Voice of Eastern India

ପ୍ରେମ ପାଇଁ ହାଇଭୋଲଟେଜ୍ ଡ୍ରାମା! ମନ୍ଦିର ଚୂଳରେ ବସି ପ୍ରେମିକର ଜିଦ୍


ଘଟଗାଁ:ପ୍ରେମ ପାଇଁ ପ୍ରେମିକର ଉନ୍ମତ୍ତ କାଣ୍ଡ। ପ୍ରେମିକା ସହ କଥା ହେବା ପାଇଁ ଏବଂ ତାକୁ ପାଖକୁ ଡାକିବା ପାଇଁ ସୀମା ପାର୍ କଲା ଯୁବକ। ପ୍ରସିଦ୍ଧ ଘଟଗାଁ ତାରିଣୀ ମନ୍ଦିର ଚୂଳକୁ ଚଢ଼ି ପ୍ରେମିକାକୁ କଲ୍ କରିବା ସହ ଆତ୍ମହତ୍ୟା କରିବାର ଧମକ ଦେବା ଭଳି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଏହି ଘଟଣାକୁ ନେଇ ମନ୍ଦିର ପରିସରରେ କିଛି ସମୟ ପାଇଁ ଉତ୍ତେଜନା ପ୍ରକାଶ ପାଇଥିଲା।

ମନ୍ଦିର ଚୂଳରେ ପ୍ରେମିକର ହାଇଡ୍ରାମା

ମିଳିଥିବା ସୂଚନା ଅନୁସାରେ, ଯୁବକ ଜଣକ ହେଉଛନ୍ତି ହରିଚନ୍ଦନପୁର ଥାନା ଅନ୍ତର୍ଗତ କାଳିଆଦୁମା ଗ୍ରାମର ସୋନୁ ମହାନ୍ତ। ସ୍ଥାନୀୟ ଲୋକଙ୍କ କହିବା କଥା, ଦୁଇ ଦିନ ପୂର୍ବରୁ ସୋନୁ ତାଙ୍କ ପ୍ରେମିକାଙ୍କ ସହ ଘରୁ ଚାଲିଯାଇଥିଲେ। ତେବେ ଝିଅଙ୍କ ପରିବାର ଲୋକେ ଖବର ପାଇ ପହଞ୍ଚିବା ପରେ ଝିଅକୁ ସୋନୁଙ୍କ ପାଖରୁ ଫେରାଇ ନେଇଥିଲେ।

ଫୋନ୍ ନ ଉଠାଇବାରୁ ଆରମ୍ଭ କଲେ ହଟଚମଟ

ପ୍ରେମିକାକୁ ପରିବାର ଲୋକେ ନେଇଯିବା ପରେ ସୋନୁ ତାଙ୍କ ସହ ଯୋଗାଯୋଗ କରିବାକୁ ବାରମ୍ବାର ଚେଷ୍ଟା କରିଥିଲେ। ମାତ୍ର କୌଣସି ଉପାୟ ନପାଇ ଶେଷରେ ସେ ଘଟଗାଁ ତାରିଣୀ ମନ୍ଦିରର ଚୂଳ ଉପରକୁ ଚଢ଼ିଯାଇଥିଲେ। ସେଠାରେ ବସି ସେ ପ୍ରେମିକାଙ୍କୁ ବାରମ୍ବାର ଫୋନ୍ କଲ୍ କରିଥିଲେ। ପ୍ରେମିକା ତାଙ୍କ ପାଖକୁ ନଫେରିଲେ କିମ୍ବା କଥା ନହେଲେ ସେ ମନ୍ଦିର ଚୂଳରୁ ଡେଇଁ ଆତ୍ମହତ୍ୟା କରିବେ ବୋଲି ଧମକ ଦେଇଥିଲେ।

ମନ୍ଦିର ପ୍ରଶାସନ, ସ୍ଥାନୀୟ ଶ୍ରଦ୍ଧାଳୁ ଓ ପୋଲିସର ବୁଝାସୁଝା ପରେ ଯୁବକ ଜଣଙ୍କୁ ସୁରକ୍ଷିତ ଭାବେ ତଳକୁ ଓହ୍ଲାଯାଇଥିବା ଜଣାପଡ଼ିଛି। ମାଆ ତାରିଣୀଙ୍କ ପୀଠ ପରି ପବିତ୍ର ସ୍ଥାନରେ ଯୁବକଙ୍କ ଏପରି ଅଜବ କାର୍ଯ୍ୟକଳାପକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର୍ ଧରିଛି।

Also Read: ଜନସେବା କରୁ କରୁ ଚାଲିଗଲା ଜୀବନ, ବିଦ୍ୟୁତ୍ ଆଘାତରେ ଅଗ୍ନିଶମ କର୍ମଚାରୀଙ୍କ ମୃତ୍ୟୁ



Source link

Leave A Reply

Your email address will not be published.