Voice of Eastern India

ଫିଫାର ସବୁଠାରୁ ବଡ଼ ବିଶ୍ୱକପ୍, ସର୍ବାଧିକ ପ୍ରଦୂଷଣକାରୀ: ଖେଳର ସାଂଘାତିକ ଦିଗ


ନୂଆଦିଲ୍ଲୀ: ଟୁର୍ଣ୍ଣାମେଣ୍ଟ ଆରମ୍ଭର ବହୁ ପୂର୍ବରୁ ଫିଫା ବଡ଼ ବଡ଼ ପ୍ରତିଶ୍ରୁତି ଦେଇଥିଲା । ଏହାର ଲକ୍ଷ୍ୟ ଅନୁଯାୟୀ, ଫିଫା ୨୦୩୦ ସୁଦ୍ଧା ଗ୍ରୀନହାଉସ୍ ଗ୍ୟାସ୍ ନିର୍ଗମନ ଅଧା ଏବଂ ୨୦୪୦ ସୁଦ୍ଧା ‘ନେଟ୍-ଜିରୋ’ ସ୍ତରରେ ପହଞ୍ଚିବ ବୋଲି ଘୋଷଣା କରିଥିଲା । ବିଶେଷ କରି ୨୦୨୬ ବିଶ୍ୱକପ୍ ପାଇଁ, ଏହା କେବଳ ପୂର୍ବରୁ ଥିବା ଷ୍ଟାଡିୟମ୍ ବ୍ୟବହାର କରି, ପବ୍ଲିସ୍ ଟ୍ରାନ୍ସପୋର୍ଟ ବିସ୍ତାର କରି, ରିସାଇକ୍ଲିଂ ଏବଂ ବର୍ଜ୍ୟବସ୍ତୁ ପରିଚାଳନାକୁ ପ୍ରୋତ୍ସାହିତ କରି ଟୁର୍ଣ୍ଣାମେଣ୍ଟର ପରିବେଶ ପ୍ରଭାବକୁ ହ୍ରାସ କରିବାକୁ ପ୍ରତିଶ୍ରୁତିବଦ୍ଧ ଥିଲା ।

ଏହି ସମସ୍ତ ପ୍ରତିଶ୍ରୁତି ସତ୍ତ୍ୱେ, ‘ସାଇଣ୍ଟିଷ୍ଟସ୍ ଫର ଗ୍ଲୋବାଲ୍ ରେସପନ୍ସିବିଲିଟି’ର ଆକଳନ ସୂଚାଉଛି ଯେ ଏହା ଇତିହାସର ସବୁଠାରୁ ଅଧିକ କାର୍ବନ-ନିର୍ଗମନକାରୀ ବିଶ୍ୱକପ୍ ଥିଲା । ଏହି ବିଶ୍ୱକପ ପ୍ରାୟ ୯ ମିଲିୟନ ଟନରୁ ଅଧିକ ଅଙ୍ଗାରକାମ୍ଲ ସମକକ୍ଷ ଗ୍ୟାସ୍ ଉତ୍ପନ୍ନ କରିଛି । ଗବେଷକମାନଙ୍କ ଅନୁଯାୟୀ, ଏହା ବର୍ତ୍ତମାନ ସୁଦ୍ଧା ସବୁଠାରୁ ପ୍ରଦୂଷଣକାରୀ ବିଶ୍ୱକପ୍ । ଚଳିତ ବର୍ଷ ଫିଫା ଟୁର୍ଣ୍ଣାମେଣ୍ଟକୁ ୪୮ଟି ଦଳ ପର୍ଯ୍ୟନ୍ତ ବଢାଇଥିଲା । ଏହି ପରିବର୍ତ୍ତନ ଯୋଗୁଁ ଉଭୟ ଖେଳାଳି ଏବଂ ପ୍ରଶଂସକମାନଙ୍କୁ ଆମେରିକା, କାନାଡା ଏବଂ ମେକ୍ସିକୋ ମଧ୍ୟରେ ବ୍ୟାପକ ବିମାନ ଯାତ୍ରା କରିବାକୁ ପଡ଼ିଥିଲା ।

