Voice of Eastern India

ବଦଳିଲା ଯୁଗ, MBA ସଫ୍ଟୱେୟାର ଇଞ୍ଜିନିୟରିଂର ନାହିଁ ମୂଲ୍ୟ, ଅଫିସ କର୍ମଚାରୀ ଅପେକ୍ଷା ବଢ଼େଇ ଓ ମେକାନିକ, ଡ୍ରାଇଭର କରିବେ ଅଧିକ ରୋଜଗାର


ନୂଆଦିଲ୍ଲୀ: ଏଆଇ ଆସିଲା, କ୍ୟାରିଅର୍ର ପରିଭାଷା ବଦଳିଲା, ଏବେ ସଫ୍ଟୱେୟାର ଇଞ୍ଜିନିୟରିଂ ଏବଂ MBA ପଢ଼ିବାର ଯୁଗ ସରିଯାଇଛି। ଏଣିକି ଯୁଗର ଡିମାଣ୍ଡକୁ ଦେଖି ଶିକ୍ଷା ବଦଳାଇବାକୁ ପଡ଼ିବ ନହେଲେ ଫସିବା ଥୟ। ଭାରତର ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ଭି. ଅନନ୍ତ ନାଗେଶ୍ୱରନ୍ ଦେଶର ଯୁବପିଢ଼ିଙ୍କୁ ଏଭଳି ସତର୍କବାଣୀ ଶୁଣାଇଛନ୍ତି। ସେ କହିଛନ୍ତି, ପାରମ୍ପରିକ ପାଠପଢ଼ା ପଛରେ ନ ଧାଇଁ କାରିଗରୀ ଶିକ୍ଷା ଓ ଦକ୍ଷତା ଉପରେ ଗୁରୁତ୍ୱ ଦେବା ଖୁବ ଜରୁରୀ।

ଏଏନ୍ଆଇ ଏକ ପଡକାଷ୍ଟରେ ଏଭଳି ଗୁରୁତ୍ୱପୂର୍ଣ୍ଣ କଥା କହିଛନ୍ତି ଭାରତର ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ଭି. ଅନନ୍ତ ନାଗେଶ୍ୱରନ୍। ସ୍ନାତକ ପରେ କେବଳ UPSC ପରିକ୍ଷା କିମ୍ବା ଉଚ୍ଚଶିକ୍ଷା ପଛରେ ଗୋଡ଼ାଇବା ପରିବର୍ତ୍ତେ, ଆଜିର ଅର୍ଥନୀତିରେ କେଉଁ କୌଶଳ ବା ‘ସ୍କିଲ୍’ ଅଧିକ ସ୍ଥାୟୀ ରୋଜଗାର ଦେବ, ତାହା ଚିନ୍ତା କରିବା ଦରକାର ବୋଲି ସେ ପରାମର୍ଶ ଦେଇଛନ୍ତି।

ତେବେ ଭାରତର କର୍ମ ସଂସ୍କୃତି ବା ୱର୍କ କଲଚର ନେଇ ସେ କହିଛନ୍ତି ଭାରତରେ ପାଣିପାଇପ କାମ, ୱେଲ୍ଡିଂ, ବଢ଼େଇ ଓ ଇଲେକ୍ଟ୍ରିକାଲ୍ କାମକୁ ସବୁବେଳେ ଅବହେଳା କରାଯାଇଛି, ହେଲେ ସ୍ୱିଜରଲ୍ୟାଣ୍ଡ, ଜର୍ମାନୀ, ଜାପାନ ଓ ଚୀନ ଭଳି ଦେଶରେ ସେହି କାମକୁ ଖୁବ ସମ୍ମାନ ମିଳେ। ଏବେ ଏଆଇ ଯୁଗରେ ଏସବୁ କାମର ଚାହିଦା ବଢିଛି, ଏବଂ ଟେକ୍ନୋଲୋଜୀ ଏସବୁ କାମକୁ ଏତେଶୀଘ୍ର ଲୋକଙ୍କ ଠାରୁ ଛଡ଼ାଇ ନେଇପାରିବ ନାହିଁ, ତେଣୁ ଏହା ସୁରକ୍ଷିତ ବୋଲି ସେ କହିବାକୁ ଚାହିଁଛନ୍ତି।

