Voice of Eastern India

ଫୟାଜ୍ ପ୍ରେମଜୀ କିଏ ? ୧୫,୦୦୦ ଲୋକଙ୍କୁ ମାରିବାକୁ କରିଥିଲା ଯୋଜନା, ଏବେ କଲା ବଡ଼ ଖୁଲାସା 


ମୁମ୍ବାଇ: ମୁମ୍ବାଇର ଡଙ୍ଗ୍ରି ଅଞ୍ଚଳରେ ମହରମ ଶୋଭାଯାତ୍ରା ସମୟରେ ହଜାର ହଜାର ଶିଆ ମୁସଲମାନଙ୍କୁ ବିଷ ଦେଇ  ହତ୍ୟା କରିବାକୁ ଯୋଜନା କରିଥିବା ଅଭିଯୋଗରେ ପୁଣେର ଜଣେ ୩୯ ବର୍ଷୀୟ ବ୍ୟବସାୟୀ ଫୟାଜ୍ ପ୍ରେମଜୀ ଗିରଫ । ନିଜକୁ ‘ଏକ୍ସ-ମୁସଲିମ୍’ (ଇସଲାମ ଧର୍ମ ତ୍ୟାଗ କରିଥିବା ବ୍ୟକ୍ତି) ବୋଲି କହୁଥିବା ଏବଂ ସୋସିଆଲ ମିଡିଆରେ ଶିଆ ସମ୍ପ୍ରଦାୟର ଜଣେ ବଡ଼ ସମାଲୋଚକ ଭାବେ ଜଣାଶୁଣା ଫୟାଜ୍, ଶୋଭାଯାତ୍ରାରେ ସାମିଲ ହେବାକୁ ଥିବା ଲୋକଙ୍କୁ ଯନ୍ତ୍ରଣା ନିବାରକ ଔଷଧ କହି ଏକ ମାରାତ୍ମକ କ୍ୟାପ୍ସୁଲ ବାଣ୍ଟିବାକୁ ଯୋଜନା କରିଥିଲା। ମିଳିଥିବା ସୂଚନା ଅନୁସାରେ, ଫୟାଜ୍ ପ୍ରେମଜୀ ଶୋଭାଯାତ୍ରାର ପ୍ରାୟ ଦୁଇ ସପ୍ତାହ ପୂର୍ବରୁ ମୁମ୍ବାଇର ଏକ ହୋଟେଲରେ ରହିଥିଲା । ସେଠାରେ ରହି ସେ ଏକ ଅନଲାଇନ୍ ପ୍ଲାଟଫର୍ମ ଜରିଆରେ ପ୍ରାୟ ୩୦,୦୦୦ ଖାଲି କ୍ୟାପ୍ସୁଲ ଏବଂ ପ୍ରାୟ ୫୦ କିଲୋଗ୍ରାମର ‘ଜିଙ୍କ୍ ଫସଫାଇଡ୍’ (ମୂଷା ମାରିବା ପାଇଁ ବ୍ୟବହୃତ ହେଉଥିବା କେମିକାଲ୍) ମଗାଇଥିଲା।

ପୋଲିସ ହୋଟେଲ ରୁମ୍‌ରେ ଚଢ଼ାଉ କରି ବିଷାକ୍ତ କେମିକାଲ୍ ଭର୍ତ୍ତି ଥିବା ୧୪,୯୦୦ଟି କ୍ୟାପସୁଲ୍ ଜବତ କରିଛି। ପୋଲିସ ଆଗରେ ପ୍ରେମଜୀ ସ୍ୱୀକାର କରିଛି ଯେ, ସେ ପ୍ରାୟ ୧୫,୦୦୦ ଲୋକଙ୍କୁ ଏହି ବିଷ ଦେଇ ମାରିବାକୁ ଚାହୁଁଥିଲା । ଗିରଫ ହେବା ପୂର୍ବରୁ ସେ ସମୁଦାୟ ୩୦,୦୦୦ କ୍ୟାପସୁଲ୍ ପ୍ରସ୍ତୁତ କରିବାକୁ ଲକ୍ଷ୍ୟ ରଖିଥିଲା। ସୂତ୍ର ଅନୁଯାୟୀ, ସେ ନିଜ ସହ କିଛି ଲୋକଙ୍କୁ ମଧ୍ୟ ଏହି କାମରେ ସାମିଲ କରିଥିଲା ଏବଂ ଏହା ଏକ “ପବିତ୍ର ଓ ମହତ କାର୍ଯ୍ୟ” ବୋଲି କହି ସେମାନଙ୍କୁ ଭ୍ରମିତ କରିଥିଲା ।

