Hyderabad Aston Martin accident: ସାଂସଦଙ୍କ ପୁଅର ଦାମିକିଆ ଗାଡ଼ି ଧକ୍କାରେ ଯୁବତୀଙ୍କ ମୃତ୍ୟୁ। ଏପର୍ଯ୍ୟନ୍ତ ଗିରଫ ହୋଇପାରିଲା ନାହିଁ ଅଭିଯୁକ୍ତ। ଘଟଣା ଘଟିଛି ଆନ୍ଧ୍ର ପ୍ରଦେଶ ହାଇଦ୍ରାବାଦରେ। ଅଭିଯୁକ୍ତ ହେଲେ ପବନ କଲ୍ୟାଣଙ୍କ ଜନସେନା ପାର୍ଟିର ରାଜ୍ୟସଭା ସାଂସଦ ଲିଙ୍ଗମାନେନି ରମେଶଙ୍କ ୨୧ ବର୍ଷୀୟ ପୁଅ ଲିଙ୍ଗମାନେନି ସଞ୍ଜୁଷ। ବେପରୁଆ ଗାଡ଼ି ଚାଳନା ଅଭିଯୋଗରେ ସଞ୍ଜୁସ ବିରୋଧରେ ମାମଲା ରୁଜୁ ହୋଇଥିଲେ ମଧ୍ୟ ତାଙ୍କୁ ଗିରଫ କରାଯାଇ ନାହିଁ। ମୃତ ଯୁବତୀଙ୍କ ନାଁ ଭାରତୀ ମୁଖୀ। ସେ ହାଇଦ୍ରାବାଦର ଇନୋର୍ବିଟ୍ ମଲ୍ରେ ଲାଇଫଷ୍ଟାଇଲ୍ ପୋଷାକ ଷ୍ଟୋର୍ରେ କାମ କରୁଥିଲେ। ଅଗଷ୍ଟ ୧୬ ତାରିଖରେ ମାଧାପୁର ଅଞ୍ଚଳରେ ନିଜ କାର୍ଯ୍ୟସ୍ଥଳ ନିକଟରେ ରାସ୍ତା ପାର୍ ହେଉଥିବା ସମୟରେ ତାଙ୍କୁ ଏକ ଆଷ୍ଟନ ମାର୍ଟିନ କାର୍ ଧକ୍କା ଦେଇଥିଲା।
ପୋଲିସର ଏଫ୍ଆଇଆର୍ ଅନୁସାରେ, ୨୬ ବର୍ଷୀୟା ଯୁବତୀ ଭାରତୀ ତାଙ୍କ ସହକର୍ମୀ ପୂଜା ଅଶୋକ ଆଲୋନଙ୍କ ସହ ରବିବାର ଅପରାହ୍ଣ ପ୍ରାୟ ୩ଟା ସମୟରେ ନିକଟସ୍ଥ ଆଇଟିସି କୋହେନୁର ଅଞ୍ଚଳକୁ ମଧ୍ୟାହ୍ନ ଭୋଜନ ପାଇଁ ଯାଇଥିଲେ। ଖାଇସାରି ଦୁହେଁ ନିଜ କାର୍ଯ୍ୟସ୍ଥଳକୁ ଫେରୁଥିବା ବେଳେ ଇନୋର୍ବିଟ୍ ମଲ୍ ସାମ୍ନାରେ ଭାରତୀ ରାସ୍ତା ପାର୍ ହେଉଥିଲେ। ଏହି ସମୟରେ ଦ୍ରୁତ ଗତିରେ ଆସୁଥିବା ଆଷ୍ଟନ ମାର୍ଟିନ କାର୍ (TG-09-G-0666) ତାଙ୍କୁ ଧକ୍କା ଦେଇଥିବା ଅଭିଯୋଗ ହୋଇଛି। ଧକ୍କା ଏତେ ଜୋର୍ଦାର ଥିଲା ଯେ ଭାରତୀଙ୍କ ମୁଣ୍ଡରେ ଗୁରୁତର ଆଘାତ ଲାଗିବା ସହ ପ୍ରବଳ ରକ୍ତସ୍ରାବ ହୋଇଥିଲା।