ଏହାକୁ ବୁଝାଇବାକୁ ଯାଇ ସେ ଜଣେ ଏକ ଯୁବ ସେଫ୍‌ଙ୍କ ଉଦାହରଣ ବି ଦେଇଛନ୍ତି। ସିଇଓ କହିଛନ୍ତି ଯେ ଅନ୍ୟ ପ୍ରଫେସନ୍ ସହ ତୁଳନା କରି ହତାଶ ହେବାର ଆବଶ୍ୟକତା ନାହିଁ। କାରଣ ରନ୍ଧନ ହେଉ ବା ଆତିଥ୍ୟ, ଏସବୁ ଏପରି କାମ ଯାହାକୁ ଟେକ୍ନୋଲୋଜି ବା AI ସହଜରେ ନକଲ କରିପାରିବ ନାହିଁ। ଆଗାମୀ ଦିନରେ କାଉନସେଲିଂ, କେୟାରଗିଭିଂ (ଯତ୍ନ ନେବା) ଓ ହସ୍ପିଟାଲିଟି କ୍ଷେତ୍ର ଅଧିକ ଗୁରୁତ୍ୱପୂର୍ଣ୍ଣ ହେବ। ମୁଖ୍ୟ ଅର୍ଥନୈତିକ ସିଧା ପରାମର୍ଶ ହେଉଛି, ଏବେ ଯୁବପିଢ଼ି AI ଛଡ଼ାଇ ନେଇ ପାରୁ ନଥିବା ସ୍କିଲ୍ ଶିଖନ୍ତୁ ଏବଂ ନିଜ ସ୍ୱାସ୍ଥ୍ୟ ଉପରେ ସେତିକି ନିବେଶ କରନ୍ତୁ, ଯେତିକି ନିଜ କ୍ୟାରିଅର୍ ଉପରେ କରୁଛନ୍ତି।

ସ୍ୱାସ୍ଥ୍ୟ ଉପରେ ଗୁରୁତ୍ୱ

ନାଗେଶ୍ୱରନ କହିଛନ୍ତି ଆମ ପାଇଁ ସବୁଠାରୁ ବଡ଼ କଥା ହେଉଛି ସ୍ୱାସ୍ଥ୍ୟ ଏବଂ ରୋଜଗାର। ନାଗେଶ୍ୱରନ୍ ଚେତାଇ ଦେଇଛନ୍ତି ଯେ, ଭାରତ ‘ଧନୀ ହେବା ପୂର୍ବରୁ ଅସୁସ୍ଥ’ ହୋଇଯାଉଛି। ନ୍ୟାସନାଲ୍ ଫ୍ୟାମିଲ୍ ହେଲ୍ଥ ସର୍ଭେରୁ ମିଳିଥିବା ତଥ୍ୟ ଅନୁଯାୟୀ, ଆୟ ବଢ଼ିବା ସହ ଓଜନ ବଢ଼ିବା (Obesity) ଏବଂ ଅସୁସ୍ଥ ଜୀବନଶୈଳୀ ଏକ ବଡ଼ ସମସ୍ୟା ପାଲଟିଛି। ତାଙ୍କ ମତରେ, କେବଳ ଟେକ୍ନୋଲୋଜି ନୁହେଁ, ବରଂ ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟ ହିଁ ଉତ୍ପାଦକତା ଓ ଆୟ ବଢ଼ାଇବାର ମୂଳ ଚାବିକାଠି।

ପାରମ୍ପରିକ କୋର୍ସର ମୂଲ୍ୟ କମୁଛି

ସେପଟେ ଏକ ରିପୋର୍ଟ ଅନୁସାରେ, ଦେଶରେ ଆଇଟି, ଆଇନ, କମର୍ସ, ଟ୍ରାନ୍ସଲେସନ, ଡିଜାଇନ ଓ ଲାଇବ୍ରେରୀ ସାଇନ୍ସ ଓ ଏମ୍ବିଏ ଭଳି କ୍ଷେତ୍ରରେ ବଡ଼ ପରିବର୍ତ୍ତନ ଆରମ୍ଭ ହୋଇଗଲାଣି। ଏଆଇ ଟୁଲ୍ସ ଏହି କ୍ଷେତ୍ରରରେ କାମଗୁଡ଼ିକୁ ଅତି ସହଜରେ କରିଦେଉଛି, ତେଣୁ ଏହାର ପରିସର ଏବେ ଛୋଟ ପଡ଼ିବାକୁ ଲାଗିଲାଣି।

