ନୂଆଦିଲ୍ଲୀ: ପାକିସ୍ତାନ ଅଧିକୃତ କାଶ୍ମୀରରେ ପାକିସ୍ତାନ ସରକାରଙ୍କ ବିରୋଧରେ ଚାଲିଥିବା ପ୍ରତିବାଦ ପ୍ରଦର୍ଶନ ଏକ ଉଗ୍ର ରୂପ ନେଇଛି । ରାୱଲକୋଟର ଇଦ୍ଗା ମୈଦାନରେ ପ୍ରାୟ ୮୦,୦୦୦ରୁ ଅଧିକ ପ୍ରତିବାଦକାରୀ ଏକାଠି ହୋଇଥିଲେ । ଏହି ସମାବେଶକୁ ସମ୍ବୋଧିତ କରି ‘ଜଏଣ୍ଟ ଆୱାମୀ ଆକ୍ସନ କମିଟି’ର ନେତା ସର୍ଦ୍ଦାର ଅମନ ଖାନ ପାକିସ୍ତାନ ସରକାର ଓ ସେନା ଉପରେ ସଙ୍ଗୀନ ଅଭିଯୋଗ ଲଗାଇଛନ୍ତି ।
ସେ କହିଛନ୍ତି ଯେ, କାଶ୍ମୀରୀବାସୀଙ୍କୁ ପ୍ରକୃତରେ ଅସ୍ତ୍ରଶସ୍ତ୍ର ଯୋଗାଇଥିଲା ପାକିସ୍ତାନ ମିଲିଟାରୀ ଏବଂ ଏବେ ସେମାନଙ୍କ ଉପରେ ‘ଆତଙ୍କବାଦୀ’ର ଆଖ୍ୟା ଲଗାଯାଉଛି । ଅମନ ଖାନ କହିଛନ୍ତି, “କାଶ୍ମୀରୀବାସୀଙ୍କ ହାତକୁ ବନ୍ଧୁକ ବଢ଼ାଇଥିଲା ପାକିସ୍ତାନ ସେନା । କିନ୍ତୁ ଆଜି ସେମାନେ ଆମକୁ ଆତଙ୍କବାଦୀ ବୋଲି କହିବାକୁ ସାହସ କରୁଛନ୍ତି ।” ସେ ପୂର୍ବ ଏକରାଲିର ଉଦାହରଣ ଦେଇ କହିଛନ୍ତି ଯେ, କିପରି ସେଠାକାର ପ୍ରଶାସନ ଏକେ-୪୭ ଏବଂ ଖଣ୍ଡା ଧରି ଶୋଭାଯାତ୍ରା କରୁଥିବା ଲୋକଙ୍କୁ ସୁରକ୍ଷା ଦେଇଥିଲା ଏବଂ ଆଜି ନିଜ ହକ ମାଗୁଥିବା ସାଧାରଣ ଜନତାଙ୍କୁ ଆତଙ୍କବାଦୀ ବୋଲି କୁହାଯାଉଛି ।
ସୂଚନାଯୋଗ୍ୟ ଯେ, ପିଓକେରେ ଆର୍ଥିକ ସଙ୍କଟ, ମହଙ୍ଗା ମାଡ଼ ଏବଂ ପାକିସ୍ତାନର ପ୍ରଶାସନିକ ଅବହେଳାକୁ ବିରୋଧ କରି ଦୀର୍ଘ ଦିନ ହେବ ବଡ଼ ଧରଣର ଆନ୍ଦୋଳନ ଓ ବିକ୍ଷୋଭ ପ୍ରଦର୍ଶନ ଜାରି ରହିଛି । ଅନେକ ସ୍ଥାନରେ ପ୍ରତିବାଦକାରୀମାନେ ପାକିସ୍ତାନ ସରକାରଙ୍କୁ ଚେତାବନୀ ଦେଇ “PoK ପାକିସ୍ତାନର ଅଂଶ ନୁହେଁ” ବୋଲି ସ୍ଲୋଗାନ ଦେବା ସହ ଭାରତ ଆଡ଼କୁ ଢଳିବେ ବୋଲି ଚେତାବନୀ ଦେଇଛନ୍ତି ।