Also read- ହୋମୱାର୍କ କରିନଥିବାରୁ ଚାପୁଡ଼ା ମାରିଲେ ଶିକ୍ଷୟିତ୍ରୀ: ଅଚେତ ହୋଇ କୋଳରେ ଟଳିପଡ଼ିଲେ ୬ ବର୍ଷୀୟ ଏଲ୍କେଜି ଛାତ୍ର
ପୋଲିସର ସୂଚନା ଅନୁସାରେ, ଦୁର୍ଘଟଣା ପରେ ଭାରତୀଙ୍କୁ ସେହି କାରରେ ଜୁବିଲି ହିଲ୍ସ ସ୍ଥିତ ଆପୋଲୋ ହସ୍ପିଟାଲକୁ ନିଆଯାଇଥିଲା। କିନ୍ତୁ ହସ୍ପିଟାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହାପରେ ଭାରତୀଙ୍କ ସହକର୍ମୀ ପୂଜା ଷ୍ଟୋର୍ ମ୍ୟାନେଜର ଅଶ୍ୱିନ କୁମାରଙ୍କୁ ଘଟଣା ସମ୍ପର୍କରେ ଜଣାଇଥିଲେ। ମ୍ୟାନେଜର ପୋଲିସକୁ ଖବର ଦେବା ପରେ ଘଟଣାର ତଦନ୍ତ ଆରମ୍ଭ ହୋଇଥିଲା।
ଅଭିଯୁକ୍ତଙ୍କୁ ନୋଟିସ୍, ହୋଇନି ଗିରଫ
ଏହି କାର୍କୁ ଲିଙ୍ଗମାନେନି ସଞ୍ଜୁଷ ଚଳାଉଥିବା ଚିହ୍ନଟ କରିଛି ସାଇବରାବାଦ ପୋଲିସ। ତେବେ ଆଶ୍ଚର୍ଯ୍ୟର କଥା ହେଉଛି ତାଙ୍କୁ ଏପର୍ଯ୍ୟନ୍ତ ଗିରଫ କରାଯାଇ ନାହିଁ, ବରଂ ନୋଟିସ ଗୋଟିଏ ପଠାଯାଇଛି। ମାଧାପୁର ଆସିଷ୍ଟାଣ୍ଟ କମିଶନର ଅଫ୍ ପୋଲିସ୍ ଚ. ଶ୍ରୀଧର କହିଛନ୍ତି ଯେ ଅଭିଯୁକ୍ତଙ୍କୁ ନୋଟିସ୍ ଜାରି କରାଯାଇଛି। ଏହି ଅପରାଧ ଜାମିନଯୋଗ୍ୟ ହୋଇଥିବା ଏବଂ ଏଥିପାଇଁ ସର୍ବାଧିକ ୭ ବର୍ଷରୁ କମ୍ ଦଣ୍ଡର ବ୍ୟବସ୍ଥା ଥିବାରୁ ଏଯାଏ ଗିରଫ କରାଯାଇନଥିବା ପୋଲିସ କହିଛି।
ଏହି ଘଟଣାରେ ଭାରତୀୟ ନ୍ୟାୟ ସଂହିତା (BNS)ର ଧାରା ୧୦୬(୧) ଅନୁଯାୟୀ ମାମଲା ରୁଜୁ ହୋଇଛି। ପୋଲିସ ଘଟଣାର ସମସ୍ତ ଦିଗରୁ ତଦନ୍ତ କରୁଥିବା ବେଳେ ଦୁର୍ଘଟଣାର ପ୍ରକୃତ ପରିସ୍ଥିତି ଏବଂ କାର୍ର ସ୍ପିଡ୍ ସମ୍ପର୍କରେ ତଥ୍ୟ ସଂଗ୍ରହ କରୁଛି।