ଏଚଆର କମ୍ପାନୀ ଟିମ ଲିଜ (TeamLease) କହିଛି ଯେ ୪୦% କମ୍ପାନୀ “ହାଇବ୍ରିଡ୍ ସ୍କିଲ୍ସ” ଅର୍ଥାତ୍ ଡିଗ୍ରୀ ସହିତ AI ଜ୍ଞାନକୁ ବାଧ୍ୟତାମୂଳକ ବୋଲି ବିବେଚନା କରନ୍ତି। NASSCOMର ୨୦୨୪ ରିପୋର୍ଟରେ କୁହାଯାଇଛି ଯେ ଭାରତରେ ୮୨% BCA ଏବଂ MCA ସ୍ନାତକଙ୍କ ପାଖରେ AI ତାଲିମର ଅଭାବ ଅଛି। ସେହିପରି ବିଶ୍ୱ ଅର୍ଥନୈତିକ ଫୋରମ୍ ରିପୋର୍ଟ ଅନୁଯାୟୀ,ଯେଉଁମାନେ AI ଉପକରଣ ବ୍ୟବହାର କରି ଉତ୍ପାଦନକ୍ଷମତା ୪୦% ପର୍ଯ୍ୟନ୍ତ ବୃଦ୍ଧି କରିପାରିବେ ସେମାନଙ୍କ ପାଖରେ ଚାକିରି ରହିବ। ତେଣୁ ଏସବୁ ଦେଖିଲେ ଲାଗୁଛି ଆଗକୁ ଭୟଙ୍କର ଚାକିରି ସମସ୍ୟା ସୃଷ୍ଟି ହେବ।

IBM ଇନଷ୍ଟିଚ୍ୟୁଟ୍ ଫର ବିଜନେସ୍ ଭାଲ୍ୟୁର ଏକ ରିପୋର୍ଟରେ କୁହାଯାଇଛି ଯେ AI ଲୋକଙ୍କସ୍ଥାନ ନେବ ନାହିଁ। କିନ୍ତୁ ଯେଉଁମାନେ AI ବ୍ୟବହାର କରନ୍ତି ସେମାନେ ବ୍ୟବହାର ନ କରୁଥିବା ଲୋକଙ୍କ ଚାକିରି ନେଇଯିବେ। “ଫ୍ୟୁଚର୍ ଅଫ୍ ଜବ୍ସ ରିପୋର୍ଟ୨୦୨୫” ଅନୁଯାୟୀ, ୨୦୩୦ ସୁଦ୍ଧା ୨୨% ଚାକିରି ପ୍ରଭାବିତ ହୋଇପାରେ।

ସମୟର ଆବଶ୍ୟକତା ଦେଖି ସବୁବେଳେ ଆଗୁଆ ସତର୍କତା ଅବଲମ୍ବନ କରୁଥିବା ଚୀନ, ଏଆଇର ଆଗମନକୁ ଦେଖି ନିଜ ଶିକ୍ଷାରେ ପରିବର୍ତ୍ତନ କରିବା ଆରମ୍ଭ କରିଦେଇଛି। ୨୦୨୧ ଓ ୨୦୨୫ ମଧ୍ୟରେ ନିଜର ବିଶ୍ୱ ବିଦ୍ୟାଳୟରେ ୧୨,୨୦୦ରୁ ଅଧିକ ଅଣ୍ଡରଗ୍ରାଜୁଏଟ ପ୍ରୋଗ୍ରାମ ରଦ୍ଦ ବା ନିଲମ୍ବନ କରିଦେଇଛି। ଏବଂ ପାଖାପାଖି ୧୦,୨୦୦ ନୂଆ ଶିକ୍ଷା ଆରମ୍ଭ କରିଛି। ଗତ ୪ ବର୍ଷରେ ଚୀନ ନିଜ ବିଶ୍ୱ ବିଦ୍ୟାଳୟରେ ଏଭଳି ପରିବର୍ତ୍ତନ ଆଣିଛି। ଚୀନ ସରକାରଙ୍କର ଏହି କୋର୍ସ କାଟ ଭିତରେ କଳା ମାନବିକତା ସମ୍ପର୍କିତ କୋର୍ସ, ବିଦେଶୀ ଭାଷା ଆଦି ରହିଛି। କାରଣ ଚୀନ ସରକାର ସେମିକଣ୍ଡକ୍ଟର, ରୋବୋଟିକ୍ସ ଓ ଅନ୍ୟ ରଣନୈତିକ ଉଦ୍ୟୋଗ ପାଇଁ ପ୍ରତିଭା ତିଆରି କରିବାକୁ ବିଶ୍ୱ ବିଦ୍ୟାଳୟଗୁଡ଼ିକ ଉପରେ ଚାପ ପକାଉଛନ୍ତି।