କିଏ ଏହି ଫୟାଜ୍ ପ୍ରେମଜୀ?

ଫୟାଜ୍ ପ୍ରେମଜୀ ମୂଳତଃ ଗୁଜରାଟର ଏକ ପ୍ରଭାବଶାଳୀ ମୁସଲିମ୍ ବ୍ୟବସାୟୀ ସମ୍ପ୍ରଦାୟ ‘ଖୋଜା ଶିଆ’ (Khoja Shia) ପରିବାରର । ପରବର୍ତ୍ତୀ ସମୟରେ ତା ପରିବାର ପୁଣେକୁ ସ୍ଥାନାନ୍ତରିତ ହୋଇଥିଲା । ପିଲାଦିନରୁ ହିଁ ପାରମ୍ପରିକ ଧର୍ମୀୟ ବିଶ୍ୱାସ ଉପରେ ପ୍ରଶ୍ନ ଉଠାଇବା ତାର ଅଭ୍ୟାସ ଥିଲା।

୨୦୧୫-୧୬ ମସିହାରେ ସେ ମୁମ୍ବାଇର କିଛି ସମାନ ଚିନ୍ତାଧାରା ବିଶିଷ୍ଟ ଖୋଜା ଶିଆ ଯୁବକମାନଙ୍କ ସହ ମିଶି ସମ୍ପ୍ରଦାୟ ମଧ୍ୟରେ କିଛି ସଂସ୍କାର ଆଣିବାକୁ ଚେଷ୍ଟା କରିଥିଲା। ସେ ଲୋକଙ୍କୁ ଉଦାରବାଦୀ ଇସଲାମ ଆପଣେଇବାକୁ କହିଥିଲା, ମାତ୍ର ରକ୍ଷଣଶୀଳ ସମାଜରେ ତାକୁ କୌଣସି ସମର୍ଥନ ମିଳିନଥିଲା। ଏହା ପରେ ସେ ସୋସିଆଲ ମିଡିଆରେ ନିଜ ସମ୍ପ୍ରଦାୟ ବିରୋଧରେ ଭିଡିଓ ପୋଷ୍ଟ କରିବା ଆରମ୍ଭ କରିଥିଲା।

ଧର୍ମୀୟ ରୀତିନୀତିର ସମାଲୋଚନା କରିବା ଯୋଗୁଁ ତାକୁ ସାମାଜିକ ବାସନ୍ଦର ସମ୍ମୁଖୀନ ହେବାକୁ ପଡ଼ିଥିଲା ଏବଂ  ପୁଣେ ସ୍ଥିତ ବ୍ୟବସାୟ ପ୍ରତିଷ୍ଠାନ ଉପରେ ମଧ୍ୟ ଆକ୍ରମଣ ହୋଇଥିବା ସେ ଦାବି କରିଥିଲା। ୨୦୧୯ ମସିହା ବେଳକୁ ସେ ସମ୍ପୂର୍ଣ୍ଣ ଭାବେ ଇସଲାମ ଧର୍ମ ତ୍ୟାଗ କରି ନିଜକୁ ନାସ୍ତିକ ବୋଲି ଘୋଷଣା କରିଥିଲା। ସେହି ବର୍ଷ ସେ ଇରାନ ଚାଲିଯାଇଥିଲା, କାରଣ ସେ ଭାବିଥିଲା ସେଠାରେ ସଂସ୍କାର ଆସୁଛି। କିନ୍ତୁ ସେଠାରେ ସ୍ଥିତି ଆହୁରି ଅଧିକ ରକ୍ଷଣଶୀଳ ଥିବା ସେ ଅନୁଭବ କଲା। ଗତ କିଛି ବର୍ଷ ଧରି ସେ ବିଭିନ୍ନ ୟୁଟ୍ୟୁବ୍ ଚ୍ୟାନେଲ୍ ଏବଂ ପୋଡକାଷ୍ଟରେ ଆସି ଶିଆ ଇସଲାମ ଏବଂ ଇରାନ ବିରୋଧରେ ଅନେକ ମନ୍ତବ୍ୟ ଦେଉଥିଲା। ସେ ସେଠାରେ ରହି ସେୟାର ମାର୍କେଟ୍ ଟ୍ରେଡିଂ କରୁଥିଲା, ମାତ୍ର ସେ କେବେ ଭାରତ ଫେରିଲା ସେ ନେଇ ସ୍ପଷ୍ଟ ସୂଚନା ମିଳିନାହିଁ।

