Voice of Eastern India

ବରିଷ୍ଠ ନାଗରିକଙ୍କ ମାମଲାରେ ସୁପ୍ରିମକୋର୍ଟଙ୍କ ଯୁଗାନ୍ତକାରୀ ରାୟ, ବଦଳାଇଦେଲେ ଆହ୍ଲାବାଦ ହାଇକୋର୍ଟଙ୍କ ଆଦେଶ


ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ବୁଧବାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିରେ କହିଛନ୍ତି ଯେ ‘ବରିଷ୍ଠ ନାଗରିକ ନିଜ ପିଲାଙ୍କୁ ସମ୍ପତ୍ତିରୁ ବେଦଖଲ କରିପାରିବେ’। କୋର୍ଟ କହିଛନ୍ତି ଯେ ବଢୁଥିବା ବୟସର ଅର୍ଥ ଅସୁରକ୍ଷା ଓ ଅପମାନ ହେବା ଉଚିତ ନୁହେଁ, ସାରା ଜୀବନ ଗର୍ବର ସହ ବଞ୍ଚିବା ପ୍ରତ୍ୟେକ ବ୍ୟକ୍ତିଙ୍କ ଅଧିକାର। ଏ ବାବଦେ ସୁପ୍ରିମକୋର୍ଟ ଆହ୍ଲାବାଦ ହାଇକୋର୍ଟଙ୍କ ସେହି ଆଦେଶକୁ ଓଲଟାଇ ଦେଇଛନ୍ତି ଯେଉଁଥିରେ ପୁଅ ଓ ବୋହୂଙ୍କୁ ଘରୁ ବେଦଖଲ କରିବା ପାଇଁ ଟ୍ରିବ୍ୟୁନାଲ କୋର୍ଟଙ୍କ ଆଦେଶକୁ ରଦ୍ଦ କରାଯାଇଥିଲା। କୋର୍ଟ କହିଛନ୍ତି ଯେ ବୟବୃଦ୍ଧଙ୍କ ଗାରିମା ପାଇଁ ପିଲାଙ୍କୁ ସମ୍ପତ୍ତିରୁ ବାହାର କରିବାକୁ ଆଦେଶ ଦେବା ଲାଗି ଟ୍ରିବ୍ୟୁନାଲ କୋର୍ଟଙ୍କ ଅଧିକାର ଅଛି।

ସୁପ୍ରିମକୋର୍ଟଙ୍କ ବିଚାରପତି ଜଷ୍ଟିସ୍ ପି.ଏସ.ନରସିମହା ଓ ଜଷ୍ଟିସ୍ ଆଲୋକ ଅରାଧେଙ୍କ ପୀଠ ମାମଲାର ଶୁଣାଣି କରି କହିଛନ୍ତି ଯେ ଆଇନର ଉଦ୍ଦେଶ୍ୟ ବୟୋବୃଦ୍ଧଙ୍କ ଗାରିମା ଓ ସୁରକ୍ଷା ନିର୍ଦ୍ଧାରଣ କରିବା। ସଭ୍ୟସମାଜର ସ୍ତର ପ୍ରାୟ ଏହି କଥାରୁ ନିର୍ଦ୍ଧାରିତ ହୁଏ ସେ ନିଜ ବୟୋବୃଦ୍ଧଙ୍କୁ କିପରି ସମ୍ମାନ ଓ ସୁରକ୍ଷା ଦେଉଛନ୍ତି।

ଜାଣନ୍ତୁ ପୁରା ମାମଲା କ’ଣ?

ସୁପ୍ରିମକୋର୍ଟଙ୍କ ଏହି ରାୟ ଲକ୍ଷ୍ନୌର ବିକାଶ ନଗରସ୍ଥିତ ଆବାସୀୟ ଗୃହର ମାଲିକ ରବିକାନ୍ତ ଗୁପ୍ତାଙ୍କ ଦ୍ୱାରା ରୁଜୁ ଆବେଦନ ଉପରେ ଆସିଛି। ସେ ଆହ୍ଲାବାଦ ହାଇକୋର୍ଟର ସେହି ରାୟକୁ ଚ୍ୟାଲେଞ୍ଜ କରିଥିଲେ ଯେଉଁଥିରେ ତାଙ୍କ ପୁଅ ଓ ବୋହୂଙ୍କ ବିରୋଧରେ ଗୃହୀତ ବେଦଖଲ ଆଦେଶକୁ ରଦ୍ଦ କରାଯାଇଥିଲା। ମାମଲା ସେତେବେଳେ ସାମ୍ନାକୁ ଆସିଲା ଯେତେବେଳେ ରବିକାନ୍ତ ଗୁପ୍ତାଙ୍କ ୮୦ ବର୍ଷ ବୟଷ୍କ ମାଆଙ୍କୁ କଥିତ ରୂପେ ଜୋରଜବରଦସ୍ତ ବୃଦ୍ଧାଶ୍ରମ ପଠାଇ ଦିଆଯାଇଥିଲା। ଏହା ପରେ ରବିକାନ୍ତ ୫ ଜୁନ ୨୦୨୨ରେ ଜିଲ୍ଲା ମାଜିଷ୍ଟ୍ରେଟ୍ ଙ୍କ ନିକଟରେ ୨୦୦୭ ଅଧିନିୟମ ଅନୁସାରେ ନିଜ ପୁଅକୁ ସମ୍ପତ୍ତିରୁ ବେଦଖଲ କରିବାକୁ ଦାବି କରିଥିଲେ।