ଭାରତରେ କର୍ଣ୍ଣାଟକ ସରକାର କିଛି ଚୀନ ଭଳି ନୀତି ଆପଣାଇଛନ୍ତି। କୋର୍ସଗୁଡ଼ିକରେ କମ୍ ନାମଲେଖା ଓ ଅନ୍ୟାନ୍ୟ ଆଳ ଦେଖାଇ ରାଜ୍ୟରେ ୧୩୦୦ କୋର୍ସ ସିଟ ହ୍ରାସ କରିଛନ୍ତି। ୨୦୨୬-୨୭ ଶିକ୍ଷା ବର୍ଷ ପାଇଁ ସରକାରୀ କଲେଜଗୁଡ଼ିକରେ ୪୫୮ ବିଏ, ବିଏସସି,ବିକମରେ କମ୍ବିନେସନକୁ ବନ୍ଦ କରି ଦେଇଛନ୍ତି କର୍ଣ୍ଣାଟକ ସରକାର।

ସ୍କୁଲ୍ ଶିକ୍ଷା ଓ ଇଣ୍ଡଷ୍ଟ୍ରୀ ଡିମାଣ୍ଡରେ ବଡ଼ ବ୍ୟବଧାନ

ଭାରତରେ ଶିକ୍ଷାର ପ୍ରସାର ବଢ଼ିଛି, କିନ୍ତୁ ଏବେ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ହେଉଛି ରୋଜଗାରକ୍ଷମତା ବା ‘ଏମ୍ପ୍ଲୟେବିଲିଟି’। ଇଟି ଏଜୁକେସନରେ ଏକ ସର୍ଭେ ରିପୋର୍ଟ ଅନୁସାରେ, ଦେଶର ଶିକ୍ଷାବିତମାନେ କହୁଛନ୍ତି ,କ୍ଲାସରୁମ୍ ପାଠପଢ଼ା ଏବଂ ଶିଳ୍ପ ସଂସ୍ଥାର ଚାହିଦା ମଧ୍ୟରେ ଏକ ବଡ଼ ବ୍ୟବଧାନ ରହିଛି। ମାନେ ଦେଶର ଇଣ୍ଡଷ୍ଟ୍ରୀ ଯାହା ଚାହୁଁଛି, ସ୍କୁଲ୍ରେ ତାହା ପଢ଼ା ଯାଉ ନାହିଁ। ଯାହା ନିଯୁକ୍ତି କ୍ଷେତ୍ରରେ ବାଧକ ସାଜୁଛି। ନିଯୁକ୍ତି ସୁଯୋଗକୁ ଉନ୍ନତ କରିବା ସହ ଶିଳ୍ପ ସମନ୍ୱୟକୁ ସୁଦୃଢ଼ କରିବା ଓ ଛାତ୍ରଛାତ୍ରୀମାନଙ୍କୁ AI-ଚାଳିତ ଭବିଷ୍ୟତ ପାଇଁ ପ୍ରସ୍ତୁତ କରିବାକୁ ସେମାନେ ଗୁରୁତ୍ୱ ଦେଇଛନ୍ତି।

‘ଇଟି ଏଜୁକେସନ୍’ (ETEducation) ର ଏକ ସ୍ୱତନ୍ତ୍ର ସର୍ଭେ ରିପୋର୍ଟ ୨୦୨୬ ମୁତାବକ, ଭାରତୀୟ ଶିକ୍ଷା ବ୍ୟବସ୍ଥା ଏବେ ଏକ ଗୁରୁତ୍ୱପୂର୍ଣ୍ଣ ମୋଡ଼ରେ ଅଛି। ସର୍ଭେରେ ସାମିଲ ହୋଇଥିବା ପ୍ରାୟ ୬୯.୧% ଶିକ୍ଷା ବିଶେଷଜ୍ଞଙ୍କ ମତରେ, ବର୍ତ୍ତମାନର ପାଠ୍ୟକ୍ରମ ଶିଳ୍ପ ସଂସ୍ଥାଗୁଡ଼ିକର ଆବଶ୍ୟକତା ସହିତ ଖାପ ଖାଉନାହିଁ। ଯାହା ଛାତ୍ରଛାତ୍ରୀଙ୍କ ଚାକିରି ପାଇବାରେ ସବୁଠାରୁ ବଡ଼ ବାଧା ସୃଷ୍ଟି କରୁଛି। ସେହିପରି ଭବିଷ୍ୟତର ଶିକ୍ଷାକୁ ନେଇ ସବୁଠାରୁ ବଡ଼ ପରିବର୍ତ୍ତନ ଭାବେ ‘ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ’ (AI) କୁ ଚିହ୍ନଟ କରାଯାଇଛି। ପ୍ରାୟ ୭୧.୫% ଶିକ୍ଷାବିତ୍ ମାନୁଛନ୍ତି ଯେ, ଆଗାମୀ ଦିନରେ AI ଶିକ୍ଷାଦାନ ଏବଂ ଶିଖିବା ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ ବଦଳାଇ ଦେବ।