ବିଶ୍ୱ ନିର୍ଗମନରେ ସାଂଗଠନିକ ବୃଦ୍ଧି

‘ଫିଫାଜ୍ କ୍ଲାଇମେଟ୍ ବ୍ଲାଇଣ୍ଡ ସ୍ପଟ୍: ଦି ମେନ୍ସ ୱାର୍ଲ୍ଡ କପ୍ ଇନ୍ ଏ ୱାର୍ମିଂ ୱାର୍ଲ୍ଡ’ ଶୀର୍ଷକରେ ଏକ ତଥ୍ୟ ପ୍ରକାଶିତ ହୋଇଛି । ଏହାକୁ ସାଇଣ୍ଟିଷ୍ଟସ୍ ଫର ଗ୍ଲୋବାଲ୍ ରେସପନ୍ସିବିଲିଟି, ଏନଭାଇରନମେଣ୍ଟାଲ୍ ଡିଫେନ୍ସ ଫଣ୍ଡ (EDF), କୁଲ୍ ଡାଉନ୍ ଏବଂ ନ୍ୟୁ ୱେଦର ଇନଷ୍ଟିଚ୍ୟୁଟ୍ (NWI) ଦ୍ୱାରା ପ୍ରସ୍ତୁତ କରାଯାଇଛି । ଏହି ଟୁର୍ଣ୍ଣାମେଣ୍ଟରୁ ପ୍ରାୟ ୯ ମିଲିୟନ ଟନ୍ କାର୍ବନ ଡାଇଅକ୍ସାଇଡ୍ ସମକକ୍ଷ ଗ୍ୟାସ୍ ନିର୍ଗମନ ହୋଇଥିବା ଆକଳନ କରାଯାଇଛି । ରିପୋର୍ଟର ଅନୁସନ୍ଧାନ ଅନୁଯାୟୀ, ଏହି ସଂଖ୍ୟା ୨୦୧୦ରୁ ୨୦୨୨ ମଧ୍ୟରେ ଅନୁଷ୍ଠିତ ହୋଇଥିବା ବିଶ୍ୱକପଗୁଡ଼ିକର ହାରାହାରି ୪.୭୧ ମିଲିୟନ ଟନ୍ ତୁଳନାରେ ପ୍ରାୟ ଦୁଇଗୁଣ ଅଟେ । ଅନ୍ୟ କିଛି ରିପୋର୍ଟ ଅନୁସାରେ ୨୦୧୮ରେ ରୁଷରେ ହୋଇଥିବା ବିଶ୍ୱକପ୍ ପ୍ରାୟ ୨.୧୬ ମିଲିୟନ ଟନ୍ ଅଙ୍ଗାରକାମ୍ଲ ସମକକ୍ଷ ଗ୍ୟାସ୍ ସୃଷ୍ଟି କରିଥିବାବେଳେ, ୨୦୨୨ କତାର ବିଶ୍ୱକପ୍ ପ୍ରାୟ ୩.୬୩ ମିଲିୟନ ଟନ୍ ଗ୍ୟାସ୍ ସୃଷ୍ଟି କରିଥିଲା ।

ଏନଡିଟିଭି ରିପୋର୍ଟ ଅନୁସାରେ, ନ୍ୟୁ ୱେଦର ଇନଷ୍ଟିଚ୍ୟୁଟ୍ର ସହ-ନିର୍ଦ୍ଦେଶକ ଆଣ୍ଡ୍ର୍ୟୁ ସିମ୍ସ କହିଛନ୍ତି “ଖେଳ ମାନବ ସମାଜର ସବୁଠାରୁ ବଡ଼ ଖୁସି ଦେଉଥିବା ଜିନିଷ ମଧ୍ୟରୁ ଅନ୍ୟତମ, କିନ୍ତୁ ଜୀବାଶ୍ମ ଜାଳେଣି ଯୋଗୁଁ ବଢୁଥିବା ଗ୍ଲୋବାଲ୍ ୱାର୍ମିଂ କାରଣରୁ ଏହା କ୍ରମାଗତ ଭାବେ ବିପଦରେ ପଡ଼ୁଛି । ବିଶ୍ୱକପ୍ ମ୍ୟାଚଗୁଡ଼ିକ ଏଭଳି ଗରମରେ ଖେଳାଯାଇଛି ଯାହା ଖେଳାଳି, ପ୍ରଶଂସକ ଏବଂ ଅଫିସିଆଲମାନଙ୍କୁ ବିପଦରେ ପକାଇଛି । ଖେଳ ଏବଂ ଏହାକୁ ଖେଳୁଥିବା ଓ ଦେଖିବାକୁ ଭଲ ପାଉଥିବା ଲୋକଙ୍କ ସୁରକ୍ଷା କରିବା ଫିଫାର ଦାୟିତ୍ୱ । କିନ୍ତୁ ଏହା ବଦଳରେ, ଏହା ପରିସ୍ଥିତିକୁ ଅଧିକ ଖରାପ କରୁଛି ।”