ପୁଅକୁ ସମ୍ପତ୍ତିରୁ ବେଦଖଲ ପାଇଁ ଆଦେଶ ଦେଇଥିଲେ ଜିଲ୍ଲା ମାଜିଷ୍ଟ୍ରେଟ୍

ଉପ ବିଭାଗୀୟ ମାଜିଷ୍ଟ୍ରେଟ୍ ୧୫ ନଭେମ୍ବର ୨୦୨୨ର ଆଦେଶରେ କହିଥିଲେ ସମ୍ପତ୍ତି ରବିକାନ୍ତ ଗୁପ୍ତାଙ୍କ ସ୍ୱ ଅର୍ଜିତ ଓ ଏହା ଜାଣିବାକୁ ପାଇଲେ ଯେ ତାଙ୍କ ପୁଅ ଜେଜେମାଙ୍କୁ ଘରେ ରହିବାକୁ ଦେଉ ନଥିଲେ ଓ ଏଥି ପାଇଁ ଉପଦ୍ରବ କରୁଥିଲେ। ଏଣୁ ଜିଲ୍ଲା ମାଜିଷ୍ଟ୍ରେଟ୍ ପୁଅକୁ ସମ୍ପତ୍ତିରୁ ବେଦଖଲ ଆଦେଶ ଦେଇଥିଲେ। ଜିଲ୍ଲା ମାଜିଷ୍ଟ୍ରେଟ୍ ପରେ ୯ ଅଗଷ୍ଟ ୨୦୨୩ରେ ତାଙ୍କ ପୂର୍ବ ଆଦେଶକୁ କାୟମ ରଖି ପୁଅ ତାଙ୍କ ପତ୍ନୀଙ୍କୁ ଘର ଖାଲି କରି ଦାୟିତ୍ୱ ରବିକାନ୍ତ ଗୁପ୍ତାଙ୍କୁ ନ୍ୟସ୍ତ କରିବାକୁ ଆଦେଶ ଦେଇଥିଲେ। ଏହା ପରେ ରବିକାନ୍ତଙ୍କ ପୁଅ ଓ ବୋହୂ ଆହ୍ଲାବାଦ ହାଇକୋର୍ଟରେ ଆଦେଶକୁ ଚ୍ୟାଲେଞ୍ଜ କରିଥିଲେ।

ହାଇକୋର୍ଟଙ୍କ ରାୟ ଖାରଜ କରିଦେଲେ ସୁପ୍ରିମକୋର୍ଟ

ହାଇକୋର୍ଟ ପୂର୍ବର ଏକ ଆଦେଶ ଉଦାହରଣ ଦେଇ କହିଥିଲେ ଯେ ମାତା-ପିତା ଓ ବରିଷ୍ଠ ନାଗରିକଙ୍କ ଭରଣ-ପୋଷଣ ଓ କଲ୍ୟାଣ ଅଧିନିୟମ ଅନୁସାରେ ଅଧିକାରୀଙ୍କୁ ବେ ଦଖଲ ଆଦେଶ ଗୃହୀତ କରିବାର ଅଧିକାର ନାହିଁ। ଏଣୁ ମାମଲାରେ ହାଇକୋର୍ଟ ଏସଡିଏମ ଓ ଜିଲ୍ଲା ମାଜିଷ୍ଟ୍ରେଟ୍ ଙ୍କ ରାୟକୁ ଖାରଜ କରିଦେଇଥିଲେ। ଏହା ପରେ ମାମଲା ଯେତେବେଳେ ସୁପ୍ରିମକୋର୍ଟକୁ ପହଞ୍ଚିଲା ସେତେବେଳେ ସୁପ୍ରିମକୋର୍ଟ ଆହ୍ଲାବାଦ ହାଇକୋର୍ଟଙ୍କ ଆଦେଶକୁ ଖାରଜ କରିଦେଇଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି ଯେ ହାଇକୋର୍ଟ ଟ୍ରିବ୍ୟୁନାଲଙ୍କ ବେଦଖଲ ଆଦେଶରେ ହସ୍ତକ୍ଷେପ କରି ଭୁଲ କରିଛନ୍ତି, କାରଣ ଏହା ଏକ ସ୍ଥାପିତ ଆଇନ ଯେ ଟ୍ରିବ୍ୟୁନାଲଙ୍କ ନିକଟରେ ବରିଷ୍ଠ ନାଗରିକଙ୍କ କଲ୍ୟାଣ ଓ ସଂରକ୍ଷଣ ଉଦ୍ଦେଶ୍ୟରେ ବେ ଦେଖଲ ଆଦେଶ ଦେବାର ଅଧିକାର ରହିଛି।



Source link

Leave A Reply

Your email address will not be published.