କେବଳ ଇଣ୍ଟରନେଟ୍ ଏବଂ ଭିଡିଓ ମାଧ୍ୟମରେ ସମାଲୋଚନା କରୁଥିବା ଜଣେ ବ୍ୟକ୍ତି ହଠାତ୍ ଏଭଳି ଏକ ସାଂଘାତିକ ଏବଂ ଭୟଙ୍କର ହତ୍ୟାକାଣ୍ଡର ଷଡ଼ଯନ୍ତ୍ର କିପରି ରଚିଲା, ସେନେଇ ମୁମ୍ବାଇ ପୋଲିସ ଆଶ୍ଚର୍ଯ୍ୟ ପ୍ରକଟ କରିଛି। ସେ ଏକାକୀ ଏହି ଯୋଜନା କରିଥିଲା ନା ତା ପଛରେ କୌଣସି ବଡ଼ ସଂଗଠନର ହାତ ରହିଛି, ସେ ନେଇ ପୋଲିସ ତଦନ୍ତ ଚଳାଇଛି।

ସୂଚନାଯୋଗ୍ୟ, ମୁମ୍ବାଇରେ ମହରମ୍ ଶୋଭାଯାତ୍ରା ସମୟରେ ଏକ ଭୟଙ୍କର ଷଡ଼ଯନ୍ତ୍ରର ପର୍ଦ୍ଦାଫାସ ହୋଇଥିଲା। ସମୟ ଥାଉ ଥାଉ ଧରାପଡ଼ିବାରୁ, ଏକ ବଡ଼ ଗଣହତ୍ୟାକାଣ୍ଡ ରୋକାଯାଇ ପାରିଥିଲା । ଅଭିଯୁକ୍ତ ଫୟାଜ୍ ମୁମ୍ୱାଇରେ ମୃତ୍ୟୁର ଏକ ତାଣ୍ଡବଲୀଳା ରଚିବା ପାଇଁ ଷଡ଼ଯନ୍ତ୍ର କରିଥିଲା । ସେ ମୁମ୍ବାଇର ବାଇକୁଲା ଏବଂ ଜେଜେ ମାର୍ଗରେ ହଜାର ହଜାର ଲୋକଙ୍କୁ ଭିଟାମିନ୍ ଆଳରେ ବିଷ କ୍ୟାପସୁଲ୍ ବାଣ୍ଟୁଥିଲା । ପୋଲିସର ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଇ ଏକ ବଡ଼ ଗଣହତ୍ୟାକାଣ୍ଡକୁ ଏଡାଇବାରେ ସଫଳ ହୋଇଥିଲା । ପୋଲିସ ମୁଖ୍ୟ ଅଭିଯୁକ୍ତ ଫୟାଜ୍ ନିସାର ହୁସେନ୍ ପ୍ରେମଜୀକୁ ଗିରଫ କରିଥିବା ବେଳେ ବହୁ ପରିମାଣରେ ଜିଙ୍କ୍ ଫସଫାଇଡ୍ (ମୂଷା ମାରିବା ପାଇଁ ବ୍ୟବହୃତ ବିଷ) ଜବତ କରିଛି ।


 



Source link

Leave A Reply

Your email address will not be published.