ଭେନ୍ୟୁ ସମସ୍ୟା

ଚଳିତ ବର୍ଷର ଟୁର୍ଣ୍ଣାମେଣ୍ଟରେ ଫିଫା ଆନୁଷ୍ଠାନିକ ଭାବେ ୪୮-ଦଳ ଫର୍ମାଟ୍କୁ ଆପଣେଇଥିଲା । ୩ଟି ଦେଶର ୧୬ଟି ଆୟୋଜକ ସହରରେ ୧୦୪ଟି ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା । କେବଳ ଏହି ପରିବର୍ତ୍ତନ ହିଁ ସମାଲୋଚନାର ଶିକାର ହୋଇଥିଲା । ଆୟୋଜନ ସ୍ଥଳଗୁଡ଼ିକ ଆମେରିକା, କାନାଡା ଏବଂ ମେକ୍ସିକୋର ବ୍ୟାପିଥିଲା । ଦଳଗୁଡ଼ିକୁ ଅଧିକ ଦୂରତା ଯାତ୍ରା କରିବାକୁ ପଡ଼ିଥିଲା । ଆକଳନ ଆନୁଯାୟୀ, ଯଦି ଇଂଲଣ୍ଡ ଫାଇନାଲରେ ପହଞ୍ଚିଥାନ୍ତା, ତେବେ ଶେଷ ମ୍ୟାଚ୍ ଖେଳିବା ପାଇଁ ସେମାନଙ୍କୁ ପ୍ରାୟ ୩୯,୦୦୦ କିଲୋମିଟର ବିମାନ ଯାତ୍ରା କରିବାକୁ ପଡ଼ିଥାନ୍ତା ।

ଫିଫା ସଭାପତି ଜିଆନି ଇନଫାଣ୍ଟିନୋ ମଧ୍ୟ ଖୁବ ସମାଲୋଚନାର ସମ୍ମୁଖୀନ ହୋଇଛନ୍ତି । ନିଜର ବ୍ୟକ୍ତିଗତ ଜେଟ୍ ବ୍ୟବହାର କରିଥିବା ଅଭିଯୋଗ ଉପରେ ଯାଞ୍ଚର ସମ୍ମୁଖୀନ ହୋଇଛନ୍ତି । ଆସୋସିଏଟେଡ୍ ପ୍ରେସର ଏକ ରିପୋର୍ଟ ଅନୁଯାୟୀ, ବିଶ୍ୱକପ ଚାମ୍ପିଅନ ମିଳିବା ସୁଦ୍ଧା ଇନଫାଣ୍ଟିନୋ ପୃଥିବୀକୁ ପ୍ରାୟ ଅଢ଼େଇ ଗୁଣା ବୁଲିବା ଭଳି ଦୂରତା ବିମାନରେ ଯାତ୍ରା କରିସାରିଥିବେ । ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ ଇନଫାଣ୍ଟିନୋ ସମସ୍ତ ୧୬ଟି ବିଶ୍ୱକପ୍ ଭେନ୍ୟୁରେ ଅତି କମରେ ଗୋଟିଏ ଲେଖାଏଁ ମ୍ୟାଚରେ ଉପସ୍ଥିତ ଥିଲେ ।

ଏହି ବିଶ୍ୱକପ୍ ଶେଷ ହେବା ସହିତ, ବ୍ରାଜିଲରେ ହେବାକୁ ଥିବା ୨୦୨୭ ମହିଳା ବିଶ୍ୱକପ୍ ଏବଂ ଦକ୍ଷିଣ ଆମେରିକା, ଉତ୍ତର ଆଫ୍ରିକା ଓ ୟୁରୋପରେ ୨୦୩୦ ପୁରୁଷ ବିଶ୍ୱକପ୍ ସହିତ ଭବିଷ୍ୟତର ଟୁର୍ଣ୍ଣାମେଣ୍ଟଗୁଡ଼ିକ ଉପରେ ଧ୍ୟାନ କେନ୍ଦ୍ରୀଭୂତ ହେଲାଣି । କ୍ରୀଡ଼ାକୁ ଅଧିକ ସ୍ୱଚ୍ଛ ଏବଂ ପରିବେଶ ଅନୁକୂଳ ଉପାୟରେ ଖେଳାଯିବା ନିଶ୍ଚିତ କରିବା ପାଇଁ ଚଳିତ ବର୍ଷର ଅନୁସନ୍ଧାନରୁ ଶିକ୍ଷା ଗ୍ରହଣ କରାଯିବା ଆବଶ୍ୟକ ବୋଲି ଗବେଷକମାନେ ଯୁକ୍ତି ବାଢ଼ିଛନ୍ତି।



Source link

Leave A Reply

Your email address will not be published.