“ପାକିସ୍ତାନର ସମସ୍ୟା ପାଇଁ ଭାରତ ନୁହେଁ, ନିଜ ସେନା ଓ ରାଜନେତା ଦାୟୀ”, ପାକ୍ ସାମ୍ୱାଦିକଙ୍କ ମୁହଁ ବନ୍ଦ କରିଦେଲେ ପ୍ରଖ୍ୟାତ କୂଟନୀତିଜ୍ଞ
ନୂଆଦିଲ୍ଲୀ: ପାକିସ୍ତାନରେ ଲୋକଙ୍କ ଖରାପ ସ୍ଥିତି ପାଇଁ ତାର ସେନା ଏବଂ ରାଜନେତା ବୋଲି ଅନେକ ସମୟରେ ଦାବି କରାଯାଏ । ଏବେ ପୁଣି ଥରେ ପ୍ରତିଷ୍ଠିତ କୂଟନୀତିଜ୍ଞ ଏହି କଥା ସପକ୍ଷରେ ଯୁକ୍ତି ଦେଇଛନ୍ତି । ସିଙ୍ଗାପୁରର ପୂର୍ବତନ ରାଷ୍ଟ୍ରଦୂତ ବିଲାହରି କୌସିକାନଙ୍କ କହିବା ଅନୁଯାୟୀ, ଆମେରିକା-ଇରାନ ଯୁଦ୍ଧରେ ମଧ୍ୟସ୍ଥତା କରି ପାକିସ୍ତାନ ହୁଏତ ନିଜର ଅନ୍ତର୍ଜାତୀୟ ଭାବମୂର୍ତ୍ତି ସୁଧାରି ଥାଇପାରେ । କିନ୍ତୁ ନିଜ ଦେଶ ଭିତରେ ଥିବା ସଂକଟର ସମାଧାନ ପାଇଁ ଏହା କିଛି କରିନାହିଁ । ସେ ଜୋର ଦେଇ କହିଛନ୍ତି, ପାକିସ୍ତାନ ଏକ “ବିଫଳତା ବା ଧ୍ୱଂସର ଦ୍ୱାରଦେଶରେ ଠିଆ ହୋଇଥିବା ରାଷ୍ଟ୍ର” ।
ଗ୍ଲୋବାଲ୍ କନଫରେନ୍ସରେ କୌସିକାନ ସ୍ପଷ୍ଟ କରିଛନ୍ତି ଯେ ପାକିସ୍ତାନର ସମସ୍ୟା ଭାରତ କିମ୍ବା ଆଫଗାନିସ୍ତାନ ଯୋଗୁଁ ନୁହେଁ, ବରଂ ତାର ନିଜର ରାଜନେତା ଓ ସେନା ପାଇଁ । ସେ ଗୁରୁତ୍ୱାରୋପ କରିଛନ୍ତି ଯେ ପାକିସ୍ତାନ ନିଜର କୂଟନୀତିକ ଚାଲ୍ ଭଲ ଭାବରେ ଖେଳିଥାଇପାରେ, କିନ୍ତୁ “ତାହା ନିଜ ଜନସାଧାରଣଙ୍କ ପେଟ ପୂରାଇ ପାରିବ ନାହିଁ ।” ଆଗାମୀ ୫ ବର୍ଷରେ ପାକିସ୍ତାନ କେଉଁଠି ରହିବ ବୋଲି ଜଣେ ପାକିସ୍ତାନୀ ସାମ୍ବାଦିକ ପ୍ରଶ୍ନର ଜବାବରେ କୌସିକାନ ଏହି ଆକଳନ କରିଛନ୍ତି ।
ସମ୍ମିଳନୀ ସମୟରେ ଜଣେ ପାକିସ୍ତାନୀ ସାମ୍ବାଦିକ କହିଥିଲେ ଯେ ଇସଲାମାବାଦର ଅଧିକାଂଶ ସମସ୍ୟା ଭାରତ ଏବଂ ଆଫଗାନିସ୍ତାନ ସୀମାରୁ ଉତ୍ପନ୍ନ ହେଉଛି । କିନ୍ତୁ ସାମ୍ୱାଦିକଙ୍କ ଏହିକୁଥ ପ୍ରତ୍ୟାଖ୍ୟାନ କରି ଅଭିଜ୍ଞ କୂଟନୀତିଜ୍ଞ ପାକିସ୍ତାନର ଭିକ୍ଟିମ କାର୍ଡର ପୁରୁଣା ଅଭ୍ୟାସକୁ ଗ୍ରହଣ କରି ନଥିଲେ ।
“If Pakistan does not fix its problems, it will always be on the brink of state failure. Everyone is worried about it because you have nuclear weapons. If Pakistan did not have nuclear weapons, no one would care,” says former Singapore Ambassador Bilahari Kausikan…
— GeoPanda (@Geotactix) July 3, 2026
କୌସିକାନ କହିଥିଲେ, “ଆପଣ ସବୁକିଛି ପାଇଁ ଭୌଗୋଳିକ ଅବସ୍ଥିତିକୁ ଦୋଷ ଦେଇପାରିବେ ନାହିଁ । ତାହା କେବଳ ଏକ ବାହାନା । ଆରମ୍ଭରୁ ହିଁ ପାକିସ୍ତାନର ଦୟନୀୟ ଅବସ୍ଥାରେ ପରିଚାଳନା କରାଯାଇଛି । ମୋତେ କୌଣସି ସମାଧାନ ଦେଖାଯାଉ ନାହିଁ । ସେଠାକାର ରାଜନେତାମାନେ ଏବଂ ସେନା ହେଉଛି ଏହି ସମସ୍ୟାର ଏକ ବଡ଼ ଅଂଶ ।”
ସେ ଏହା ମଧ୍ୟ କହିବାକୁ ପଛାଇ ନଥିଲେ ଯେ ପାକିସ୍ତାନ ପାଖରେ କେବଳ ପରମାଣୁ ଅସ୍ତ୍ର ଥିବାରୁ ହିଁ ସାରା ବିଶ୍ୱ ତାହାକୁ ନେଇ ଚିନ୍ତିତ, ନଚେତ୍ କେହି ତାର ସ୍ଥିତିକୁ ଖାତିର କରନ୍ତେ ନାହିଁ । ତେଣୁ ପାକିସ୍ତାନ ବାହାନା ଛାଡ଼ି ନିଜର ଅର୍ଥନୀତିର କୁପରିଚାଳନା ଏବଂ ଜିହାଦୀ ଆନ୍ଦୋଳନଗୁଡ଼ିକୁ ନିୟନ୍ତ୍ରଣ କରିବା ଉପରେ ଧ୍ୟାନ ଦେବାକୁ ହେବ ।
