Voice of Eastern India

ଦିଲ୍ଲୀ ଜଳ ବୋର୍ଡ ଟେଣ୍ଡର ଦୁର୍ନୀତି ଅଭିଯୋଗ: ସତ୍ୟେନ୍ଦ୍ର ଜୈନଙ୍କ ସମେତ ୬ ଗିରଫ


ନୂଆଦିଲ୍ଲୀ: ଦିଲ୍ଲୀ ଜଳ ବୋର୍ଡ (DJB)ର ସିୱେଜ୍ ଟ୍ରିଟମେଣ୍ଟ ପ୍ଲାଣ୍ଟ (STP) ପ୍ରକଳ୍ପର ଟେଣ୍ଡର ପ୍ରକ୍ରିୟାରେ ଅନିୟମିତତା ଅଭିଯୋଗରେ ଆମ୍ ଆଦମୀ ପାର୍ଟି (AAP) ନେତା ତଥା ଦିଲ୍ଲୀର ପୂର୍ବତନ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ଆଣ୍ଟି-କରପସନ୍ ବ୍ରାଞ୍ଚ୍ (ACB) ମଙ୍ଗଳବାର ଗିରଫ କରିଛି। ଜୈନଙ୍କ ସମେତ ଏହି ମାମଲାରେ ମୋଟ ୬ ଜଣଙ୍କୁ ଗିରଫ କରାଯାଇଛି। ମିଳିଥିବା ସୂଚନା ଅନୁସାରେ ସତୈନ୍ଦ୍ରଙ୍କୁ ତାଙ୍କ ଘରୁ ଗିରଫ କରାଯାଇଛି। ଆପ୍ ସରକାର ସମୟରେ ଦିଲ୍ଲୀ ଜଳ ବୋର୍ଡରେ ହୋଇଥିବା ଦୁର୍ନୀତି ଅଭିଯୋଗରେ ତାଙ୍କୁ ଗିରଫ ହୋଇଥିବା ପିଟିଆଇ ରିପୋର୍ଟ କରିଛି।

ଗିରଫ ହୋଇଥିବା ଅନ୍ୟମାନଙ୍କ ମଧ୍ୟରେ ଦିଲ୍ଲୀ ଜଳ ବୋର୍ଡର ପୂର୍ବତନ ସିଇଓ ଉଦିତ ପ୍ରକାଶ ରାୟ (IAS), ପୂର୍ବତନ କଣ୍ଟ୍ରାକ୍ଚୁଆଲ୍ କନସଲଟାଣ୍ଟ ଅଙ୍କିତ ଶ୍ରୀବାସ୍ତବ ଏବଂ ଘରୋଇ କ୍ଷେତ୍ର ସହ ଜଡ଼ିତ ନାଗେନ୍ଦ୍ର ଯାଦବ, ରାଜା କୁମାର କୁର୍ରା ଓ ପଙ୍କଜ ବର୍ମା ରହିଛନ୍ତି।

୨୦୨୪ରେ ରୁଜୁ ହୋଇଥିଲା ମାମଲା

ଏଏନ୍‌ଆଇ ରିପୋର୍ଟ ଅନୁସାରେ, ୨୦୨୪ ରେ ଏହି ମାମଲାରେ ଏସିବି ଏଫ୍ଆଇଆର୍ ରୁଜୁ କରିଥିଲା। ଦିଲ୍ଲୀ ଜଳ ବୋର୍ଡର ଏସଟିପିଗୁଡ଼ିକର ଉନ୍ନତି ଓ ଅପଗ୍ରେଡେସନ୍ ପାଇଁ ହୋଇଥିବା ଟେଣ୍ଡର ପ୍ରକ୍ରିୟାରେ ହେରଫେର ଏବଂ ଅପରାଧିକ ଷଡ଼ଯନ୍ତ୍ର ହୋଇଥିବା ଅଭିଯୋଗ ହୋଇଛି। ଏସିବିର ଅଭିଯୋଗ ଅନୁଯାୟୀ, ଟେଣ୍ଡରର କିଛି ବୈଷୟିକ ସର୍ତ୍ତ ଏପରି ଭାବରେ ପ୍ରସ୍ତୁତ କରାଯାଇଥିଲା, ଯାହା ଏକ ନିର୍ଦ୍ଦିଷ୍ଟ ଟେକ୍ନୋଲୋ ଓ ଘରୋଇ କମ୍ପାନୀକୁ ଲାଭ ପହଞ୍ଚାଇପାରିବ। ଏହା ଫଳରେ ଅନ୍ୟ କମ୍ପାନୀଗୁଡ଼ିକ ସହ ଟେଣ୍ଡର ପ୍ରକ୍ରିୟାରେ ଭାଗ ନେବା ସୀମିତ ହୋଇଯାଇଥିଲା ବୋଲି ତଦନ୍ତକାରୀ ସଂସ୍ଥା ଦାବି କରିଛି।