ପ୍ରାୟ ୫୯.୧% ଶିକ୍ଷାବିତ୍ ଶିକ୍ଷା ଏବଂ ଶିଳ୍ପ (Education-Industry) ମଧ୍ୟରେ ସମନ୍ୱୟ ରକ୍ଷା କରିବାକୁ ପ୍ରାଥମିକତା ଦେଇଛନ୍ତି। ଦେଶରେ ଡିଜିଟାଲ୍ ଶିକ୍ଷାର ବିକାଶକୁ ସବୁଠାରୁ ବଡ଼ ସଫଳତା ବୋଲି ୭୬.୨% ସ୍ୱୀକାର କରିଛନ୍ତି। ତେବେ ମାତ୍ର ୮.୯% ବିଶେଷଜ୍ଞ ମାନୁଛନ୍ତି ଯେ, ବର୍ତ୍ତମାନର ଉଚ୍ଚଶିକ୍ଷା ଅନୁଷ୍ଠାନଗୁଡ଼ିକ ଛାତ୍ରଛାତ୍ରୀଙ୍କୁ ଚାକିରି ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ କରିପାରୁଛନ୍ତି। ଏହି ସର୍ଭେରୁ ସ୍ପଷ୍ଟ ଯେ ଭାରତରେ ଶିକ୍ଷା କ୍ଷେତ୍ରରେ କେବଳ ସଂଖ୍ୟାତ୍ମକ ବୃଦ୍ଧି ନୁହେଁ, ବରଂ ଗୁଣାତ୍ମକ ପରିବର୍ତ୍ତନ ଏବଂ ଟେକ୍ନୋଲୋଜୀର ସଠିକ୍ ବ୍ୟବହାର ହିଁ ଭବିଷ୍ୟତର ପିଢ଼ିକୁ ରୋଜଗାରକ୍ଷମ କରିପାରିବ।୨୦୩୫ ମସିହା ସୁଦ୍ଧା ଭାରତକୁ ବିଶ୍ୱସ୍ତରୀୟ ଶିକ୍ଷା କେନ୍ଦ୍ର କରିବାକୁ ହେଲେ ଶିଳ୍ପ ସଂସ୍ଥାଙ୍କ ସହ ଭାଗିଦାରୀ ଏବଂ AI ପ୍ରଯୁକ୍ତିବିଦ୍ୟାର ସଠିକ୍ ପ୍ରୟୋଗ ହିଁ ଏକମାତ୍ର ରାସ୍ତା। ଏହି ସର୍ଭେରେ ଦେଶର ୧୫ଟିରୁ ଅଧିକ ସହରରୁ ୩୦୦ରୁ ଅଧିକ ବରିଷ୍ଠ ଶିକ୍ଷା ବିଶେଷଜ୍ଞ, ଯେଉଁଥିରେ ଡିନ୍, ନିର୍ଦ୍ଦେଶକ ଏବଂ ଶିକ୍ଷା ଶିଳ୍ପର ନେତାମାନେ ସାମିଲ ଅଛନ୍ତି, ସେମାନଙ୍କର ମତାମତ ନିଆଯାଇ ଏହି ରିପୋର୍ଟ ପ୍ରକାଶ କରାଯାଇଥିଲା।

ଚାକିରି ନେବନି ବରଂ ଚାକିରି ଦେବ ଏଆଇ

ଗତ କିଛି ବର୍ଷ ହେବ AI ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସକୁ ନେଇ ଆମେ ଆଶଙ୍କା କରୁଥିଲୁ ଯେ ଏହା ମଣିଷର ଚାକିରି ଛଡ଼ାଇ ନେବ। କିନ୍ତୁ ଏବେ ଯେଉଁ ତଥ୍ୟ ସାମ୍ନାକୁ ଆସିଛି, ତାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିପାରେ। AI ଯୋଗୁ ଅଫିସ୍ କର୍ମଚାରୀ ନୁହେଁ, ବରଂ ଇଲେକ୍ଟ୍ରିସିଆନ୍, ମେକାନିକ୍ ଏବଂ HVAC ଟେକ୍ନିସିଆନଙ୍କ ଭଳି ବ୍ଲୁ-କଲାର୍ ବର୍ଗରେ ଆସୁଥିବା କର୍ମଚାରୀମାନେ ଅଧିକ ଲାଭବାନ୍ ହେଉଛନ୍ତି। କେମିତି? ଆଗକୁ ପଢ଼ନ୍ତୁ।

