଇଯିବାର ଭୟ ଥିଲା । ପରେ କିନ୍ତୁ ସେ ଭୟମୁକ୍ତ ହୋଇଥିଲେ ବୋଲି ସୋନିଆ ପ୍ରକାଶ କରିଛନ୍ତି ।



Source link

Leave A Reply

Your email address will not be published.