ଭୁବନେଶ୍ବର: ଦିନେ ତାଙ୍କୁ ଦେଖିବାକୁ ମଞ୍ଚ ତଳେ ଲାଗିଯାଉଥିଲା ଅସମ୍ଭାଳ ଭିଡ଼। ‘ମୋ ପେଁକାଳୀ ବଜେଇ ଦେ’ ଶୁଣିଲେ ହିଁ କମ୍ପି ଉଠୁଥିଲା ଯାତ୍ରା ପଡ଼ିଆ। ହେଲେ ଯାତ୍ରା ଜଗତର ଭେଟେରାନ ରମେଶ ଚନ୍ଦ୍ର ମହାନ୍ତି ଆଉ ନାହାଁନ୍ତି। ୮୩ ବର୍ଷ ବୟସରେ ହୋଇଛି ତାଙ୍କର ପରଲୋକ। ସୋମବାର ପୁରୁଣା ଭୁବନେଶ୍ୱର ଗରାବଡୁ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସଂପନ୍ନ ଶେଷ ହୋଇଛି।
ପର ଝିଅ ଘର ଭାଙ୍ଗେନା, ସତ କେବେ ଲୁଚି ରହେନା ଭଳି ଅନେକ ସିନେମାରେ ଚମତ୍କାର ଅଭିନୟ କରି ପ୍ରମାଣ କରିଥିଲେ ଯେ, ସେ କେବଳ ହିରୋ ନୁହେଁ, ଜଣେ ଷ୍ଟାର। ଆହୁରି ମଧ୍ୟ ୪ଟି ଭାଷାରେ ଅଭିନୟ, ଅମିତାଭ ବଚ୍ଚନଙ୍କ ସହ ‘ନୟା ଜହର’ ପର୍ଯ୍ୟନ୍ତ ତାଙ୍କର ଯାତ୍ରା ଖୁବ ରୋମାଞ୍ଚକର ଥିଲା।
କିନ୍ତୁ ତାଙ୍କର ପ୍ରକୃତ ଯୁଦ୍ଧ କ୍ଷେତ୍ର ଥିଲା ଯାତ୍ରା ପଡ଼ିଆ। ୯୦ ଦଶକରେ ଯେଉଁ ଟ୍ରୁପରେ ରମେଶ ମହାନ୍ତି ଥିଲେ, ସେଇ ଟ୍ରୁପର ଟିକେଟ ବ୍ଲାକରେ ବିକ୍ରି ହୁଏ। ଏମିତିକି ତାଙ୍କୁ ଦେଖିବା ପାଇଁ ମଞ୍ଚ ଆଗରେ ରାତିସାରା ଲୋକ ଶୋଇ ପଡ଼ୁଥିଲେ । ସେ ପ୍ରଥମ ଥର ପାଇଁ ଯାତ୍ରାରେ କମେଡି, ଆକ୍ସନ ସହ ସାମାଜିକ ବାର୍ତ୍ତାକୁ ମିଶାଇଥିଲେ। ‘ବନ୍ଧା ପଡ଼ିଛି ମୋ ବାହା ମୁକୁଟ‘ ଓ ‘ଏ ଦୁନିଆ ଚିଡିଆଖାନା’ରେ ତାଙ୍କର ଡାଏଲଗ ଖୁବ୍ ଚର୍ଚ୍ଚିତ ହୋଇଥିଲା। ‘ଜଗା ଦାସ ଗାଁକୁ ଫେରିନି’ରୁ ଆରମ୍ଭ କରି ‘ନଈ ପାଣି ନଈକୁ ଯାଆ’ ପର୍ଯ୍ୟନ୍ତ ଖୁବ୍ ଅନନ୍ୟ।