AIର ପ୍ରଭାବ ଏବେ ଶ୍ରମ ବଜାରର ଗଣିତ ବଦଳାଇ ଦେଇଛି। ଟ୍ୟାଲେଣ୍ଟ ଫାର୍ମ ‘ରାଣ୍ଡଷ୍ଟାଡ୍’ର ୫ କୋଟିରୁ ଅଧିକ ଚାକିରି ପୋଷ୍ଟିଂକୁ ବିଶ୍ଲେଷଣ କରି କହିଛି, ଭାରତରେ ଏବେ ଦକ୍ଷ ବୈଷୟିକ କର୍ମଚାରୀଙ୍କ ଚାହିଦା ଆକାଶଛୁଆଁ ହୋଇଯାଇଛି। ଗତ ୪ ବର୍ଷରେ ଇଲେକ୍ଟ୍ରିସିଆନଙ୍କୁ ଚାହିଦା ୨୪୨%, HVAC ଟେକ୍ନିସିଆନଙ୍କ ଚାହିଦା ୨୦୦% ଏବଂ ରୋବୋଟିକ୍ସ ଟେକ୍ନିସିଆନ୍ଙ୍କ ଚାହିଦା ୫୦୦%ରୁ ଅଧିକ ବୃଦ୍ଧି ପାଇଛି। ଏହାର କାରଣ ହେଉଛି AI ପାଇଁ ଆବଶ୍ୟକ ଭୌତିକ ଭିତ୍ତିଭୂମି। ଡାଟା ସେଣ୍ଟର ଚଳାଇବା ପାଇଁ ବିଦ୍ୟୁତ୍, ସର୍ଭର ଥଣ୍ଡା ରଖିବା ପାଇଁ HVAC ଏବଂ କାରଖାନାରେ ଅଟୋମେସନ୍ ପାଇଁ ରକ୍ଷଣାବେକ୍ଷଣ କର୍ମୀ ଏବେ ଅନିବାର୍ଯ୍ୟ। ରାଣ୍ଡଷ୍ଟାଡ୍ ଇଣ୍ଡିଆର ସି.ଇ.ଓ. ବିଶ୍ୱନାଥ ପି. ଏସ୍. ଏହାକୁ ‘ଲେବର ଫ୍ଲିପ୍’ ବୋଲି କହିଛନ୍ତି, ଯେଉଁଠାରେ ବ୍ଲୁ-କଲାର୍ କର୍ମଚାରୀଙ୍କ ଦରମା ଏଣ୍ଟ୍ରି-ଲେଭଲ୍ ହ୍ୱାଇଟ-କଲାର୍ ଚାକିରିଠାରୁ ଅଧିକ ବଢ଼ିବାରେ ଲାଗିଛି।

ଉବୟ ବର୍ଗର ବେତନ ବୃଦ୍ଧି ତୁଳନା କଲେ ବ୍ଲୁ-କଲାର୍ କର୍ମଚାରୀଙ୍କୁ ବାର୍ଷିକ ବେତନ ବୃଦ୍ଧି ୫.୭% ହ୍ୱାଇଟ-କଲାର୍ ବେତନ ବୃଦ୍ଧି ୪.୦% ହୋଇଛି। ବାର୍ଷିକ ଆୟ ଉପରେ ନଜର ପକାଇଲେ ଜଣାପଡ଼େ, ରୋବୋଟିକ୍ସ ମେକାନିକମାନେ ହାରାହାରି $୯,୧୦୬ ରୋଜଗାର କରୁଥିବା ବେଳେ, ସାଧାରଣ ଡାଟା-ଏଣ୍ଟ୍ରି ବା ଜୁନିଅର ଆକାଉଣ୍ଟାଣ୍ଟ୍ ମାନଙ୍କ ଆୟ ମାତ୍ର $୨,୭୧୧ ରହିଛି। ୨୦୨୨ ରୁ ୨୦୨୬ ମଧ୍ୟରେ ଭାରତରେ ବ୍ଲୁ-କଲାର୍ ଚାକିରିରେ ୯୩% ଏବଂ ହ୍ୱାଇଟ-କଲାର୍ ଚାକିରିରେ ୪୦% ବୃଦ୍ଧି ଘଟିଛି।