Also Read- କାମ ନକଲେ ବିଦା ହେବ… ଉତ୍ତର ପ୍ରଦେଶରେ ବିଜେପି ସରକାରଙ୍କୁ ଚେତାବନୀ ଦେଲେ ରାଜ୍ୟର ମନ୍ତ୍ରୀ

ଟେଣ୍ଡର ସର୍ତ୍ତରେ ହେରଫେର ଅଭିଯୋଗ

ତଦନ୍ତକାରୀ ସଂସ୍ଥାର ଅଭିଯୋଗ ଅନୁସାରେ, ପ୍ରସ୍ତାବିତ ପାଇଲଟ୍ ଷ୍ଟଡି ନକରି ମଧ୍ୟ ଟେଣ୍ଡରରେ ନିର୍ଦ୍ଦିଷ୍ଟ ଟେକ୍ନୋଲୋଜୀ ଓ ମିଡିଆ ବ୍ୟବହାର ସମ୍ପର୍କିତ ସର୍ତ୍ତ ରଖାଯାଇଥିଲା। ଏଥିସହିତ ଟ୍ରିଟେଡ୍ ଏଫ୍ଲୁଏଣ୍ଟର ଆବଶ୍ୟକ ପାରାମିଟରଗୁଡ଼ିକୁ ଟେଣ୍ଡରରୁ ବାଦ ଦିଆଯାଇଥିବା ଏବଂ ବୈଷୟିକ ସ୍ପେସିଫିକେସନ୍ରେ ପରିବର୍ତ୍ତନ କରାଯାଇଥିବା ଅଭିଯୋଗ ରହିଛି।

ଏସିବି ଆହୁରି ଦାବି କରିଛି ଯେ ଘରୋଇ ବ୍ୟକ୍ତି, କିଛି ସରକାରୀ ଅଧିକାରୀ ଓ ମଧ୍ୟସ୍ଥଙ୍କ ମଧ୍ୟରେ ଟେଣ୍ଡର ସର୍ତ୍ତ ଏବଂ ଦଲିଲ ସମ୍ପର୍କରେ ନିୟମିତ ଯୋଗାଯୋଗ ହେଉଥିଲା। ଇଲେକ୍ଟ୍ରୋନିକ୍ ପ୍ରମାଣର ଯାଞ୍ଚରୁ ଟେଣ୍ଡର ସର୍ତ୍ତ, ସଂଶୋଧନ ଓ ଅନ୍ୟ ଦଲିଲର ଆଦାନପ୍ରଦାନ ସମ୍ପର୍କରେ ତଥ୍ୟ ମିଳିଥିବା ଏଜେନ୍ସି କହିଛି।

ଇଡି ମଧ୍ୟ ପୂର୍ବରୁ ମାମଲାରେ ତଦନ୍ତ କରିଛି

ଦିଲ୍ଲୀ ଜଳ ବୋର୍ଡର ଏସଟିପି ଟେଣ୍ଡର ସମ୍ପର୍କିତ ଏହି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମଧ୍ୟ ପୂର୍ବରୁ ତଦନ୍ତ କରିଛି। ଇଡି ୨୦୨୫ ଡିସେମ୍ବରରେ ସତ୍ୟେନ୍ଦ୍ର ଜୈନ, ଉଦିତ ପ୍ରକାଶ ରାୟଙ୍କ ସମେତ ୧୪ ଜଣଙ୍କ ବିରୋଧରେ PMLA ଅଧୀନରେ ପ୍ରୋସିକ୍ୟୁସନ୍ କମ୍ପ୍ଲେଣ୍ଟ ଦାଖଲ କରିଥିଲା। ଏଥିରେ ଦିଲ୍ଲୀ ଜଳ ବୋର୍ଡର ୪ଟି ଏସଟିପି ଟେଣ୍ଡର ସହ ଜଡ଼ିତ ଦୁର୍ନୀତିର ଅଭିଯୋଗ ରହିଥିଲା।

ସୂଚନାଯୋଗ୍ୟ, ସତ୍ୟେନ୍ଦ୍ର ଜୈନଙ୍କ ବିରୋଧରେ ଏହା ପ୍ରଥମ ଆଇନଗତ ମାମଲା ନୁହେଁ। ୨୦୨୫ରେ ଦିଲ୍ଲୀ ଏସିବି ତାଙ୍କ ବିରୋଧରେ ଏକ ସିସିଟିଭି ପ୍ରକଳ୍ପ ସମ୍ପର୍କିତ ଅଭିଯୋଗରେ ମଧ୍ୟ ମାମଲା ରୁଜୁ କରିଥିଲା। ତେବେ ଉପରୋକ୍ତ ସମସ୍ତ ଅଭିଯୋଗ ତଦନ୍ତର ବିଷୟ ଏବଂ ଅଭିଯୁକ୍ତମାନଙ୍କ ଦୋଷ ଅଦାଲତରେ ପ୍ରମାଣିତ ହେବା ବାକି ରହିଛି।



Source link

Leave A Reply

Your email address will not be published.