ଏବେ ବ୍ଲୁ କଲାର ଓ ହ୍ୱାଇଟ କଲାର କର୍ମଚାରୀ କଣ ଆସନ୍ତୁ ବୁଝିବା, ନହେଲେ ଆପଣଙ୍କୁ ମନରେ ହୁଏତ ଏନେଇ ପ୍ରଶ୍ନ ଉଠିପାରେ। ‘ବ୍ଲୁ-କଲାର୍’ ଚାକିରିରେ ଅଫିସ୍ କାମ ବା ପ୍ରଶାସନିକ କାର୍ଯ୍ୟ ପରିବର୍ତ୍ତେ ଶାରୀରିକ ପରିଶ୍ରମ, କୁଶଳୀ କାରିଗରୀ ବା ହାତରେ ହେଉଥିବା କାମକୁ ବୁଝାଏ। ଯେଉଁମାନେ ଏସବୁ କାମକୁ ନିଜେ ହାତରେ ପ୍ରତ୍ୟକ୍ଷ ଭାବେ ସମ୍ପାଦନ କରନ୍ତି ସେମାନଙ୍କୁ ବ୍ଲୁକଲାର କର୍ମଚାରୀ କୁହାଯାଏ। ମୁଖ୍ୟତଃ ଉତ୍ପାଦନ ବା (Manufacturing), ନିର୍ମାଣ (Construction), ପରିବହନ (Logistics) ଏବଂ ରକ୍ଷଣାବେକ୍ଷଣ (Maintenance) ଭଳି ଶିଳ୍ପର କାମକୁ ବ୍ଲୁ କଲାର ଜବ କୁହାଯାଏ। ଇଲେକ୍ଟ୍ରିସିଆନ୍, ସମସ୍ତ ପ୍ରକାର ମେକାନିକ, ଡ୍ରାଇଭର ଓ ସଫେଇ କର୍ମୀ ଆଦି ଏହି ବର୍ଗରେ ଆସନ୍ତି।

ଏହି ଶବ୍ଦଟି ୧୯୦୦ ମସିହା ପ୍ରାରମ୍ଭରୁ ଆରମ୍ଭ ହୋଇଥିଲା, ଏହି ସମୟରେ କଠିନ ପରିଶ୍ରମୀ ଶ୍ରମିକମାନେ ମଇଳା ଏବଂ ଦାଗ ଆଦି ଲୁଚାଇବାକୁ ଗାଢ଼ ନୀଳ ସାର୍ଟ ପିନ୍ଧୁଥିଲେ। ସେହିଠାରୁ ବ୍ଲୁ କଲାର ଶବ୍ଦ ଆସିଛି। ସେହିପରି ଯେଉଁମାନେ ଦରମାପ୍ରାପ୍ତ ବୃତ୍ତିଗତ, ଯେଉଁମାନେ ଅଫିସ-ଭିତ୍ତିକ, ପ୍ରଶାସନିକ କିମ୍ବା ପରିଚାଳନାଗତ କାର୍ଯ୍ୟ କରନ୍ତି ସେମାନଙ୍କୁ ହ୍ୱାଇଟ କଲର ଜବ୍ ବୋଲି କୁହାଯାଏ

AI କେବଳ କମ୍ପ୍ୟୁଟର ସ୍କ୍ରିନ୍ରେ ସୀମିତ ନୁହେଁ, ଏହା ବାସ୍ତବ ଜଗତର କାରିଗରମାନଙ୍କ ପାଇଁ ଏକ ନୂଆ ସୁଯୋଗର ଦ୍ୱାର ଖୋଲିଦେଇଛି। ଏଥିରୁ ସ୍ପଷ୍ଟ, ଭବିଷ୍ୟତର AI-ଅର୍ଥନୀତିରେ କେବଳ ସଫ୍ଟୱେୟାର ଇଞ୍ଜିନିୟର ନୁହଁନ୍ତି, ଦକ୍ଷ କାରିଗରମାନେ ମଧ୍ୟ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ।

ଯୁକ୍ତ ଦୁଇ ପରେ ଡିଗ୍ରୀ ହାସଲ ପାଇଁ ନପଢ଼ି ସ୍କିଲ ଶିଖିବା ଜରୁରୀ !

ସେହିପରି NDTVକୁ ପ୍ରତିକ୍ରିୟା ଦେଇ ଜଣାଶୁଣା ନିବେଶକ ସୌରଭ ମୁଖାର୍ଜୀ, ପାଠ ପଢ଼ିଲେ ଚାକିରି ମିଳିବ, ଏହି ଧାରଣା ଉପରେ ପ୍ରଶ୍ନ ଉଠାଇଛନ୍ତି। ତାଙ୍କର ମତରେ ଡିଗ୍ରୀ ନୁହେଁ, କୌଶଳ ବଡ଼।ମୁଖାର୍ଜୀ କହିଛନ୍ତି ଯେ, କଲେଜ ପାଠପଢ଼ା ଏବେ ବେକାରୀ ବଢ଼ାଉଛି। ତାଙ୍କ ମତରେ, ଭାରତରେ ଯୁକ୍ତ ଦୁଇ ପର୍ଯ୍ୟନ୍ତ ପାଠ ପଢ଼ିବା ପରେ ଡିଗ୍ରୀ ଶିକ୍ଷା ବନ୍ଦ କରି କୌଶଳ ଶିଖିବା ଅଧିକ ଲାଭଦାୟକ ହେବ।

‘ମାର୍ସେଲସ୍ ଇନଭେଷ୍ଟମେଣ୍ଟ’ର ପ୍ରତିଷ୍ଠାତା ସୌରଭ ମୁଖାର୍ଜୀଙ୍କ କହିବା ଅନୁସାରେ, ଭାରତର ବର୍ତ୍ତମାନର ଶିକ୍ଷା ବ୍ୟବସ୍ଥା କେବଳ ଘୋଷାପାଠ ଉପରେ ଆଧାରିତ। ପ୍ରତି ୧୦୦ ଜଣ ଗ୍ରାଜୁଏଟ ଛାତ୍ରଙ୍କ ମଧ୍ୟରୁ ମାତ୍ର ୩ ଜଣଙ୍କୁ ଗ୍ରାଜୁଏସନ୍ ବର୍ଷରେ ଚାକିରି ମିଳୁଛି। ଅଶିକ୍ଷିତ ଲୋକଙ୍କ ମଧ୍ୟରେ ବେକାରୀ ହାର ମାତ୍ର ୩% ଥିବାବେଳେ, ଗ୍ରାଜୁଏଟଙ୍କୁ କ୍ଷେତ୍ରରେ ଏହା ୩୦ରୁ ୪୦% ରହିଛି। କଲେଜ୍ରେ ଯାହା ପଢ଼ାଯାଉଛି, ତାହା AI, EV (ଇଲେକ୍ଟ୍ରିକ୍ ଯାନ), ବା ବାୟୋଟେକ୍ ଭଳି ଆଧୁନିକ କ୍ଷେତ୍ର ପାଇଁ ଆବଶ୍ୟକ ଦକ୍ଷତା ପ୍ରଦାନ କରୁନାହିଁ ବୋଲି ମୁଖାର୍ଜୀ ଯୁକ୍ତି ବାଢ଼ିଛନ୍ତି।

ମୁଖାର୍ଜୀଙ୍କ ମତରେ, ଆଜିର ସମୟରେ ଜଣେ ଡିଗ୍ରୀଧାରୀ ଯୁବକ ଏସି ଅଫିସ୍ରେ ଯେତିକି ରୋଜଗାର କରୁଛନ୍ତି, ତା’ଠାରୁ ଅଧିକ ରୋଜଗାର ଜଣେ ନିର୍ମାଣ ଶ୍ରମିକ କିମ୍ବା ଜେସିବି ଅପରେଟର୍ କରୁଛନ୍ତି। ତାଙ୍କ କହିବା କଥା ହେଲା ଯଦି ଭାରତକୁ ବିଶ୍ୱସ୍ତରୀୟ ପ୍ରତିଯୋଗିତାରେ ସାମିଲ ହେବାକୁ ପଡ଼ିବ, ତେବେ ଛାତ୍ରଛାତ୍ରୀଙ୍କୁ ଘୋଷା ପାଠ ବଦଳରେ Critical Thinking ଶିଖାଇବାକୁ ପଡ଼ିବ। ସୌରଭ ମୁଖାର୍ଜୀଙ୍କ ଏହି ବୟାନ ଏବେ ଶିକ୍ଷା ବିଶେଷଜ୍ଞଙ୍କ ମଧ୍ୟରେ ଦୁଇଟି ମତ ସୃଷ୍ଟି କରିଛି। ଡିଗ୍ରୀ ଜରୁରୀ କି କୌଶଳ? ଏହି ପ୍ରଶ୍ନ ଉପରେ ଆପଣଙ୍କ ମତ କ’ଣ ? କମେଣ୍ଟ କରି ନିଶ୍ଚୟ ଜଣାଇବେ।



Source link

Leave A Reply

Your email address will not be published.